ନୂଆଦିଲ୍ଲୀ: କରୋନା ଭୂତାଣୁର ବ୍ୟାପକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ ତାରିଖରୁ ଦେଶରେ କୌଣସି ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଅବତରଣ କରିବ ନାହିଁ। ଅର୍ଥାତ ସମସ୍ତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ସେବା ବନ୍ଦ ରହିବ। ଏକ ସପ୍ତାହ ପାଇଁ ଏହି କଟକଣା ଲାଗୁ ହେବ। ଏହା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଏହା ସହିତ କେନ୍ଦ୍ର ସରକାର ଏକ ବିବୃତି ଜାରି କରି ରାଜ୍ୟ ସରକାରମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି। ୬୫ ବଷରୁ ଊର୍ଦ୍ଧ୍ଵ ବୟସର ବରିଷ୍ଠ ନାଗରିକ ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଘରେ ରହିବା ପାଇଁ ରାଜ୍ୟ ସରକାରମାନେ ପରାମର୍ଶ ଦେବାକୁ ବିବୃତିରେ କୁହାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ମେଟ୍ରୋ ଟ୍ରେନ, ଟ୍ରେନ୍, ବସ୍ ଏବଂ ବିମାନଗୁଡ଼ିକ ଚଳାଚଳ ହ୍ରାସ କରିବା ଉଚିତ। ସାମାଜିକ ଦୂରତ୍ଵ ରକ୍ଷା କରିବା ଲାଗି ଗୋଟିଏ ଦିନ ବ୍ୟବଧାନରେ ସେବା ଯୋଗାଇବା ଜରୁରୀ।



