ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ମାମଲା; ହତ୍ୟାକାରୀ ସ୍ୱାମୀ ଗିରଫ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡାଗାଁର ହରିଜନ ସାହିରେ ପୂର୍ଣ୍ଣିମାରେ ପିଶାଚ ସାଜି ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିବା ଘଟଣାରେ ସ୍ୱାମୀ ନୀଳକଣ୍ଠ କୌଶଲ୍ୟାକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ଅବସରରେ ଭୋରୁ ସ୍ୱାମୀ ନୀଳକଣ୍ଠ କୌଶଲ୍ୟା(୫୦) ଓ ମୃତ ସ୍ତ୍ରୀ ରାଧା କୌଶଲ୍ୟା(୪୨) ମିଶି ଡଙ୍ଗା ଭସାଇ ଆସିଥିଲେ । ଏହାର କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ଫଳରେ ସ୍ୱାମୀ ଉତ୍ତେଜିତ ହୋଇ ପାଖରେ ଥିବା ଶିଳଗୁଡ଼ାରେ ଛେଚି ସ୍ତ୍ରୀକୁ ହତ୍ୟା କରିଥିବା ପରିବାର ପକ୍ଷରୁ କହିଛନ୍ତି । ଖବର ପାଇ ପୁଲିସ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ, ସବ୍‌ଇନ୍ସପେକ୍ଟର ସଞ୍ଜୟ କୁମାର ମୁର୍ମୁ, ଅତିରିକ୍ତ ସବଇନ୍ସପେକ୍ଟର ମନୋଜ କୁମାର ମଲ୍ଲିକଙ୍କ ସହ ଦଳ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରିଥିବା ସ୍ୱାମୀ ନୀଳକଣ୍ଠକୁ ଅଟକ ରଖି ପଚାରାଉଚରା କରିଥିଲେ। ଅନ୍ୟ ପଟେ ମୃତ ମହିଳାଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷରୁ ଉତ୍ତେଜନା ଲାଗିଥିଲା । ସେତେବେଳେ ପୁଲିସ ସାଧା ପୋଷାକରେ ରହିଥିବା ଯୋଗୁଁ ଘଟଣା ସ୍ଥଳରେ ଠେଲା ପେଲା ହୋଇଥିଲା । ଏହାକୁ ନେଇ ମୃତ ମହିଳାଙ୍କ ପିତା ରାମଦାସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେଥିରେ ପୂର୍ବରୁ ପରିବାରରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ ନୀଳକଣ୍ଠର ଭାଇ, ଶ୍ବଶୁର ବଳରାମ ଝିଅକୁ ବୁଝାସୁଝା କରି ନିଜ ଦାୟିତ୍ୱରେ ଆଣିଥିଲେ । ବର୍ତ୍ତମାନ ଝିଅର ମୃତ୍ୟୁ ହୋଇଥିବା ଖବର ପାଇ ଆସି ଦେଖିବା ବେଳେ ଝିଅକୁ ମାରି ଦେଇଛନ୍ତି ବୋଲି ଏତଲାରେ ଦର୍ଶାଇଛନ୍ତି । ଖବର ପାଇ ରାୟଗଡ଼ାରୁ ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରିଥିଲେ । ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।

ଅନ୍ୟ ପଟେ ହତ୍ୟାକାରୀ ସ୍ୱାମୀକୁ ପୁଲିସ ଅଟକ ରଖି ପଚରାଉଚରା କରି ଆଜି କୋର୍ଟ ଚାଲାଣ କରିଛି । ମୃତ ମହିଳାଙ୍କ ଦୁଇଟି ଝିଅ ଓ ଗୋଟିଏ ସାନ ପୁଅ ମୋଟ ୩ଟି ସନ୍ତାନ ରହିଛନ୍ତି । ଥାନା ଅଧିକାରୀ ମୁକୁନ୍ଦଦେବ ନାୟକ କହିଛନ୍ତି ହତ୍ୟାକାରୀ ସ୍ୱାମୀ ନୀଳକଣ୍ଠ ଶିଳଗୁଡ଼ାରେ ସ୍ତ୍ରୀ ରାଧାକୁ ଛେଚି ହତ୍ୟା କରିଥିବା ସ୍ୱୀକାର କରିଛି ।

Comments are closed.