ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲ ପାଇଁ ଅନେକ ପଦକ୍ଷେପ ବିଷୟ ଘୋଷଣା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ସୀତାରମଣ କହିଛନ୍ତି, ପୁଞ୍ଜି ବଜାରରେ ନିବେଶକୁ ଉତ୍ସାହିତ କରିବା ସକାଶେ ୨୦୧୯ ଅର୍ଥନୈତିକ ଦୁଇ ନମ୍ବର ଆଇନ୍ ଜରିଆରେ ଲାଗୁ ବର୍ଦ୍ଧିତ ଉପକରକୁ ପ୍ରତ୍ୟାହାର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ମିଆଦି ଓ ସ୍ୱଳ୍ପକାଳୀନ ଅଂଶଧନ ବଦଳି ଓ ୟୁନିଟ୍ଗୁଡ଼ିକ ଉପରେ ଏହା କାର୍ଯ୍ୟକାରୀ ହେବ। ଉଦ୍ୟୋଗ, ସାମାଜିକ, ଉତ୍ତରଦାୟୀତା ଲଙ୍ଘନ କ୍ଷେତ୍ରରେ ବର୍ତ୍ତମାନ ଦିୱାନୀ ମାମଲା ଭାବେ ବିବେଚିନା କରାଯିବ। ପୂର୍ବରୁ ଏହା ଫୌଜଦାରୀ ମାମଲା ଭାବେ ବିବେଚନା କରାଯାଉଥିଲା।
ଟିକସ ସଂକ୍ରାନ୍ତୀୟ ସମସ୍ତ ନୋଟିସ୍ ଓ ନିର୍ଦ୍ଦେଶନାମା ଏଣିକି କମ୍ପ୍ୟୁଟର ବ୍ୟବସ୍ଥା ମାଧ୍ୟମରେ କେନ୍ଦ୍ରୀଭୂତ କରାଯିବ। ଷ୍ଟାର୍ଟଅପଗୁଡିକର ସମସ୍ୟା ଦୂର କରିବା ପାଇଁ ସି.ବି.ଡି.ଟି.ର ଜଣେ ସଦସ୍ୟଙ୍କ ଅଧୀନରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯିବ। ଷ୍ଟାର୍ଟଅପ କମ୍ପାନୀଗୁଡ଼ିକର ଆୟକର ବିବାଦ ସମାଧାନ ପାଇଁ ଏହି ସେଲ୍ କାମ କରିବ। ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡ଼ିକୁ ପାଞ୍ଚ ଲକ୍ଷ କୋଟି ଟଙ୍କା ନଗଦି ଦିଆଯାଇ ସେମାନଙ୍କର ଋଣ ପ୍ରଦାନ କ୍ଷମତାକୁ ବୃଦ୍ଧି କରାଯିବ। ଏଥିଲାଗି ଅତିରିକ୍ତ ୭୦ହଜାର କୋଟି ଟଙ୍କା ପୂର୍ବରୁ ଦିଆଯାଇଛି।
ସୀତାରମଣ କହିଛନ୍ତି, ଅନ୍ୟ ଦେଶ ତୁଳନାରେ ଭାରତର ବିକାଶ ଦର ଉଚ୍ଚ ସ୍ଥରରେ ରହିଛି। ଆମେରିକା ଓ ଚୀନ ଭଳି ଉନ୍ନତ ଦେଶମାନଙ୍କଠାରୁ ଏହି ବିକାଶ ଦର ଅଧିକ ଥିବା ସେ କହିଛନ୍ତି।



