ଭୁବନେଶ୍ୱର : କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି। ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବ ଓଡ଼ିଶାରେ ପ୍ରଥମ। ଏହା ଓଡିଶାର ଜନଜାତିର କଥା, ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ, ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ। ଏହି ଅଧିବେଶନ ୨୮ଜୁନ୍, ୨୦୨୦ରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଫେସବୁକ୍, ଟ୍ୱିଟର, ୟୁଟ୍ୟୁବ୍ ପରି ସମସ୍ତ ଅଫିସିଆଲ୍ ଫୋରମ୍ରେ ସିଧା ପ୍ରସାରିତ ହେବ। ଅପରାହ୍ଣ ଦୁଇଟାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବକୁ ବିଶିଷ୍ଟ ଜନପ୍ରିୟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ ଉଦଘାଟନ କରିବେ। ଏହାପରେ ଆଉ ତିନୋଟି ଅଧିବେଶନ ଯଥାକ୍ରମେ ଅପରାହ୍ନ ୩ରୁ -୩.୪୫, ୪ରୁ-୪.୪୫ଏବଂ ୫ ରୁ ୫.୪୫ଘଣ୍ଟିକା ଯାଏଁ ଅନୁଷ୍ଠିତ ହେବ।

ଡକ୍ଟର ଅରବିନ୍ଦ ବେହେରା, ରାଜେଶ ପ୍ରଭାକର ପାଟିଲ , ସୁଜିତ କୁମାର, ବିଜୟ ପଟ୍ଟନାୟକ, କେଦାର ମିଶ୍ର, ଡକ୍ଟର କ୍ଷେତ୍ରବାସୀ ମାନସେଠ୍ , ଡକ୍ଟର ନିରଦ କହଁର, ଅନୁଜ ପ୍ରଧାନ, ଜ୍ୟୋତିର୍ମୟୀ କହଁର, ପୃଥିବୀରାଜ ମଣ୍ଡଳ, ବିଦେଶୀ ନାୟକ , ରବୀନ୍ଦ୍ରନାଥ ମିଶ୍ର, ସୁଜିତ୍ କୁମାର ପଣ୍ଡା, ପ୍ରଣତି ତ୍ରିପାଠୀ, ହରପ୍ରିୟା ମିଶ୍ର, ଗିରିଜା ପ୍ରସାଦ ମିଶ୍ର, ପ୍ରଦୀପ କହଁର ପ୍ରମୁଖ ସାହିତ୍ୟ ସାଧକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ରାଜ୍ୟର ସାହିତ୍ୟ କ୍ୟାଲେଣ୍ଡରରେ ଏହା ଏକ ଉଲ୍ଲେଖନୀୟ ଘଟଣା ଏବଂ ସମସ୍ତ କନ୍ଧମାଳର ଜ୍ଞାନୀ ଗୁଣୀ ,ଶିକ୍ଷାବିତ୍ ,ସାହିତ୍ୟ ପ୍ରମୀମାନଙ୍କର ସହଯୋଗ ହିଁ ଆଗକୁ ଅଧିକ କାମ କରାଇବାର ପ୍ରେରଣା ହେବ ବୋଲି ସହ ପ୍ରତିଷ୍ଠାତା ସିତାଂଶୁ ମହାପାତ୍ର ସୂଚନା ଦେଇଛନ୍ତି।



