ଅହମ୍ମଦାବାଦ୍: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ନୂଆ ବିଜେତା ହୋଇଛି। ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି ରଜତ ପଟିଦାରଙ୍କ ନେତୃତ୍ବାଧୀନ ବେଙ୍ଗାଲୁରୁ। ଉତ୍କଣ୍ଠା ଓ ଉତ୍ସାହଭରା ଆଇପିଏଲ-୨୦୨୫ରେ ବେଙ୍ଗାଲୁରୁ ଚମ୍ପିଆନ ଆଖ୍ୟା ଅର୍ଜନ କରିବା ସହିତ ପ୍ରଶଂସକମାନଙ୍କ ବହୁ ପ୍ରତୀକ୍ଷିତ ଆଶାକୁ ପୂରଣ କରିଛି। ବିରାଟ କୋହଲିଙ୍କ ସ୍ବପ୍ନ ପୂରଣ ହୋଇଥିବାବେଳେ ଶ୍ରେୟସ ଆୟରଙ୍କ ପଞ୍ଜାବକୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ଦଳ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିଥିେଲ ମଧ୍ୟ ଟ୍ରଫି ସ୍ବପ୍ନ ପୂରଣ କରିପାରିନାହିଁ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ େବଙ୍ଗାଲୁରୁ ୬ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ପ୍ରଥମ ଆଇପିଏଲ ଟ୍ରଫି ହାତେଇଛି। ବେଙ୍ଗାଲୁରୁ ବିରାଟ କୋହଲିଙ୍କ ୪୩ରନ ବଳରେ ୧୯୦ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ୍ ଶଶାଙ୍କ ସିଂହଙ୍କ ଲଢୁଅା ଅପରାଜିତ ୬୧ରନ ସତ୍ତ୍ବେ ୧୮୪ରନ କରିବାକୁ ସକ୍ଷମ ହୋଇଥିଲା।
୧୯୧ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସର ଦୁଇ ଓପନର ପ୍ରଭସିମ୍ରନ ସିଂହ ଓ ପ୍ରିୟାଂଶ ଆର୍ଯ୍ୟ ଦ୍ରୁତ ଗତିରେ ପିଛା କରିଥିଲେ। ଉଭୟେ ୫ ଓଭରରୁ ୪୩ରନ ସଂଗ୍ରହ କରିଥିଲେ। ପ୍ରିୟାଂଶ ୨୪ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ପ୍ରଭସିମ୍ରନ ଓ ଜୋଶ ଇଙ୍ଗଲିଶ ୨୯ରନ ସଂଗ୍ରହ କରିବା ସହିତ ସ୍କୋରକୁ ୭୨ରନରେ ପହଞ୍ଚାଇଥିଲେ। ପ୍ରଭସିମ୍ରନ ୨୬ରନ କରି ଆଉଟ୍ ହୋଇଥିଲେ। ବେଙ୍ଗାଲୁରୁ ଦୁଇ ଓଭରରେ ଦୁଇଟି ୱିକେଟ ନେଇ ମ୍ୟାଚକୁ ଫେରିଥିଲା। ଇନଫର୍ମ ଶ୍ରେୟସ ଆୟର ମାତ୍ର ୧ରନ କରି ଆଉଟ୍ ହୋଇଥିଲେ। ୯୮ରନରେ ଦଳ ଚତୁର୍ଥ ୱିକେଟ ହରାଇଥିଲା। ଜୋଶ ଇଙ୍ଗଲିଶ ୩୯ରନ କରି ଆଉଟ୍ ହୋଇଥିଲେ। ନେହାଲ ୱାଧେରା ଓ ଶଶାଙ୍କ ସିଂହ ପଞ୍ଚମ ୱିକେଟରେ ୩୮ରନ ସଂଗ୍ରହ କରିଥିଲେ। ସ୍କୋର ୧୩୬ରନ ଥିବାବେଳେ ୱାଧେରା ୧୫ରନ କରି ଆଉଟ୍ ହୋଇଥିଲେ। ପଞ୍ଜାବକୁ ଶେଷ ୪ ଓଭରରେ ୫୫ରନ ଆବଶ୍ୟକ ଥିବାବେଳେ ଶଶାଙ୍କ ଏକାକୀ ଲଢେଇ କରିଥିଲେ ମଧ୍ୟ ଦଳକୁ ବିଜୟ କରାଇ ପାରିନଥିଲେ। ଶେଷରେ ପଞ୍ଜାବ କିଙ୍ଗ୍ସ ୭ ୱିକେଟରେ ୧୮୪ରନ କରିବାକୁ ସକ୍ଷମ ହୋଇଥିଲା। ଶଶାଙ୍କ ୬୧ରନ କରି ଅପରାଜିତ ରହିଥିଲେ। ବେଙ୍ଗାଲୁରୁ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ଓ ଭୁବନେଶ୍ବର କୁମାର ଦୁୂଇଟି ଲେଖାଏଁ ୱିକେଟ ନେଇଥିଲେ।
Tears. Roars. Jubilation 🥹
The emotions of #RCB were raw, real, and 1⃣8⃣ years in the making ❤️#TATAIPL | #RCBvPBKS | #Final | #TheLastMile | @RCBTweets pic.twitter.com/fXVTbfCZFp
— IndianPremierLeague (@IPL) June 3, 2025
ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଆୟୋଜିତ ଫାଇନାଲରେ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ପ୍ରାରମ୍ଭରୁ ୱିକେଟ ହରାଇଥିଲା। ୧୮ରନ ସ୍କୋର ଥିବାବେଳେ ଓପନର ଫିଲ୍ ସଲ୍ଟ ୧୬ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ବିରାଟ କୋହଲି ଓ ମୟଙ୍କ ଅଗ୍ରୱାଲ ୩୮ରନ ଭାଗିଦାରୀ କରିଥିଲେ। ୫୬ରନ ସ୍କୋର ଥିବାବେଳେ ମୟଙ୍କ ୨୪ରନ କରି ଆଉଟ୍ ହୋଇଥିଲେ। ବିରାଟ ଓ ଅଧିନାୟକ ରଜତ ପଟିଦାର ତୃତୀୟ ୱିକେଟରେ ୪୦ରନ ସଂଗ୍ରହ କରିଥିଲେ। ୯୬ରନ ସ୍କୋର ଥିବାବେଳେ ପଟିଦାର ୨୬ରନ କରି ଆଉଟ୍ହୋଇଥିଲେ।
ବିରାଟ ପାଖାପାଖି ୧୫ ଓଭର ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। କୋହଲି ୪୩ରନ କରି ଆଉଟ୍ ହୋଇଥିଲେ। ଲିୟାମ ଲିଭିଙ୍ଗଷ୍ଟୋନ ଓ ଜିତେଶ ଶର୍ମା ୫ମ ୱିକେଟରେ ୩୬ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୬୭ରନରେ ପହଞ୍ଚାଇଥିଲେ। ଲିଭିଙ୍ଗଷ୍ଟୋନ ୨୫ରନ କରି ଆଉଟ୍ ହୋଇଥିଲେ। ବେଙ୍ଗାଲୁରୁ ଜିତେଶ ଶର୍ମା ୨୪ ଓ ରୋମାରିଓ ସୈଫଟଙ୍କ ୧୭ ରନ ବଳରେ ଦଳ ୯ ୱିକେଟରେ ୧୯୦ରନ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଅର୍ଶଦୀପ୍ ସିଂହ ଓ କାଏଲ ଜେମିସନ ୩ଟି ଲେଖାଏଁ ୱିକେଟ ନେଇଥିଲେ। ପୂର୍ବରୁ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ରେ ଓ ପଞ୍ଜାବ ୨୦୧୪ରେ ଫାଇନାଲ ଖେଳି ରନର୍ସଅପ ହୋଇଥିଲା। ସୂଚନାଯୋଗ୍ୟ, ଆଇପିଏଲ-୨୦୨୫ ଗତ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଲାଗି ମେ ୮ ରୁ ୧୬ ପର୍ଯ୍ୟନ୍ତ ମ୍ୟାଚକୁ ସ୍ଥଗିତ କରି ଦିଆଯାଇଥିଲା ପୁନନର୍ବାର ଏକ ସପ୍ତାହ ପରେ ମେ ୧୭ରୁ ଆରମ୍ଭ ହୋଇଥିଲା।
Respect. Legacy. Emotion ❤#RCB skipper Rajat Patidar lifts the trophy and dedicates it where history will remember it most: 𝘪𝘯 𝘝𝘪𝘳𝘢𝘵 𝘒𝘰𝘩𝘭𝘪’𝘴 𝘩𝘢𝘯𝘥𝘴 🥹#TATAIPL | #RCBvPBKS | #Final | #TheLastMile | @RCBTweets | @rrjjt_01 | @imVkohli pic.twitter.com/pKAlx7mrGd
— IndianPremierLeague (@IPL) June 3, 2025



