ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲର ଆକ୍ରମଣ ପୂର୍ବରୁ ଇରାନ ଏହାର ସମସ୍ତ ପରମାଣୁ ସାମଗ୍ରୀକୁ ଲୁଚାଇ ଦେଇଛି। ଏଭଳି ଦାବି କରିଛନ୍ତି ଇରାନ ସେନାର ପୂର୍ବତନ କମାଣ୍ଡର ମୋହସିନ ରେଜାଇ। ରେଜାଇଙ୍କ ଏଭଳି ଦାବି ଏବେ ଇସ୍ରାଏଲ ଏବଂ ଆମେରିକାର ମୁଣ୍ଡ ବ୍ୟଥା ବଢ଼ାଇଛି। କାରଣ ଯେଉଁ ଲକ୍ଷ୍ୟ ନେଇ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି, ତାହା ଯଦି ନିଷ୍ଫଳ ହୁଏ, ତେବେ ଇସ୍ରାଏଲକୁ ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ ନିଶ୍ଚୟ। ଇରାନର ପରମାଣୁ ସାମଗ୍ରୀ ସୁରକ୍ଷିତ ରହିଥିବା ରେଜାଇ କହିଛନ୍ତି।
ରେଜାଇ କହିଛନ୍ତି ଯେ, ଇସ୍ରାଏଲ ଭାବୁଛି ଯେ ଆମ ପରମାଣୁ କେନ୍ଦ୍ରଗୁଡ଼ିକ ନଷ୍ଟ ହୋଇଯାଇଛି। କିନ୍ତୁ ଆମେ ଆକ୍ରମଣ ପୂର୍ବରୁ ସେଠାରୁ ସବୁ ସାମଗ୍ରୀ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦେଇଛୁ। ଇସ୍ରାଏଲ ଆକ୍ରମଣ କରିବା ନେଇ ଆମକୁ ଗତ ମାର୍ଚ୍ଚ ମାସରୁ ତଥ୍ୟ ମିଳିଥିଲା। ଶତ୍ରୁ ଭାବୁଛି ଯେ ନତାଞ୍ଜ, ଇସ୍ଫହାନ, ଖାନଦାବ ଏବଂ ଅରାକ ପରମାଣ କେନ୍ଦ୍ରରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଛି। ମାତ୍ର ଆମେ ସେଠାରୁ ସମସ୍ତ ସାମଗ୍ରୀ ଅନ୍ୟତ୍ର ନେଇଯାଇଛୁ।
ଇରାନ ଜାତୀୟ ସୁରକ୍ଷା ପରିଷଦ ସଦସ୍ୟ ରେଜାଇ ଆହୁରି କହିଛନ୍ତି ଯେ, ବର୍ତ୍ତମାନ କୌଣସି ଯୁଦ୍ଧ ବିରତି ହେବ ନାହିଁ। ଯୁଦ୍ଧ ବିରତି ହେବା ଅର୍ଥ ଶତ୍ରୁକୁ ଆହୁରି ମଜଭୁତ ହେବାକୁ ସୁଯୋଗ ଦେବା। ଆମେ ଆମ ସୈନ୍ୟ କ୍ଷମତାର ୩୦ ପ୍ରତିଶତରୁ କମ୍ ବ୍ୟବହାର କରିଛୁ। ଧୀରେ ଧୀରେ ଯୁଦ୍ଧକୁ ଆହୁରି ତୀବ୍ର କରିବୁ ବୋଲି ସେ କହିଛନ୍ତି।
ତେବେ ରେଜାଇଙ୍କର ଏହି ଦାବି କେତେ ସତ୍ୟ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ମଧ୍ୟରେ ସେ ମିଥ୍ୟା ଦାବି କରିଥିବା ଜଣାପଡ଼ିଛି। ପୂର୍ବରୁ ରେଜାଇ କହିଥିଲେ ଯେ, ଯଦି ଇସ୍ରାଏଲ କେବେ ଇରାନ ଉପରେ ପରମାଣୁ ଆକ୍ରମଣ କରେ, ତେବେ ପାକିସ୍ତାନ ଆମକୁ କହିଛି ଯେ ସେ ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇଦେବ। ମାତ୍ର ପାକିସ୍ତାନ ରେଜାଇଙ୍କ ଏହି ଦାବିକୁ ତତ୍କାଳ ଖଣ୍ଡନ କରିଥିଲା।



