ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଗୁରୁବାର ପୁଣି ଏକ ନୂଆମୋଡ଼ ନେଇଛି। ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ବିଧାୟକଙ୍କ ପିଟଶନର ଶୁଣାଣି କରି ଗୁରୁବାର ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ନିର୍ଦେଶ ଦେଇଥିଲେ। । ବାଚସ୍ପତି ଆଜି ସନ୍ଧ୍ୟା ସୁଦ୍ଧା ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ଦରକାର ଏବଂ ଆସନ୍ତା କାଲି ସକାଳେ ଖଣ୍ଡପୀଠର ଶୁଣାଣି ପୂର୍ବରୁ ଏହା ଉପରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଥିଲେ। କିନ୍ତୁ ଏହି ନିର୍ଦେଶ ପରେ ବାଚସ୍ପତି କେ.ଆର. ରମେଶ କୁମାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଏକ ପିଟିଶନ ଦାଖଲ କରି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆଦେବନ କରିଛନ୍ତି। ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ଅସନ୍ତୁଷ୍ଟ ବିଧାୟକ ବାଚସ୍ପତିଙ୍କୁ ଭେଟିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିବାରୁ ଏହି ସମୟ ସୀମା ବୃଦ୍ଧି କରିବାକୁ ବାଚସ୍ପତି କୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହି ପିଟିଶନର ଶୁଣାଣି କରିବେ ବୋଲି କହିଛନ୍ତି। ଶୁକ୍ରବାର ଏହାର ଶୁଣାଣି ହେବ। ତେବେ ବିଧାୟକମାନଙ୍କୁ ଗୁରୁବାର ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କ ନିକଟକୁ ଯିବାକୁ ପଡ଼ିବ।
Popular Categories



