ବିଶ୍ବରେ ଭାରତକୁ ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରତ୍ୟେକ ଦେଶବାସୀଙ୍କର ସହଯୋଗ ଲୋଡା

ଆଠଗଡ:  ବିଶ୍ବରେ ଭାରତକୁ ଏକ ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରତ୍ୟେକ ଦେଶବାସୀଙ୍କର ସହଯୋଗ ଲୋଡା ବୋଲି ଆଠଗଡ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ ଜିଲାପାଳ ପ୍ରଶାନ୍ତ କୁମାର ତରାଇ ମତବ୍ୟକ୍ତ କରିଥିଲେ। ଆଠଗଡ ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ୭୮ତମ ସ୍ବାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟ ଅତିଥି ଉପଜିଲାପାଳ ଶ୍ରୀ ତରାଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଉଦବୋଧନ ଦେଇ ଦେଶ ସ୍ବାଧୀନତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀ ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଏହି ସମାରୋହରେ ଆଠଗଡ ସହରର ସମସ୍ତ ସ୍କୁଲ ଓ କଲେଜର ମୋଟ ୨୨ ଟି ଦଳ ଅଂଶଗ୍ରହଣ କରି ରିଜର୍ଭ ପୁଲିସ ବାହିନୀର ସର୍ଜେଣ୍ଟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନେତୃତ୍ବରେ ଚିତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଓ ସାହସିକତା ପ୍ରଦଶନ କରିଥିବା ବ୍ଯକ୍ତିବିଶେଷଙ୍କୁ ମୁଖ୍ଯଅତିଥି ସମ୍ବର୍ଦ୍ଧିତ କରିଥିଲେ।ସ୍ବାଧୀନତା ଦିବସ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତିପ୍ରତିଯୋଗୀ ଏବଂ ଉତ୍କୃଷ୍ଟ ପ୍ୟାରେଡ ପ୍ରଦର୍ଶନ କରିଥିବା ଦଳଗୁଡିକୁ ପୁରସ୍କୃତ କରାଯାଇଥିଲା।
ଆଠଗଡ ବାଣୀକଣ୍ଠନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସମ୍ପାଦକ ଦେବପ୍ରସାଦ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କମିଟିର ସଭାପତି ଶିକ୍ଷାବିତ ତ୍ରିଲୋଚନ ଦାଶ ନିଜ ବକ୍ତବ୍ଯରେ ସ୍ୱାଧୀନତା ସଂଗ୍ରାମର ଇତିହାସ ବିଷୟରେ ଆଲୋକପାତ କରିବା ସହ ଦେଶମାତୃକା ସେବାରେ ଉତ୍ସର୍ଗୀକୃତ ହେବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସମରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍କୁଲର ସ୍କାଉଟ ଏବଂ ସାଦା ପୋଷାକଧାରୀ ଛାତ୍ରଛାତ୍ରୀ ପ୍ୟାରେଡ ପ୍ରଦର୍ଶନ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଆଠଗଡ ବିଚାର ବିଭାଗୀୟ ଅଦାଲତରେ ଗୁରୁବାର ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ୱେତା ପରିଜା, ଏସଡିଜେଏମ ନରୋଜ କୁମାର ସାହୁ, ଜେଏମଏଫସି ସମ୍ବେଦନା ସନ୍ଦିପଙ୍କ ସମେତ ଆଠଗଡ ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡା, ସମ୍ପାଦକ ବନବିହାରୀ ସାହୁ ଏବଂ ବହୁ ଆଇନଜୀବୀ ଓ ଅଦାଲତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଆଠଗଡରେ ୭୮ତମ ସ୍ଵାଧୀନତା ଦିବସକୁ ସ୍ମରଣୀୟ କରିବା ଏବଂ ଶାନ୍ତିର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଗୁରୁବାର ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସହରର ୭ଟି କ୍ଲବ ଯଥା ସାରା ଆକାଶ କ୍ଲବ, ପଦ୍ମସାହି କ୍ଲବ, ଗୋଲଡେନ କ୍ଲବ, ଫ୍ରେଣ୍ଡସ କ୍ଲବ, ମହାବୀର କ୍ଲବ, ମା ମଙ୍ଗଳା କ୍ଲବ ଓ ଗାନ୍ଧିମାର୍ଗ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବାଇକ୍ ଶୋଭାଯାତ୍ରାରେ ସମ୍ପୃକ୍ତ କ୍ଲବଗୁଡିକର ଶତାଧିକ ସଦସ୍ଯ ଅଂଶଗ୍ରହଣ କରିଥିଲେ । ସହରରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ଓ ଭାଇଚାରା ସଦୃଢ କରିବା ଉଦ୍ଦେଶ୍ଯରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ବାଇକ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ବୋଲି ସାରା ଆକାଶ କ୍ଲବର ସଭାପତି ବିକ୍ରମ ରାୟସାମନ୍ତ ପ୍ରକାଶ କରିଥିଲେ ।
ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟଠାରେ ୭୮ ତମ ସ୍ୱାଧୀନତା ଦିବସ ଆଠଗଡ   ପାଳିତ ହୋଇଯାଇଛି | ସଙ୍ଘର ସଭାପତି ଇଂ ଶିବପ୍ରସାଦ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ନିଜ ଅଭିଭାଷଣରେ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀମାନଙ୍କର ବଳିଦାନକୁ ସ୍ମରଣ କରିବା ସହ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ଗିରୀଶ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ କ୍ଲବର ବହୁ ବରିଷ୍ଠ ନାଗରିକ ଓ ସଦସ୍ୟ ଉପସ୍ଥିତ ହୋଇ ଦେଶକୁ ଆଗେଇ ନେବାରେ ବରିଷ୍ଠ ନାଗରିକମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ସଙ୍ଗଠନ ସମ୍ପାଦକ ହେମନ୍ତ କୁମାର ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ମୁଖ୍ଯଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ଅଧ୍ୟକ୍ଷ ଡଃ ସାହୁ ସ୍ବାଧୀନତାର ୭୭ ବର୍ଷ ମଧ୍ଯରେ ଭାରତ ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି ଏବଂ ଦେଶକୁ ବିକାଶର ଶୀର୍ଷରେ ପହଞ୍ଚାଇବା ଲାଗି ଛାତ୍ରଛାତ୍ରୀ ଓ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ । ଏନସିସି ଅଧିକାରୀ ଅଧ୍ୟାପକ ସୌମ୍ୟକାନ୍ତ ସେନାପତି, ରେଞ୍ଜର ଲିଡର ପ୍ରାଧ୍ୟାପିକା ଡଃ ସୁରେଖା ଦାସ ଓ ରୋଭର ଲିଡର ଶୁଭଦର୍ଶନ ମହାପାତ୍ରଙ୍କ ପରିଚାଳନାରେ ଏନସିସି, ସ୍କାଉଟ୍, ଗାଇଡ ଓ ସାଦା ପୋଷାକଧାରୀ ପ୍ୟାରେଡ ପ୍ରଦର୍ଶନ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments are closed.