ଅଖ୍‍ତାରଙ୍କୁ କପିଳଙ୍କ କଡ଼ା ଜବାବ ‘ଭାରତର ପଇସା ଆବଶ୍ୟକ ନାହିଁ’

ନୂଆଦିଲ୍ଲୀ : ବେପରୁଆ ମନ୍ତବ୍ୟ ପାଇଁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଫାଷ୍ଟବୋଲର ସୋଏବ୍‍ ଅଖ୍‍ତାରଙ୍କୁ ଭର୍ତ୍ସନା କରିବା ସହ କଡ଼ା ଜବାବ ଦେଇଛନ୍ତି କିମ୍ବଦନ୍ତୀ ଭାରତୀୟ ଅଲ୍‍ରାଉଣ୍ଡର କପିଳ ଦେବ। ନିକଟରେ ଅଖ୍‍ତାର ଏକ ଭାରତୀୟ ଗଣମାଧ୍ୟମକୁ କହିଥିଲେ, କେବଳ ଟେଲିଭିଜନ୍‍ ଦର୍ଶକଙ୍କ ଲାଗି ଭାରତ ଓ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ୩ଟି ମ୍ୟାଚ୍‍ ଆୟୋଜନ କରାଯିବା ଉଚିତ। ଖାଲି ଷ୍ଟାଡିୟମ୍‍ରେ ଏହି ମ୍ୟାଚ୍‍ସବୁ ଆୟୋଜନ ହେବ। ଏହି ୩ଟି ମ୍ୟାଚ୍‍ରୁ ଉପାର୍ଜିତ ରାଜସ୍ୱକୁ ଉଭୟ ଭାରତ ଓ ପାକିସ୍ତାନରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼େଇ ପାଇଁ ବ୍ୟୟ କରାଯିବ।

ସୋଏବ୍‍ ଅଖ୍‍ତାରଙ୍କ ଏପରି ବେପରୁଆ ମନ୍ତବ୍ୟକୁ କପିଳ ଦେବଙ୍କ ସହ ବହୁ ଭାରତୀୟ ନାପସନ୍ଦ କରିଛନ୍ତି। କପିଳ ସିଧାସିଧା କହି ଦେଇଛନ୍ତି- ଭାରତର ପଇସା ଆବଶ୍ୟକ ନାହିଁ। ଏକ କ୍ରିକେଟ ମ୍ୟାଚ୍‍ ପାଇଁ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇବା ଆଦୌ ଗ୍ରହଣୀୟ ନୁହେଁ। ଅଖ୍‍ତାରଙ୍କ ପ୍ରସ୍ତାବ ସମ୍ଭବପର ମଧ୍ୟ ନୁହେଁ। ସେ ତାଙ୍କର ନିଜସ୍ୱ ମତପ୍ରକାଶ କରିପାରନ୍ତି। ହେଲେ ଆମର ପାଣ୍ଠି ଯୋଗାଡ଼ କରିବା ଆବଶ୍ୟକ ନାହିଁ। ୩ଟି କ୍ରିକେଟ ମ୍ୟାଚ୍‍ରୁ ଏମିତି କେତେ ପାଣ୍ଠି ଯୋଗାଡ଼ ହେବ କି? ଏତିକି ପାଣ୍ଠି ପାଇଁ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇବା କେତେ ଯୁକ୍ତିଯୁକ୍ତ? ମୁଁ ଭାବୁଛି ଆସନ୍ତା ୫/୬ ମାସ ପାଇଁ ଆମକୁ କ୍ରିକେଟ ଭୁଲିଯିବା ଉଚିତ ହେବ। ସବୁକିଛି ଠିକ୍‍ ହେଲେ କ୍ରିକେଟ ପୁଣି ଆରମ୍ଭ ହେବ। ଦେଶଠାରୁ କୌଣସି କ୍ରୀଡ଼ା କଦାପି ବଡ଼ ହୋଇନପାରେ। ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଆମେ ସରକାରଙ୍କୁ ସହଯୋଗ କରିବା ଉଚିତ। ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ହେଲେ ଡାକ୍ତର, ସେବିକା, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଏବଂ ଅନ୍ୟମାନଙ୍କ ମନୋବଳ ବଢ଼ାଇବା ଉଚିତ। ପୁଣି ଲକ୍‍ଡାଉନ୍ ଯୋଗୁଁ ଜୀବିକା ହରାଇଥିବା ଏବଂ ଖାଇବାକୁ ପାଉନଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିବା କଥା ଆମକୁ ଭାବିବାକୁ ପଡ଼ିବ। ଆମ ପାଖରେ ଯଥେଷ୍ଟ ପଇସା ଅଛି। ଅାମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ବର୍ତ୍ତମାନ ସମୟରେ ଏହି ମହାମାରୀର ସଫଳ ମୁକାବିଲା କରିବା। ଏହି କାମରେ ନିଜ ଜୀବନକୁ ପାଣି ଛଡ଼ାଇ ଲାଗିଥିବା ବ୍ୟକ୍ତିଙ୍କ ପ୍ରତି ସହଯୋଗର ହାତ ବଢ଼ାଇବା ଏବଂ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା। ଟେଲିଭିଜନ୍‍ରେ ଦେଖୁଛନ୍ତି ଯେ ବହୁତ ରାଜନେତା କରୋନା ମୁକାବିଲାର ଉପାୟ କଥା ନ ଭାବି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ଏହା ବନ୍ଦହେବା ଉଚିତ। କରୋନା ମୁକାବିଲା ପାଇଁ ବିସିସିଆଇ ଭାରତ ସରକାରଙ୍କୁ ୫୧ କୋଟି ଟଙ୍କାର ବଡ଼ ଅର୍ଥରାଣି ପ୍ରଦାନ କରିଛି। ଆବଶ୍ୟକ ପଡ଼ିଲେ ଏହା ଅଧିକ ଅର୍ଥ ପ୍ରଦାନ କରିପାରିବ। ଲକ୍‍ଡାଉନ୍‍ରେ ଲୋକେ ହଇରାଣ ହେଉଛନ୍ତି ବୋଲି କହିବାକୁ କପିଳ ଜବାବ ଦେଇଥିଲେ- ନେଲ୍‍ସନ ମାଣ୍ଡେଲା ଯଦି ଏକ କ୍ଷୁତ୍ର କୋଠରୀରେ ୨୭ ବର୍ଷ ରହିପାରିଲେ; ଆମେ ଆମ ଘରେ କେଇଦିନ ରହିପାରିବା ନାହିଁ; ତାହା ପୁଣି ନିଜ ସୁରକ୍ଷା ଲାଗି।

Comments are closed.