ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅର୍ଶଳା ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥର ତେଲଟ୍ୟାଙ୍କି ନିକଟରେ ଅପରାହ୍ଣରେ ଏକ ଟ୍ରକ ବାଇକ ଉପରକୁ ମାଡି ଯିବାରୁ ଘଟଣା ସ୍ଥଳରେ ହିଁ ଏକ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ କେନ୍ଦୁଝର ପଟୁ ରିମୁଳି ପଟେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିଲା । ଢେଙ୍କିକୋଟ ନିକଟସ୍ଥ କେତାଙ୍ଗ ଗ୍ରାମର ତାପସ ଗିରି (୪୨) ଏବଂ ତାଙ୍କ ସ୍ତ୍ରୀ କୁମୁଦିନୀ ଗିରି (୩୮) ବାଲିବନ୍ଧ ଆଡକୁ ନିଜର ବାଇକରେ ଯାଉଥିଲେ। ଅର୍ଶଳା ତେଲ ଟ୍ୟାଙ୍କି ନିକଟରେ ବାଇକ ପହଞ୍ଚିଥିବା ବେଳେ ପଛ ପଟୁ ଟ୍ରକ ମାଡି ଯିବାରୁ ଘଟଣା ସ୍ଥଳରେ ହିଁ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଟ୍ରକଟି ବାଇକଟିକୁ ୫ଶହ ମିଟର ଦୂରକୁ ଘୋଷାରୀ କରି ନେଇ ଯାଇଥିଲା। ଟ୍ରକ ଡ୍ରାଇଭର ଦୁର୍ଘଟଣା ଘଟାଇବା ପରେ ଦ୍ରୁତ ଗତିରେ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ସ୍ଥାନୀୟ ଜନସାଧାରଣ ବାଲିବନ୍ଧ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ବାଲିବନ୍ଧ ଗ୍ରାମବାସୀ ଦୁର୍ଘଟଣା ଘଟାଇ ଖସି ଯିବାକୁ ଚେଷ୍ଟା କରୁଥିବା ଟ୍ରକକୁ ବାଲିବନ୍ଧ ଠାରେ ଅଟକାଇବାକୁ ସକ୍ଷମ ହୋଇଥିଲେ।
ଗାଡିର ଚାଳକ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଥିବାରୁ ଅକାଳରେ ୨ଟି ଜୀବନ ଚାଲିଗଲା। ଦୁର୍ଘଟଣା ସମ୍ପର୍କରେ ଝୁମ୍ପୁରା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା କିନ୍ତୁ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଆରକ୍ଷୀକୁ ତା କାମ କରିବାରେ ଅସୁବିଧା ସୃଷ୍ଠି ହୋଇଥିଲା। ଦୁର୍ଘଟଣା ଗ୍ରସ୍ଥ ଗାଡିକୁ ଝୁମ୍ପୁରା ଆରକ୍ଷୀ ଜବଦ କରିବା ସହିତ ଗାଡି ଚାଳକଙ୍କୁ ମଧ୍ୟ ଥାନାରେ ଅଟକ ରଖିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ସହିତ ଜାତୀୟ ରାଜପଥକୁ ଜନସାଧାରଣ ଅବରୋଧ ଜାରୀ ରଖିଛନ୍ତି।



