କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ଘର ନାହିଁ। ଯେଉଁଠି ଡାକ୍ତର ଅଛନ୍ତି ସକାଳେ ଆସି ଉପରବେଳାକୁ ଆସନ୍ତି ନାହିଁ। ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଏଠି ଫେଲ୍ ମାରୁଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବିରିବୋଲେଇ ଏବଂ ମହାବିରୋଡ ୨ଟି ସେକ୍ଟର ଅଛି । ୯ ଗୋଟି ପଞ୍ଚାୟତ କୁଟୁରିଆ, ମହାବୀର ରୋଡ, ଘାଗରମୁଣ୍ଡା, ବିରୀବୋଲେଇ, ଚାନ୍ଦପୁର, ଝିଲ୍ଲି, ଗଡପଳାଶୁଣୀ, ପଙ୍ଗାତିରା ଆଦି ପଞ୍ଚାୟତର ହିତାଧିକାରୀ ଗତ ଜାନୁଆରୀ ୧୯ ତାରିଖରୁ ପରିବାର ନିୟୋଜନ ଅସ୍ତ୍ରୋପଚାର ଯୋଜନାରେ ବିରାଶାଳ ମେଡିକାଲକୁ ଯାଇ ଅପରେସନ ହୋଇଥିଲେ। ୬ ମାସ ହେବାକୁ ବସିଲାଣି ସରକାରଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଯୋଜନା ଅର୍ଥ ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ପାଖକୁ ଆସିପାରିଲା ନାହିଁ। ସେମାନେ ଯୋଜନାରୁ ପାଇବେ ୧୪୦୦ ଟଙ୍କା। ମେଡିକାଲ ୩୦ କିମି ଦୂର ହୋଇଥିବାରୁ ଗାଡ଼ି ଭଡ଼ାରେ ଯାଇଛି ୧୦୦୦। ଆଉ ୪୦୦ ଟଙ୍କା ପାଇବାକୁ ଧାଇଁଲେଣି ୬ ମାସ ।
ସରକାରଙ୍କ ଯୋଜନା ଅନୁସାରେ, ଏଥିପାଇଁ ଯିବା ଖର୍ଚ୍ଚ ଦେବାର ମଧ୍ୟ ଯୋଜନା ଥିବାବେଳେ ମିଥ୍ୟା ଭାଉଚର କରି ବିଲ୍ କରାଯାଉଥିବାର ଅଭିଯୋଗ ହୋଇଛି । ଖବର ନେବାରୁ ଜଣାଯାଇଛି ଗଡପଳାଶୁଣୀରୁ ୧୫ ଜଣ, ମହାବୀର ରୋଡ ୧୭ଜଣ, କଟୁରିଆ ୮ ଜଣ, ମଦରଗାମୁଣ୍ଡା ୩ ଜଣ, ଗୋଲଗଡିଆ ୬, ଚାନ୍ଦପୁର ୪ ଏମିତି ୫୩ ଜଣ ଟଙ୍କା ପାଇ ପାରିନାହାନ୍ତି । ସପ୍ତାହେ ମଧ୍ୟରେ ଆମ ଟଙ୍କା ପ୍ରଦାନ ନକଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଥିପ୍ରତି ଜିଲାପାଳ ସ୍ଵତନ୍ତ୍ର ଦୃଷ୍ଟିଦେବାକୁ ହିତାଧିକାରୀମାନେ ନିବେଦନ କରିଛନ୍ତି।



