ଧୋନିଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ୨୦୧୧ ବିଶ୍ବକପ୍‌ ଫାଇନାଲ ପରି ସୋମବାର ଆଇପିଏଲ ଫାଇନାଲରେ ଘଡିସନ୍ଧି ମୁହୂର୍ତ୍ତରେ ବ୍ୟାଟିଂ ପାଇଁ ମହେନ୍ଦ୍ର ସିଂହ ଧୋନି ପଡିଆକୁ ଓହ୍ଲାଇବା ବେଳେ ଷ୍ଟାଡିୟମ ପ୍ରକମ୍ପିତ ହୋଇ ଉଠିଥିଲା। ପ୍ରଥମ ବଲ୍‌ରେ ଧୋନି ଆଉଟ୍‌ ହେବା ପରେ ଦର୍ଶକ ସ୍ତମ୍ଭିଭୂତ ହୋଇ ଯାଇଥିଲେ। ଧୋନିଙ୍କ ଭବିଷ୍ୟତ ନେଇ ଏଇଠୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଗତ କିଛି ଦିନ ଧରି ତାଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିବା ବେଳେ ୨୦୨୪ ଆଇପିଏଲ ଖେଳିବା ଧୋନିଙ୍କ ପାଇଁ ସହଜ ନୁହେଁ ବୋଲି ଏହି ସଂସ୍କରଣରେ ତାଙ୍କ ବ୍ୟାଟିଂରୁ ସ୍ପଷ୍ଟ ହୋଇ ଯାଇଥିଲା। ଏବେ ତାଙ୍କ ପାଇଁ ଅବସର ନେବାର ପ୍ରକୃଷ୍ଟ ସମୟ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି। ଚେନ୍ନଇ ସୁପର କିଙ୍ଗ୍‌ସକୁ ୫ମ ଆଇପିଏଲ ଟ୍ରଫି ଜିତାଇ ଧୋନି ସମ୍ମାନର ସହ ହଳଦିଆ ଜର୍ସି ଟାଙ୍ଗିପାରନ୍ତି ବୋଲି ପ୍ରଶଂସକ ଆଶା ବ୍ୟକ୍ତ କରିଛନ୍ତି।

ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବ​‌ା ପରେ ଆଇପିଏଲ ଖେଳିବା ଜାରି ରଖିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପର କିଙ୍ଗ୍‌ସ ଯୁଗ୍ମ ସର୍ବାଧିକ ୫ ଥର ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଛି। ୨୦୨୨ରେ ଧୋନି ଉତ୍ତରାଧିକାରୀ ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ପଦ ଛାଡିଥିଲେ। ଜାଡେଜାଙ୍କ ନେତୃତ୍ବରେ ଚେନ୍ନଇ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଅଧାରୁ ପୁଣି ଧୋନି ଚେନ୍ନଇର ନେତୃତ୍ବ ନେଇଥିଲେ। କିନ୍ତୁ ଚେନ୍ନଇ ଉକ୍ତ ସଂସ୍କରଣରେ ଅନ୍ତିମ ସ୍ଥାନରେ ରହିଥିଲା। ପରେ ଧୋନି ଆଇପିଏଲରୁ ଅବସର ନେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ସବୁ ଆକଳନକୁ ପଛରେ ପକାଇ ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପର କିଙ୍ଗ୍‌ସ ୨୦୨୩ ଆଇପିଏଲ୍‌ ଖେଳି ଦଳକୁ ଚମ୍ପିଆନ୍‌ କରିଛନ୍ତି। ଧୋନି ସବୁଅସମ୍ଭବକୁ ସମ୍ଭବ କରି ପାରିଛନ୍ତି। ଧୋନି ପୁଣି ଥରେ କରିତ୍‌କର୍ମା ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି। ଧୋନି ୧୪ଟି ମ୍ୟାଚ ଖେଳି ୧୩ଟି ଇନିଂସରୁ ୩୩.୧୪ ଆଭ୍‌ରେଜରେ ୨୩୨ ରନ କରିଥିଲେ। ବ୍ୟାଟିଂ ଅପେକ୍ଷା ୱିକେଟ ପଛରେ ଧୋନି ଚମତ୍କାର ପ୍ରଦର୍ଶନ କରିଥିଲେ। ଧୋନି କମ୍‌ ବଲ୍‌ ଖେଳି ଅଳ୍ପ ରନ୍ କରିଥିଲେ ମଧ୍ୟ ଚେନ୍ନଇ ୫ମ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଛି। ଏ​‌େବ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତାବର୍ଷ ୪୨ ବର୍ଷ ବୟସରେ ଧୋନି ଯେ ଆଇପିଏଲ୍‌ ଖେଳିବା ସନ୍ଦେହଜନକ। ତେବେ ଧୋନି ୨୦୨୪ରେ ଖେଳିବାର ନିଷ୍ପତ୍ତି ଜାନୁଆରୀରେ ନେବେ ବୋଲି ଜଣାଇ ସାରିଛନ୍ତି। ୫ମ ଆଇପିଏଲ ଟ୍ରଫି ଜିତିବା ମୋ ପାଇଁ ଉପହାର। ଆଇପିଏଲ ଜୀବନର ଶେଷ ସୋପାନରେ ସଫଳତା ଖୁସିଦେଇଛି। ସିଏସ୍‌କେ ମୋତେ ସର୍ବଦା ସମ୍ମାନ ଦେଇଛି। ଶରୀର ଅନୁମତି ଦେଲେ ଖେଳିବା ପାଇଁ ଚେଷ୍ଟାକରିବି। ଚେନ୍ନଇ ପାଇଁ ରହିଛି ଅାଉ ରହିଥିବି ବୋଲି ଧୋନି କହିଛନ୍ତି। ଧୋନି ଆଇପିଏଲରେ ସର୍ବାଧିକ ୨୫୦ଟି ମ୍ୟାଚ୍‌ ଖେଳିବାରେ ସଫଳ ହୋଇଛନ୍ତି।

Comments are closed.