www.samajalive.in
Monday, December 8, 2025
17.1 C
Bhubaneswar

କଦଳୀ, ସଂରକ୍ଷିତ ରେଳବଗି ବନ୍ଦୋବସ୍ତ କରିବାକୁ ଭାରତୀୟ କ୍ରିକେଟରଙ୍କ ଦାବି

ନୂଆଦିଲ୍ଲୀ : ଆସନ୍ତାବର୍ଷ ୩୦ ମେ’ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଇଂଲଣ୍ଡରେ ଆଇସିସି ବିଶ୍ୱକପ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେବ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ସମୟରେ ଭାରତୀୟ ଦଳକୁ ପର୍ଯ୍ୟାପ୍ତ ପରିମାଣର କଦଳୀ ସମେତ ସଂରକ୍ଷିତ ରେଳବଗି ଯୋଗାଇ ଦେବାକୁ ଖେଳାଳିଙ୍କ ପକ୍ଷରୁ ବିସିସିଆଇ ପ୍ରଶାସକ କମିଟି ସମ୍ମୁଖରେ ଦାବି ଉପସ୍ଥାପନ କରାଯାଇଛି। ଚଳିତମାସ ଦ୍ୱିତୀୟ ସପ୍ତାହରେ ହାଇଦରାବାଦରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଥିବାବେଳେ ଆଗାମୀ ବିଶ୍ୱକପ ପ୍ରସ୍ତୁତି ସଂକ୍ରାନ୍ତରେ ଭାରତୀୟ ଦଳର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧିନାୟକ ବିରାଟ କୋହଲି, ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ, ଦିନିକିଆ ଉପଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ମନୋନୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଯୋଗଦେଇଥିଲେ।
ଚଳିତବର୍ଷ ଜୁଲାଇ-ଅଗଷ୍ଟରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିଲା। ତେବେ ଗସ୍ତ ସମୟରେ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଭାରତୀୟ ଖେଳାଳିଙ୍କ ମନପସନ୍ଦ ଫଳ କଦଳୀ ଯୋଗାଇ ଦିଆଯାଇନଥିଲା ବୋଲି ବୈଠକରେ କୋହଲି ମତବ୍ୟକ୍ତ କରିଥିଲେ। ଏଥିଯୋଗୁଁ ଇଂଲଣ୍ଡରେ ଭାରତୀୟ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିଥିଲା। ପୁନଶ୍ଚ ଆଗାମୀ ବିଶ୍ୱକପ ସମୟରେ ଭାରତୀୟ ଖେଳାଳି ଇଂଲଣ୍ଡରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ରେଳଗାଡିରେ ଯିବାକୁ ପସନ୍ଦ କରିଛନ୍ତି। ତେଣୁ ବିଶ୍ୱକପ ସମୟରେ ଭାରତୀୟ ଖେଳାଳିଙ୍କ ଯାତାୟାତ ପାଇଁ ସଂରକ୍ଷିତ ରେଳବଗି ବନ୍ଦୋବସ୍ତ କରିବାକୁ ପ୍ରଶାସକ କମିଟିକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହୋଇପାରେ ବୋଲି ପ୍ରଶାସକ କମିଟି ଆଶଙ୍କା ପ୍ରକାଶ କରିଛି। ଖେଳାଳିଙ୍କ ନିରାପତ୍ତା ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କୁ ବିମାନରେ ଯାତାୟାତ କରିବାକୁ ବ୍ୟବସ୍ଥା କରାଯାଇଥାଏ। ଖେଳାଳିଙ୍କ ନିରାପତ୍ତା ଦୃଷ୍ଟିରୁ ପ୍ରଶାସକ କମିଟି ପ୍ରଥମେ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା। ତେବେ ଇଂଲଣ୍ଡ ଖେଳାଳି ସେମାନଙ୍କ ଦେଶରେ ଟ୍ରେନରେ ଯାତ୍ରା କରୁଥିବାବେଳେ ଏହି ସୁବିଧା ଭାରତୀୟ ଖେଳାଳିଙ୍କୁ କାହିଁକି ନ ମିଳିବ ବୋଲି କୋହଲି ବୈଠକରେ ଯୁକ୍ତି ଦର୍ଶାଇଥିଲେ। ଭାରତୀୟ ଖେଳାଳି ଟ୍ରେନରେ ଯାତ୍ରାକଲେ ଭାରତୀୟ ପ୍ରଶଂସକକୁ ସମ୍ଭାଳିବା କଷ୍ଟକର ହୋଇପଡିବ ବୋଲି ପ୍ରଶାସକ କମିଟି ହୃଦୟଙ୍ଗମ କରୁଥିଲେ ସୁଦ୍ଧା ଏହି ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡିଛି। ଏଥିପାଇଁ କମିଟି କିନ୍ତୁ ଏକ ସର୍ତ୍ତ ରଖିଛି। ଟ୍ରେନରେ ଯାତ୍ରା ସମୟରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ବିସିସିଆଇ କର୍ତ୍ତୃପକ୍ଷ କିମ୍ବା ପ୍ରଶାସକ କମିଟି ଦାୟୀ ରହିବେ ନାହିଁ ବୋଲି କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାବ୍ୟତୀତ ବିଶ୍ୱକପ ସମୟରେ ପତ୍ନୀଙ୍କୁ ସାଙ୍ଗରେ ରହିବାର ଅନୁମତି ଦେବାକୁ ଖେଳାଳିମାନେ ଦାବି କରିଛନ୍ତି। ଅତୀତରେ ବିଦେଶ ଗସ୍ତ ସମୟରେ କେତେକ ଭାରତୀୟ କ୍ରିକେଟର ସେମାନଙ୍କ ପତ୍ନୀଙ୍କୁ ଅଲଗାଭାବେ କାର୍‍ରେ ବୁଲାଉଥିବାର ଦୃଷ୍ଟାନ୍ତ ରହିଛି। ତେଣୁ ବିଶ୍ୱକପ ସମୟରେ ଭାରତୀୟ ଖେଳାଳିଙ୍କ ପତ୍ନୀଙ୍କୁ ଗୋଟିଏ ବସ୍‍ରେ ଏକାଠି ଯାତ୍ରା ବ୍ୟବସ୍ଥା କରିବାକୁ ପ୍ରଶାସକ କମିଟି ଚିନ୍ତା କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories