www.samajalive.in
Tuesday, December 9, 2025
17.1 C
Bhubaneswar

ଜୟନ୍ତ ମହାପାତ୍ରଙ୍କୁ ସାହିତ୍ୟ ଏକାଡେମୀ ଫେଲୋ

କଟକ : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦ୍ବିଭାଷିକ କବି ଜୟନ୍ତ ମହାପାତ୍ର ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଏକାଡେମୀ ଫେଲୋ’(ମହତ୍ତର ସଦସ୍ୟ) ପାଇବା ପାଇଁ ମନୋନୀତ ହୋଇଛନ୍ତି। ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ କବି ମହାପାତ୍ରଙ୍କୁ ଯୋଗ୍ୟ ବିବେଚନା କରାଯାଇଛି। ପୂର୍ବରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ଓଡ଼ିଶାରୁ ପ୍ରଖ୍ୟାତ ସାହିତ୍ୟିକ କାଳିନ୍ଦୀଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ମନୋଜ ଦାସ, ରମାକାନ୍ତ ରଥ ଓ ସୀତାକାନ୍ତ ମହାପାତ୍ର ଲାଭ କରିଛନ୍ତି।
ଆଜି ଏକାଡେମୀର ସଚିବ ଶ୍ରୀନିବାସ ରାଓଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ନୂଆଦିଲ୍ଲୀସ୍ଥିତ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ଅଧ୍ୟକ୍ଷ ଚନ୍ଦ୍ରଶେଖର କମ୍ବରଙ୍କ ସଭାପତିତ୍ବରେ ସାଧାରଣ ପରିଷଦର ନିର୍ବାଚନ ହୋଇଥିଲା। ଏହି ଅବକାଶରେ ୨୧ଟି ଏକାଡେମୀ ଫେଲୋ ପଦରୁ ଖାଲି ପଡ଼ିଥିବା ଚାରିଟି ପଦ ପୂରଣ ପାଇଁ ନିର୍ବାଚନ ହୋଇଥିଲା। ସାରା ଭାରତବର୍ଷରୁ ୯୦ ଜଣ ସଦସ୍ୟ ୩୦ ଜଣ ସାହିତ୍ୟିକଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସେଥିମଧ୍ୟରୁ ଜୟନ୍ତ ମହାପାତ୍ର(ଓଡ଼ିଆ), ନଗେନ ସାଇକିଆ(ଅହମିଆ), ପଦ୍ମା ସଚଦେବ(ଡୋଗ୍ରୀ) ଓ ଡକ୍ଟର ବିଶ୍ବନାଥ ପ୍ରସାଦ ତିୱାରୀ(ହିନ୍ଦୀ)ଙ୍କୁ ନିର୍ବାଚିତ କରାଯାଇଥିଲା। ଓଡ଼ିଆ ଭାଷା ପରିଷଦର ଆବାହକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ ଓ ସାଧାରଣ ପରିଷଦ ସଦସ୍ୟ ଅମରେଶ ପଟ୍ଟନାୟକ ଆଲୋଚନା ଓ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ।
ଓଡ଼ିଆ ଓ ଇଂରାଜୀ ଭାଷାରେ କବିତା ରଚନା କରି ଜୟନ୍ତ ମହାପାତ୍ର ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିଛନ୍ତି। ଅନୁବାଦକ ଭାବେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି। ସ୍ବଭାବକବି ଗଙ୍ଗାଧର ମେହେରଙ୍କ ‘ତପସ୍ବିନୀ’ କାବ୍ୟକୁ ଡକ୍ଟର ମଧୁସୂଦନ ପତିଙ୍କ ସହିତ ଅନୁବାଦ କରି ଗଙ୍ଗାଧରଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଚାରପ୍ରସାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଳାଇଛନ୍ତି। ତାଙ୍କ ରଚିତ ଓଡ଼ିଆ କବିତା ପୁସ୍ତକ ବଳି, କହିବି ଗୋଟିଏ କଥା, ବାୟା ରଜା, ଛାଇ, ଯଦିବା ଗପଟିଏ ଏବଂ ଇଂରାଜୀ କବିତା ପୁସ୍ତକ କ୍ଲୋଜ ଦ ସ୍କାଏ, ଟେନ୍‍ ବାଏ ଟେନ, ସ୍ୱୟଂମ୍ବର ଆଣ୍ଡ ଅଦର ପଏମ୍‌ସ, ଏ ଫାଦର୍ସ ଆୱାର, ଏ ରେନ୍‍ ଅଫ୍‍ ରିଟେସ୍‍, ୱେଟିଂ, ଦ ଫଲ୍ସ ଷ୍ଟାର୍ଟ, ରିଲେସନ୍‌ସିପ ପାଠକୀୟ ଶ୍ରଦ୍ଧା ଲାଭକରିଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ସେ ଜାକୋବ ଗ୍ଲାଟଷ୍ଟେନ ମେମୋରିଆଲ ଆୱାର୍ଡ, ଆରଏଲ ପୋଏଟ୍ରି ଲାଇଫ୍‍ ଟାଇମ୍‍ ଏଚିଭମେଣ୍ଟ ଆୱାର୍ଡ ଫର ପୋଏଟ୍ରି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଗଙ୍ଗାଧର ମେହେର ସଦଭାବନା ପୁରସ୍କାର, ଓ ପଦ୍ମଶ୍ରୀ ପ୍ରଭୃତି ପୁରସ୍କାର ଲାଭ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories