www.samajalive.in
Sunday, December 7, 2025
16.1 C
Bhubaneswar

ଗୋପବନ୍ଧୁ ବହୁ ମନୀଷୀଙ୍କ ପ୍ରେରଣାର ଉତ୍ସ : ରାଜ୍ୟପାଳ

‘ଗୋପବନ୍ଧୁ ଜ୍ୟୋତି’ ପରିକ୍ରମା ଲୋକଙ୍କୁ ଯୋଡ଼ିବାର ଅନନ୍ୟ ପ୍ରୟାସ : ଦୀପକ ମାଲବ୍ୟ

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିଜର ସୀମିତ ଜୀବନକାଳ ମଧ୍ୟରେ ସମଗ୍ର ଭାରତବର୍ଷର ବହୁ ମନୀଷୀଙ୍କୁ ପ୍ରଭାବିତ କରିପାରିଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମତବ୍ୟକ୍ତ କରିଛନ୍ତି। ଶନିବାର ସନ୍ଧ୍ୟାରେ ‘ଗୋପବନ୍ଧୁ ଜ୍ୟୋତିଯାତ୍ରା’ର ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ ଯେ, ଶିକ୍ଷାର ପ୍ରସାର ଓ ଅସ୍ପୃଶ୍ୟତା ନିବାରଣ କ୍ଷେତ୍ରରେ ଗାନ୍ଧିଜୀଙ୍କ ବହୁ ପୂର୍ବରୁ ସେ କାର୍ଯ୍ୟ କରିଥିଲେ। ସେହିପରି ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟ ସମ୍ଭବତଃ ରବୀନ୍ଦ୍ରନାଥ ଠାକୁରଙ୍କୁ ଶାନ୍ତି ନିକେତନର ବିଶ୍ବଭାରତୀ ସ୍ଥାପନ କରିବାରେ ଅନୁପ୍ରେରିତ କରିଥିଲା। ଉଚ୍ଚମାନର କାବ୍ୟକବିତା ସୃଷ୍ଟିରେ ବହୁ ସାହିତ୍ୟିକ ଓ କବିଙ୍କ ଲାଗି ମଧ୍ୟ ସେ ପ୍ରେରଣାର ଉତ୍ସ ଥିଲେ। ଗୋପବନ୍ଧୁଙ୍କର ସେହି ଆଦର୍ଶ, ଉଦ୍ଦେଶ୍ୟ ତଥା ମୂଲ୍ୟବୋଧଭିତ୍ତିକ ସେବାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଗୋପବନ୍ଧୁ ଜ୍ୟୋତି ଯାତ୍ରା ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟକ ହୋଇରହିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଛନ୍ତି।
ଶନିବାର ସନ୍ଧ୍ୟାରେ କିଟ୍‍ ପ୍ରେକ୍ଷାଳୟରେ ଆୟୋଜିତ ଗୋପବନ୍ଧୁ ଜ୍ୟୋତି ରାଜ୍ୟ ପରିକ୍ରମାର ଉଦ୍‍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ୍‍ କହିଥିଲେ ଯେ, ମଣିଷ ଭିତରେ ଭେଦଭାବ, ସଂକୀର୍ଣ୍ଣତା, ଲାଳସା ଏକ ସୁସ୍ଥ ସମାଜ ଗଠନ ଦିଗରେ ଅନ୍ତରାୟ ସୃଷ୍ଟି କରିଥାଏ। ଏକ ଭିନ୍ନ ସମାଜ ତଥା ରାଷ୍ଟ୍ର ଗଠନ ପାଇଁ ଅନେକଙ୍କୁ ବଳିଦାନ ଦେବାକୁ ପଡ଼ିଥାଏ, ଆଉ ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ। ଅନେକ ବାଧାବିଘ୍ନ ସତ୍ତ୍ବେ ଉତ୍କଳ ମାତାର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ସେ ଶେଷ ପର୍ଯ୍ୟନ୍ତ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନଥିଲେ। ମହିଳାଙ୍କୁ ସମ୍ମାନ, ସମସ୍ତଙ୍କ ପାଇଁ ଶିକ୍ଷାକୁ ସେ ଅଗ୍ରାଧିକାର ଦେଇଥିଲେ। ଏପରିକି ମହିଳାଙ୍କ ସମ୍ମାନ ରକ୍ଷା ଲାଗି ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା। ସ୍ୱେଚ୍ଛାଚାରିତା ବିରୋଧରେ ସ୍ୱର ଉତ୍ତୋଳନ କରି ଗୋପବନ୍ଧୁଙ୍କୁ ହଜାରିବାଗ୍‍ ଜେଲ୍‍ରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଥିଲା। ଅନ୍ୟର ଉପକାର ଲାଗି କେତେ ଦିନ ବଞ୍ଚିବା ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ; ବରଂ ଅଳ୍ପାୟୁ ହୋଇ ମଧ୍ୟ ଗୋପବନ୍ଧୁ ଦୁଃସ୍ଥ, ଅସହାୟ, ନିଷ୍ପେସିିତଙ୍କ ଦୁଃଖ ଦୂର ପାଇଁ ଅନେକ କିଛି କରିପାରିଥିଲେ। ତାହାହିଁ ମାନବ ଜୀବନର ସାର୍ଥକତା। ଏହା ସମ୍ଭବ ହୋଇଥିଲା କେବଳ ନିଜ ମାତୃଭୂମି ପ୍ରତି ତାଙ୍କର ଅନୁରକ୍ତି ହେତୁ। ତାଙ୍କର ସେହି ଆଦର୍ଶକୁ ଆଜି ଏହି ଜ୍ୟୋତି ଯାତ୍ରା ମାଧ୍ୟମରେ ପୁନର୍ଜୀବିତ କରିବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ତାହା ଆଗାମୀ ଦିନରେ ନୂଆ ସମ୍ଭାବନାକୁ ଜନ୍ମ ଦେବ ବୋଲି ରାଜ୍ୟପାଳ କହିଥିଲେ।
ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଦେଶ ମାତୃକା ପ୍ରତି ଆମର ଦାୟିତ୍ୱକୁ ସୂଚାଇବା ସହ ପ୍ରତ୍ୟେକ ଲୋକଙ୍କୁ ଯୋଡ଼ିବା ନିମନ୍ତେ ଗୋପବନ୍ଧୁ ଜ୍ୟୋତି ଏକ ଅନନ୍ୟ ପ୍ରୟାସ। ଏଭଳି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଇତିହାସର ପୁନରୁଦ୍ଧାର ପାଇଁ ପ୍ରୟାସ କରାଯାଉଛି। ଉତ୍କଳମଣିଙ୍କ ପ୍ରତିଷ୍ଠିତ ବକୁଳ ବନ ବିଦ୍ୟାଳୟ ଯେଭଳି ଜଣେ ଜଣେ ମନିଷୀ ସୃଷ୍ଟି କରିପାରିଥିଲା ଆଜି ତାହାକୁ ଦୋହରାଇବା ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। ସେପରି ଶିକ୍ଷାଦାନ ପଦ୍ଧତିକୁ ପୁନର୍ବାର ଲାଗୁ କରିବା ପାଇଁ ତର୍ଜମା ଜରୁରୀ ହୋଇପଡ଼ିଛି। ଗୋପବନ୍ଧୁ ଜ୍ୟୋତି ସେ ସମୟର ମାନସିକତାକୁ ପୁଣିଥରେ ଜାଗ୍ରତ କରିବା ସହ ସେବା ମନୋଭାବ ପ୍ରତିଫଳିତ କରିବା ଦିଗରେ ସଫଳ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ଆଶାବ୍ୟକ୍ତ କରିଥିଲେ।
ମୁଖ୍ୟବକ୍ତା ରୂପେ ଯୋଗଦେଇ ଇଣ୍ଡିଆ ଟୁଡେ(ହିନ୍ଦୀ)ର ସମ୍ପାଦକ ଅଂଶୁମାନ ତିୱାରୀ କହିଥିଲେ ଯେ ପରିବର୍ତ୍ତିତ ସମୟରେ କୌଣସି ଏକ ଗଣମାଧ୍ୟମ ଅନୁଷ୍ଠାନ ୧୦୦ ବର୍ଷ ପର୍ଯ୍ୟନ୍ତ ନିଜର ଆଧିପତ୍ୟ ବିସ୍ତାର କରି ଚାଲିବା କମ୍‍ ବଡ଼ କଥା ନୁହଁ। ଆଜି ଏହା ଏକ ଦୁର୍ଲଭ ଅନୁଷ୍ଠାନରେ ପରିଣତ ହୋଇପାରିଛି। ଏହା ସମ୍ଭବ ହୋଇଛି କେବଳ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶ ପାଇଁ। ଭାଷା, ସଂସ୍କୃତି, ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ସାଧାରଣ ଲୋକଙ୍କ ସ୍ୱାଧୀନତା ରକ୍ଷା ଦିଗରେ ‘ସମାଜ’ ଖବରକାଗଜର ନିରନ୍ତର ପ୍ରୟାସ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ବୋଲି ଶ୍ରୀ ତିୱାରୀ କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ସମାଜ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ ଯେ, ରାଷ୍ଟ୍ରବାଦ, ଦେଶ ମାତୃକା ପ୍ରତି ପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗୋପବନ୍ଧୁ ଜ୍ୟୋତି ପ୍ରତିବର୍ଷ ରାଜ୍ୟର ପ୍ରତିଟି ଜିଲା ପରିକ୍ରମା କରି ଲୋକଙ୍କୁ ଯୋଡ଼ିବାର ପ୍ରୟାସ କରୁଛି। ଆଦର୍ଶ ରାଷ୍ଟ୍ର ଗଠନ ପାଇଁ ଆବଶ୍ୟକ ଉପାଦାନ ସମ୍ପର୍କରେ ଅବଗତ କରାଇବାକୁ ଏହି କାର୍ଯ୍ୟକ୍ରମ କରାଯାଉଛି, ଯାହା ସାମ୍ପ୍ରତିକ ସମୟରେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କାରଣ ପରମ୍ପରାକୁ ଛାଡ଼ି ବିକାଶ, ଉନ୍ନତି ଓ ନବୀନତାର କୌଣସି ମୂଲ୍ୟନାହିଁ। ଏହା ହେଉଛି ପରମ୍ପରା ଓ ନବୀନତାର ଯାତ୍ରା। ପ୍ରତିବର୍ଷ ରାଜ୍ୟର କୋଣ ଅନୁକୋଣରେ ଥିବା ଜନତାଙ୍କୁ ଏଥିସହିତ ଯୋଡ଼ିବା ସହିତ ସମାଜ ଗଠନରେ ଅବଦାନ ପାଇଁ ସଫଳ ଶିକ୍ଷକ, ସହିଦଙ୍କ ପରିବାର, ସ୍ୱାଧୀନତା ସଂଗ୍ରାମୀ, ତୃଣମୂଳକସ୍ତରରେ କାର୍ଯ୍ୟ କରୁଥିବା ସରପଞ୍ଚଙ୍କୁ ସମ୍ମାନିତ କରାଯାଉଛି।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଲେ ଯେ ଗୋପବନ୍ଧୁ ଥିଲେ ଜଣେ ପରଶମଣି, ଯାହାଙ୍କ ସଂସ୍ପର୍ଶରେ ଆସି ଅନେକ ବ୍ୟକ୍ତି ମହାନ ପଥରେ ଅଗ୍ରସର ହୋଇଥିଲେ। ତାଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ଯଥାର୍ଥ ଦାବି ବୋଲି ସେ କହିଥିଲେ। ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଗୋପବନ୍ଧୁ ଜ୍ୟୋତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ଓ ରାଜେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜ୍ୟୋତି ଯାତ୍ରା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ପ୍ରାୟୋଜକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ‘ସମାଜ’ର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories