www.samajalive.in
Monday, December 8, 2025
27.1 C
Bhubaneswar

ରୋହିତ, ରାୟୁଡୁଙ୍କ ଶତକ; ଭାରତର ବିପୁଳ ବିଜୟ

ମୁମ୍ବଇ : ଚଳିତ ଦିନିକିଆ ସିରିଜ୍‍ର ପ୍ରଥମ ୩ଟି ମ୍ୟାଚ୍‍ ସଂଘର୍ଷପୂର୍ଣ୍ଣ ହେବା ପରେ ସୋମବାର ୪ର୍ଥ ଦିନିକିଆକୁ ଏକତରଫା ଭାବେ ଭାରତ ଜିତିନେଇଛି। ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାରକରି ଭାରତ ୨୨୪ ରନ୍‍ରେ ବିପୁଳ ବିଜୟ ହାସଲ କରିଛି। ଭାରତୀୟ ଦିନିକିଆ ଇତିହାସରେ ଏହା ୩ୟ ସର୍ବାଧିକ ରନ୍‍ ବ୍ୟବଧାନରେ ବିଜୟ ଏବଂ ଏକ ଟେଷ୍ଟ ଖେଳୁଥିବା ଦେଶ ବିପକ୍ଷରେ ସର୍ବାଧିକ ରନ୍‍ ବ୍ୟବଧାନରେ ବିଜୟ। ରୋହିତ ଶର୍ମା ଓ ଅମ୍ବତି ରାୟୁଡୁଙ୍କ ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂକରି ୫ ୱିକେଟରେ ବିଶାଳ ୩୭୭ ରନ୍‍ ସ୍କୋର୍‍ କରିଥିଲା। ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୱେଷ୍ଟଇଣ୍ଡିଜ୍‍ ୩୬.୨ ଓଭରରେ ୧୫୩ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ଏହି ମ୍ୟାଚ୍‍ ଜିତି ଭାରତ ସିରିଜ୍‍ରେ ୨-୧ରେ ଆଗୁଆ ହୋଇଛି ଏବଂ ସିରିଜ୍‍ରେ ଏହା ଅପରାଜିତ ରହିବା ନିଶ୍ଚିତ କରିଛି। ୧ରେ ୫ମ ତଥା ଅନ୍ତିମ ଦିନିକିଆ ଖେଳାଯିବ।
୩୭୮ ରନ୍‍ର ପିଛା କରିଥିବା ୱେଷ୍ଟଇଣ୍ଡିଜ୍‍ ଦୟନୀୟ ବ୍ୟାଟିଂ କରିଥିଲା। ଓପ୍‍ନର କୈରନ୍‍ ପୱେଲ ୪ ଓ ସିରିଜ୍‍ରେ ଅନ୍ୟତମ ସଫଳ ବ୍ୟାଟ୍‍ସମ୍ୟାନ ସାଇ ହୋପ୍‍ ବିନା ସ୍କୋର୍‍ରେ ରନ୍‍ଆଉଟ ହୋଇଥିଲେ। ଓପ୍‍ନର ଚନ୍ଦ୍ରପଲ ହେମରାଜ ୧୪ ରନ୍‍କରି ବିଦାୟ ନେଇଥିଲେ। ପରେ ଯୁବ ବାମହାତି ପେସ୍‍ ବୋଲର ଖଲିଲ ଅହମ୍ମଦ କ୍ରମାଗତ ୩ଟି ୱିକେଟ ନେଇ ୱେଷ୍ଟଇଣ୍ଡିଜ୍‍ର ମଧ୍ୟକ୍ରମକୁ ଧ୍ୱସ୍ତ କରିଥିଲେ। ଅଭିଜ୍ଞ ମାର୍ଲନ ସାମୁଏଲ୍‍ସ ୧୮, ସିରିଜ୍‍ରେ ୱେଷ୍ଟଇଣ୍ଡିଜ୍‍ର ସଫଳତମ ବ୍ୟାଟ୍‍ସମ୍ୟାନ୍‍ ସିମ୍ରନ୍‍ ହେତ୍‍ମାୟର ୧୩ ଓ ରୋଭ୍‍ମ୍ୟାନ ପୱେଲ ୧ ରନ୍‍କରି ଖଲିଲ୍‍ଙ୍କ ଶିକାର ହୋଇଥିଲେ। ଫାବିଏନ୍‍ ଆଲେନ୍‍ ୧୦ ରନ୍‍କରି ଆଉଟ ହେବା ବେଳକୁ ଇଣ୍ଡିଜ୍‍ର ସ୍କୋର୍‍ ଥିଲା ୭ ୱିକେଟରେ ୭୭ ରନ୍‍। ପରେ ଅଧିନାୟକ ଜେସନ୍‍ ହୋଲ୍‍ଡର ଦଳକୁ ଲଜ୍ଜାଜନକ ପରାଜୟରୁ ବଞ୍ଚାଇବା ପ୍ର୍ରୟାସ କରିଥିଲେ। ହୋଲ୍‍ଡର ଓ କିମୋ ପଲ୍‍ଙ୍କ ଯୋଗୁଁ ଇଣ୍ଡିଜ୍‍ ବିଶ୍ୱରେକର୍ଡ ସର୍ବାଧିକ ରନ୍‍ରେ ପରାଜୟ (୨୯୦)କୁ ଏଡ଼ାଇ ପାରିଥିଲା। ହୋଲ୍‍ଡର-ପଲ୍‍ ୩୧ ରନ୍‍ ଯୋଡ଼ିବା ପରେ କିମୋ ପଲ୍‍ ୨ଟି ଛକା ସହ ୧୯ ରନ୍‍କରି ଆଉଟ ହୋଇଥିଲେ। ହୋଲ୍‍ଡର ଅର୍ଦ୍ଧଶତକ ହାସଲକରି ୫୪ ରନ୍‍ରେ ଅପରାଜିତ ଥିଲେ। ଖଲିଲ ଅହମ୍ମଦ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିଲେ। ରୋହିତ ଶର୍ମା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଟସ୍‍ ଜିତି ଭାରତ ବ୍ୟାଟିଂ ନେବା ପରେ ଏହାର ଓପ୍‍ନିଂ ଯୋଡ଼ି ୭୧ ରନ୍‍ କରିଥିଲେ। ଚଳିତ ସିରିଜ୍‍ରେ ଏହା ସର୍ବାଧିକ ଓପ୍‍ନିଂ ଭାଗିଦାରୀ। ଦର୍ଶନୀୟ ବ୍ୟାଟିଂ କରୁଥିବା ଶିଖର ଧାୱନ୍‍ ପୁଣିଥରେ ୱିକେଟ ଫିଙ୍ଗିଥିଲେ। ଏହି ବାମହାତି ୪୦ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୮ ରନ୍‍ କରିଥିଲେ। ସିରିଜ୍‍ର ପ୍ରଥମ ୩ଟିଯାକ ମ୍ୟାଚ୍‍ରେ ଶତକ ମାରିଥିବା ଅଧିନାୟକ ବିରାଟ କୋହଲି ୧୬ ରନ୍‍କରି ଆଉଟହେବା ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‍ଙ୍କ ଦର୍ଶକଙ୍କୁ କିଛି ସମୟ ପାଇଁ ସ୍ତବ୍‍ଧ କରି ଦେଇଥିଲା। ୧୦୧ ରନ୍‍ରେ ୨ଟି ୱିକେଟ ପଡ଼ିଯିବା ପରେ ଓପ୍‍ନର ରୋହିତ ଶର୍ମା ଚମତ୍କାର ଷ୍ଟ୍ରୋକ୍‍ ଖେଳି ସ୍କୋର୍‍କୁ ଆଗକୁ ବଢ଼ାଇ ଚାଲିଥିଲେ। ଅମ୍ବତି ରାୟୁଡୁ ସେଟ୍‍ ହେବା ପରେ ମଧ୍ୟ ରନ୍‍ଭୋଜିରେ ମାତିଥିଲେ। ଫଳରେ ୩ୟ ୱିକେଟ ପାଇଁ ରୋହିତ-ରାୟୁଡୁ ୨୧୧ ରନ୍‍ର ବିଶାଳ ଭାଗିଦାରୀ କରିଥିଲେ। ଏହି କ୍ରମରେ ଦୁହେଁ ଶତକ ହାସଲ କରିଥିଲେ। ଚଳିତ ସିରିଜ୍‍ରେ ୨ୟ ତଥା ଜୀବନର ୨୧ତମ ଦିନିକିଆ ଶତକ ହାସଲ କରିଥିବା ରୋହିତ ଶର୍ମା ୧୩୭ ବଲ୍‍ରୁ ୪ଟି ଛକା ଓ ୨୦ଟି ଚୌକା ସହ ୧୬୨ ରନ୍‍କରି ଆଉଟ ହୋଇଥିଲେ। ରାୟୁଡୁ ଜୀବନର ୩ୟ ଦିନିକିଆ ଶତକ ପୂରଣ କରିଥିଲେ। ୩୩ ବର୍ଷ ବୟସ୍କ ରାୟୁଡୁ ୮୧ ବଲ୍‍ରୁ ୪ଟି ଛକା ଓ ୮ଟି ଚୌକା ସହ ୧୦୦ ରନ୍‍କରି ରନ୍‍ଆଉଟ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ୧୫ ବଲ୍‍ରୁ ୨୩ ରନ୍‍ କରିଥିଲେ। କେଦାର ଯାଦବ ୭ଟି ବଲ୍‍ରୁ ୩ଟି ଚୌକା ସହ ୧୬ ରନ୍‍କରି ଅପରାଜିତ ଥିଲେ। କିମାର ରୋଚ୍‍ ୨ଟି ୱିକେଟ ପାଇଥିଲେ। ଶେଷ ୧୩ ଓଭରରୁ ଭାରତ ୧୫୦ ରନ୍‍ ସ୍କୋର୍‍ କରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories