ଗଡ଼ମଧୁପୁର: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନ ଅଞ୍ଜିାର ମୌଜାର ବାଘୁଆ ନାସିରେ ଚାଲିଥିବା ବେଆଇନ ମା’ ପାର୍ବତୀ ଷ୍ଟୋନ କ୍ରସରରେ ଗତ ଗୁରୁବାର ରାତିରେ ଜଣେ ଶ୍ରମିକର ମୃତ୍ୟୁ ଘଟିବା ପରେ ଆଜି ଧର୍ମଶାଳା ତହସିଲ ପକ୍ଷରୁ ଚଢାଉ କରାଯାଇଛି। ଧର୍ମଶାଳା ତହସିଲଦାର ଦେବୀ ପ୍ରସାଦ ମହାନ୍ତି ଆଜି ସଦଳବଳେ ଘଟଣାସ୍ଥଳକୁ ଯିବା ସହିତ ପୁନଃର୍ବାର କ୍ରସରକୁ ସିଲ କରିବା ସହିତ ଅଧିକ ତଦନ୍ତ କରିଛନ୍ତି। ଏଥି ସହିତ ସମାଜକୁ କହିଛନ୍ତି ଯେ ପୂର୍ବରୁ ଏହି ବେଆଇନ କ୍ରସରକୁ ସିଲ କରାଯାଇଥିଲା। ତେବେ ମାଲିକ ବିନା ଅନୁମତିରେ ସିଲ ଭାଙ୍ଗି ଚଳାଉଥିଲା। କ୍ରସର ମାଲିକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ତହସିଲ ପକ୍ଷରୁ ତାଙ୍କ ଉପରେ ମାମଲା ରୁଜୁ କରାଯିବ।
ସୁଚନା ଥାଉକି ଏହି କ୍ରସରରେ ଗତ ଗୁରୁବାର ରାତିରେ ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲା ମାଝ ଗାଁ ଥାନା ଅନ୍ତର୍ଗତ ଗଡକସଣା ଗାଁର ବୁଦ୍ଧିରାମ ପାନଙ୍କର ମୃତ୍ୟୁ ହୋଇଥିଲା। ବୁଦ୍ଧିରାମ ଏହି କ୍ରସରରେ କାର୍ଯ୍ୟ କରୁଥିବା ବେଳେ ହଠାତ କ୍ରସର ହମ୍ପର ଭାଙ୍ଗିଜିବାରୁ ଗୁରୁତର ହୋଇ ମୃତ୍ୟୁ ବରଣ କରିଥିଲା। ଏ ନେଇ ଜେନାପୁର ପୁଲିସ ଅଭିଯୁକ୍ତ କ୍ରସର ମାଲିକ ବାଲିଚନ୍ଦ୍ରପୁର ଥାନା ଅଧିନ କଳାଶ୍ରୀ ଗୋପାଳପୁର ଗ୍ରାମର ପ୍ରଣୟ କୁମାର ସାମଲ(୪୧)କୁ ଗିରଫ କରି କୋର୍ଟ ଚାଲାଣ କରାଥିବା ବେଳେ ଆଜି ତହସିଲଦାରଙ୍କ ତଦନ୍ତ ପରେ ଅଡୁଆ ବଢିଥିବା କୁହାଯାଉଛି। ତେବେ ଏବେ ମଧ୍ୟ ପୁର୍ବରୁ ପ୍ରସାଶନ ପକ୍ଷରୁ ସିଲ କରାଯାଇଥିବା ଏକାଧିକ କ୍ରସର ସିଲ ଭାଙ୍ଗି ପୁନଃର୍ବାର ଚଳାଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।



