ଫୁଲବାଣୀ: କନ୍ଧମାଳରେ ଆରମ୍ଭ ହେଲାଣି ଶୀତ। ସକାଳୁଆ କୁହୁଡ଼ି ସାଙ୍ଗକୁ ଥଣ୍ଡାର ଅନୁଭବ। ଶୀତକାଳୀନ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ କନ୍ଧମାଳ ଜିଲାକୁ ଆଉ କିଛିଦିନ ମଧ୍ୟରେ ରାଜ୍ୟ, ଦେଶ ଓ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟିବ। ଜିଲାର ବିଭିନ୍ନ ପର୍ଯ୍ୟଟନ ଓ ବଣଭୋଜି ସ୍ଥଳରେ ଜମିବ ଭିଡ଼। ଖୁବଶୀଘ୍ର ଆରମ୍ଭ ହେବ ଦାରିଙ୍ଗବାଡି ଇକୋ ରିଟ୍ରିଟ। ଏଥିପାଇଁ ଗୁରୁବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ୨୦୨୦ ମସିହା ପରଠାରୁ ଜିଲାରେ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତି ନଥିବାରୁ କିଏ କେତେବେଳେ କାମଚଳା ଦାୟିତ୍ବରେ ରହୁଛନ୍ତି।
ସୂଚନା ଅନୁସାରେ ବର୍ତ୍ତମାନ କନ୍ଧମାଳ ଜିଲାରେ ଫୁଲବାଣୀ, ଦାରିଙ୍ଗବାଡ଼ି, ପୁତୁଡି ଜଳପ୍ରପାତ, ବଲସକୁମ୍ପା ବରାଳଦେବୀ ମନ୍ଦିର ଓ ଚକାପାଦ ବିରୂପାକ୍ଷ ମନ୍ଦିର ଭଳି ପାଞ୍ଚଟି ସରକାରଙ୍କ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳ ରହିଛି। ଏହାବ୍ୟତୀତ ବେଲଘର, ସିର୍କିଘାଇ, କଳିଙ୍ଗା ଘାଟି, ମଣ୍ଡାସରୁ, ମୁକୁଲିଙ୍ଗିଆ ଭଳି ଗଦାଗଦା ପର୍ଯ୍ୟଟନସ୍ଥଳ ସମେତ ବହୁ ସଂଖ୍ୟାରେ ଜଳପ୍ରପାତ ରହିଛି, ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଗତବର୍ଷ ମାନଙ୍କରେ ବିଭିନ୍ନ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତବର୍ଷ ୧୧ କୋଟି ୨୮ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଜିଲାର ୧୪ ପର୍ଯ୍ୟଟନସ୍ଥଳର ବିକାଶ କରାଯାଇଛି। ବର୍ତ୍ତମାନ ପୁତୁଡି ଜଳପ୍ରପାତ ପାଇଁ ୪ କୋଟି ଟଙ୍କାର ଅନୁଦାନ ଆସିଛି। ଗତବର୍ଷ ଦାରିଙ୍ଗବାଡ଼ିଠାରେ ଅନୁଷ୍ଠିତ ଇନଭେଷ୍ଟ କନ୍ଧମାଳ କନ୍କ୍ଲେଭରେ ଘରୋଇ ଉଦ୍ୟୋଗୀଙ୍କ ତରଫରୁ କୋଟି କୋଟି ଟଙ୍କାର ପର୍ଯ୍ୟଟନଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସିଛି। ତେବେ ଜିଲାରେ ପର୍ଯ୍ୟଟନକୁ ବ୍ୟବସ୍ଥିତ କରିବା ପାଇଁ ରହିଥିବା ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଭିତ୍ତିଭୂମିର ଅଭାବ ଏକ ମୁଖ୍ୟ ସମସ୍ୟା ହୋଇଛି।
୨୦୨୦ ପରଠାରୁ ଜିଲା ପର୍ଯ୍ୟଟନ ଅଧିକାରୀ ପଦ ଖାଲି ପଡ଼ିଛି। କେତେବେଳେ କିଏ ଦାୟିତ୍ବରେ ରହୁଛନ୍ତି। ବର୍ତ୍ତମାନ ଏହି ଦାୟିତ୍ୱରେ ଅଛନ୍ତି ସହକାରୀ କଲେକ୍ଟର କୁମୁଦିନୀ ମଲ୍ଲିକ। ନିର୍ବାଚନ ବିଭାଗ ସହିତ ଏହି ଦାୟିତ୍ୱ ସେ ତୁଲାଉଛନ୍ତି। ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନଥିବାରୁ ପ୍ରଚାର ପ୍ରସାର ତଥା ପର୍ଯ୍ୟଟକଙ୍କ ଆନୁଷଙ୍ଗିକ ବ୍ୟବସ୍ଥା ବୁଝିବା ସମ୍ଭବ ହୋଇ ପାରୁନାହିଁ।
ସରକାରୀ ହିସାବ ଅନୁସାରେ କରୋନା ପୂର୍ବରୁ କନ୍ଧମାଳ ଜିଲାକୁ ବାର୍ଷିକ ପ୍ରାୟ ୩ ଲକ୍ଷ ପର୍ଯ୍ୟଟକ ଆସୁଥିଲେ। ବର୍ତ୍ତମାନ ଏହା ହ୍ରାସ ପାଇଥିଲେ ମଧ୍ୟ ଜିଲାକୁ ବର୍ଷକୁ ପ୍ରାୟ ୬୦ରୁ ୭୦ ହଜାର ପର୍ଯ୍ୟଟକଙ୍କ ଆଗମନ ହେଉଛି। ବିଶେଷ କରି ଦାରିଙ୍ଗବାଡ଼ି, ମଣ୍ଡାସରୁ, ମୁକୁଲିଙ୍ଗିଆ ସମେତ ଅନ୍ୟ ସ୍ଥାନରେ ଶୀତର ମଜା ନେବା ପାଇଁ ବାହାର ଜିଲା ଓ ରାଜ୍ୟରୁ ଆସୁଛନ୍ତି ବହୁ ସଂଖ୍ୟକ ପର୍ଯ୍ୟଟକ। ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନଥିବାରୁ ଜିଲାରେ ପର୍ଯ୍ୟଟନ ଅବ୍ୟବସ୍ଥିତ ହୋଇ ରହିଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ସ୍ଥାୟୀ କହିଲେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହିଁ ଅଛନ୍ତି। ଏଠାରେ ବର୍ତ୍ତମାନ କାର୍ଯ୍ୟରତ କିରାଣି ଜଣକ ମଧ୍ୟ ଅନ୍ୟ ସ୍ଥାନରୁ ଡେପୁଟେସନରେ ଆସି କାମ ଚଳାଉଛନ୍ତି। ପର୍ଯ୍ୟଟନ ଅଧିକାରୀ ଓ କର୍ମଚାରୀ ଅଭାବ ପର୍ଯ୍ୟଟନର ବିକାଶ ଦିଗରେ ବାଧକ ସାଜିଛି।



