କଳାପଥର(ବାଙ୍କୀ): ସରକାର ବିଭିନ୍ନ ସମୟରେ ହସ୍ତଶିଳ୍ପ କାରିଗରମାନଙ୍କୁ ପ୍ରୋତ୍ସାହନ ଯୋଗାଇଆସୁଥିବା ପ୍ରଚାର କରିଆସୁଛନ୍ତି। ସେଥିପାଇଁ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କାହିଁ କେତେପ୍ରକାର ସହାୟତା ଆସୁଛି ବୋଲି କୁହାଯାଉଛି। ହେଲେ ବାଙ୍କୀର କେନ୍ଦୁପଲ୍ଲୀ ଗ୍ରାମରେ ଏମିତି ଏକ ପଟ୍ଟଚିତ୍ର କାରିଗରୀ କେନ୍ଦ୍ର ରହିଛି , ଯେଉଁଠି ସରକାରୀ ସହାୟତା ଅପହଞ୍ଚ ହୋଇପଡିଛି। ନିପୁଣ ଶିଳ୍ପୀମାନେ ସେମାନଙ୍କ କାରୁକାର୍ଯ୍ୟକୁ ତାଳପତ୍ରରେ କରିଆସୁଥିବାବେଳେ ସରକାରୀ ସହାୟତା ପାଉନଥିବାରୁ ସେମାନେ ଆଗକୁ ଯିବାରେ ପ୍ରତିବନ୍ଧକ ସାଜିଛି।
ଦୀର୍ଘ ୨୦ବର୍ଷ ହେଲା ଯେଉଁସଂସ୍ଥା ସୁଚାରୁରୂପେ ଚାଲିଥିଲା କାରୋନା ପର ଠାରୁ ଧିମେଇ ଯାଇଛି। ଯାହାକି କାରିଗରମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଏକପ୍ରକାର ଦୋହଲାଇ ଦେଇଛି। କାମ ନଥିବାରୁ ସେମାନେ ଘରେ ହାତବାନ୍ଧି ବସିଛନ୍ତି। କଞ୍ଚାମାଲ ମିଳୁନାହିଁ କି, ବେପାରୀ ଏଠାକୁ ଆସୁନାହିଁନ୍ତି ବୋଲି କହିଛନ୍ତି କେତେକ କାରିଗର। ଏମିତିକି ତାଳପତ୍ରରେ ତିଆରି ହେଉଥିବା ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଗୁଡିକ ଭୁବନେଶ୍ୱରରେ ଥିବା ସରକାରଙ୍କ ଉତ୍କଳିକା , ଅରୁପା ଭଳି ସଂସ୍ଥା ଏଠାକୁ କିଣିବାପାଇଁ ଆସୁନାହିଁନ୍ତି। ଫଳରେ ପଟ୍ଟଚିତ୍ର ଖୋଦେଇକାର୍ଯ୍ୟ ଏକପ୍ରକାର ବନ୍ଦ ହେବାକୁ ବସିଲାଣି। ଏଠାରେ ଶିଳ୍ପୀ ଭାବରେ କାମକରୁଥିବା ୧୫ରୁଉର୍ଦ୍ଧ କାରିଗର ଏହାକୁ ଛାଡି ଏବେ ଅନ୍ୟ କାମଧନ୍ଦାରେ ଲାଗିଲେଣି।
ଜଣାଯାଇଛି ଯେ , କଟକ ଜିଲା ବାଙ୍କୀ ବ୍ଲକ ଅଧୀନସ୍ଥ କେନ୍ଦୁପଲ୍ଲୀ ଗ୍ରାମରେ ରହିଛି ମୋନାଲିସା ଭିନ୍ନକ୍ଷମ କାରିଗରି ସଂସ୍ଥା। ଏଠାରେ ତାଳପତ୍ରରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ଯଥା , ରାମାୟଣ ,ମହାଭାରତ , କୃର୍ଷ୍ଣଲୀଳା , ଦଶବତାର , ଜଗନ୍ନାଥ , ଗଣେଶ ଆଦି ଛବି ଗୁଡିକ ତାଳପତ୍ର ସମେତ ଟସର କପଡାରେ ତିଆରି କରାଯାଇ ଆମରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ଏପରିକି ବେପାରୀମାନେ ଏଠାକୁ ଆସି ନିଜର ଚାହିଦା ଅନୁଯାୟୀ ବରାଦ ଦେଇ ତିଆରି କରିନେଇଥାନ୍ତି। ସରକାରୀ ଭାବରେ ମଧ୍ୟ ଉତ୍କଳିକା ଓ ଅରୁପା ଭଳି ବେସରକାରୀ ସଂଘଠନ ଗୁଡିକ ଏଠାରୁ ନିର୍ମିତ କାରିଗରୀ ସବୁକୁ ନେଇ ବିକ୍ରୟ କରିଥାନ୍ତି। ଏଥିରେ ଉଭୟ କାରାଖାନା ଚାଲେ ଏବଂ କାରିଗରମାନେ ଲାଭବାନ ହୁଅନ୍ତି।
ହେଲେ , ଏହି ପଟ୍ଟଚିତ୍ର ଶିଳ୍ପୀମାନେ ଏବେ ହାତବାନ୍ଧି ବସିଛନ୍ତି। ଶିଳ୍ପି ତରୁଲତା ସାହୁ ସମେତ କିଛି କାରିଗର କୁହନ୍ତି ମୁଁ ଏଠାରେ ୨୦ବର୍ଷହେଲା ପଟ୍ଟଚତ୍ର ଖୋଦେଇ କାର୍ଯ୍ୟ କରିଆସୁଛି। ଏହି କାମ ମୁଁ ଅରୁପା ସହାୟତାରେ ରଘୁରାଜପୁର ( ପୁରୀ ଜିଲ୍ଲା ଚନ୍ଦନପୁର ନିକଟ)କୁ କାମ ଶିଖିବାକୁ ଯାଇଥିଲି। ସେଠାରେ ପ୍ରାୟ ଦେଢବର୍ଷ କାମ ଶିଖିଲାପରେ ଗାଁକୁ ଆସି ପ୍ରଥମେ କେତେକ କାରିଗରଙ୍କୁ ନେଇ କାମ ଆରମ୍ଭ କଲି। ଏହି କାମପାଇଁ ଆମକୁ ବିଭିନ୍ନ ସରଞ୍ଜାମ ବାହାରୁ କିଣିବାକୁ ପଡିଥାଏ।
ଟସର କପଡା କେନ୍ଦୁଝର ଜିଲ୍ଲା ଫକିରପୁରରୁ ଆଣିବାକୁ ହୁଏ। ସେହିପରି ତାଳପତ୍ର ବଡମ୍ବାରୁ ଆଣିଥାଉ , ଭୁବନେଶ୍ୱରରୁ ରଙ୍ଗ ଆଣୁ। ଏହାକୁ କଇଥଫଳ ଆଣି ସେଥିରେ ମିଶ୍ରଣ କରାଯାଇଥାଏ। ପାଗହେବାପରେ ସେଥିରେ କାରୁକାର୍ଯ୍ୟ କରାଯାଏ। ଏଠାରୁ ଯାହା ପ୍ରଡକ୍ସନ କରାଯାଏ ତାକୁ ଆମେ ଅରୁପା ଓ ଉତ୍କଳିକା କୁ ବିକ୍ରୟ କରିଥାଉ। ଲୋକମାନେ ମଧ୍ୟ ଏଠାକୁ ଆସି କିଣିନିଅନ୍ତି। ବରାଦ ଅନୁଯାୟୀ ମଧ୍ୟ ଆମେ କାର୍ଯ୍ୟ କରିଥାଉ। ସରକାରୀ ଭାବରେ ଆମକୁ ଆଜିଯାଏ କୌଣସି ସହାୟତା ମିଳିନାହିଁ।



