କଲମପୁର: ଜନୈକା ଯୁବତୀ ନିଜ ଘରେ ରୋଷେଇ କରୁଥିବା ବେଳେ ହଠାତ୍ ଚେତାଶୂନ୍ୟ ହେଇଯିବାରୁ ଚୁଲି ଉପରେ ପଡିଯାଇଥିଲେ। ଚୁଲି ଉପରେ ବସିଥିବା ଗରମ ପାଣି ଯୁବତୀଙ୍କ ଉପରେ ପଡିଯିବା ଦ୍ୱାରା ଯୁବତୀ ଜଣକ ଗୁରୁତର ଆହତ ହେବା ଭଳି ଅଭାବନୀୟ ଘଟଣା ଥୁଆମୁଳ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୁଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଲୋହରାଜୋର ଗ୍ରାମର ଗୋବିନ୍ଦ ମାଝୀଙ୍କ ୨୦ ବର୍ଷିୟ ଝିଅ ସୁକମତୀ ଘରେ ରୋଷେଇ କରୁଥିବା ବେଳେ ଅପସ୍ମାର ରୋଗର ପ୍ରଭାବ କାରଣରୁ ହଠାତ୍ ଚେତାଶୂନ୍ୟ ହୋଇ ଚୁଲି ଉପରେ ପଡିଯାଇଥିଲେ।
ଚୁଲିରେ ବସିଥିବା ଗରମ ପାଣି ତାଙ୍କ ଉପରେ ଢାଳି ହେବା ସହ ଶରୀରର ପ୍ରାୟ ୪୦ ଭାଗ ପୋଡିଯାଇଛି। ଘର ଲୋକେ ତାଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ତାଙ୍କୁ ଜିଲ୍ଲ୍ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।



