ଭାରତ-ଆଫ୍‌ଗାନିସ୍ତାନ ପ୍ରଥମ ଟ୍ବେଣ୍ଟି୨୦ – ଖେଳିବେ ନାହିଁ କୋହଲି, ରୋହିତଙ୍କ ଉପରେ ନଜର

ମୋହାଲି : ଜୁନ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଅନ୍ତିମ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଯାଉଛି ଭାରତ। ଗୁରୁବାର ଭାରତ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଶୃଙ୍ଖଳାକୁ ବିଶ୍ବକପ୍‌ ପୂର୍ବରୁ ଖେଳାଳିଙ୍କୁ ପରଖିବା ଲାଗି ଅନ୍ତିମ ସୁଯୋଗ ବୋଲି କୁହା ଯାଇପାରେ। ତେବେ ପ୍ରକୃତ କଥା ହେଲା ଆଫ୍‌ଗାନିସ୍ତାନର ପ୍ରମୁଖ ଖେଳାଳି ଏବଂ ସମସ୍ତ ଭାରତୀୟ ଖେଳାଳି ମାର୍ଚ୍ଚରୁ ୨ ମାସ ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ବଡ଼ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ଖେଳିବାରେ ବ୍ୟସ୍ତ ରହିବେ। ଏହା ସେମାନଙ୍କୁ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ କରିବ ଏବଂ ଦଳ ମନୋନୟନରେ ସହାୟକ ହେବ। ସୂଚନାଯୋଗ୍ୟ; ଏହି ଶୃଙ୍ଖଳା ଆଫ୍‌ଗାନିସ୍ତାନ ଓ ଭାରତ ମଧ୍ୟରେ ସର୍ବପ୍ରଥମ ସୀମିତ ଓଭର ଶୃଙ୍ଖଳା ହେବ।

କୋହଲି ପ୍ରଥମ ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ ତେବେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ବ କରିବେ ବୋଲି ଦ୍ରାବିଡ଼ ସ୍ପଷ୍ଟ କରି ଦେଇଛନ୍ତି। ଶୃଙ୍ଖଳାରେ ହାରଜିତ ଅପେକ୍ଷା ଦୁଇ ପୁରୁଖା ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବ୍ୟକ୍ତିଗତ କାରଣରୁ ଦୀର୍ଘ ୧୪ ମାସ ପରେ ଉଭୟ ବ୍ୟାଟିଂ ମହାରଥୀ ଭାରତୀୟ ଟ୍ବେଣ୍ଟି୨୦ ଦଳକୁ ଫେରିଛନ୍ତି।

ଇଂଲଣ୍ଡଠାରୁ ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ସେମିଫାଇନାଲ ହାରିବା ପରେ ଦୁହେଁ ଭାରତ ପାଇଁ ଟି୨୦ ଖେଳିନାହାନ୍ତି। ଗତ କିଛି ଶୃଙ୍ଖଳାରେ ଭାରତ ଟ୍ବେଣ୍ଟି୨୦ରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଥିବା ବେଳେ ଆସନ୍ତା ବିଶ୍ବକପ୍‌କୁ ଦେଖି ରୋହିତ ଓ କୋହଲି ଦଳରେ ସାମିଲ ହୋଇଛନ୍ତି। ଏହି ଶୃଙ୍ଖଳା​‌େ​‌ର ରୋହିତ ନେତୃତ୍ବ ନେବାକୁ ଯାଉଥିବା ବେଳେ ବିଶ୍ବକପ୍‌ରେ ମଧ୍ୟ ସେ ନେତୃତ୍ବ ନେଇପାରନ୍ତି। ପୁଣି ରୋହିତଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ନେତୃତ୍ବରୁ କାଢ଼ିିବା ପରେ ବ୍ୟାଟିଂ ଓ ନେତୃତ୍ବରେ ପ୍ରଭାବଶାଳୀ ପ୍ରଦର୍ଶନ କରିବାକୁ ସେ ଚାହିଁବେ। ପରୋକ୍ଷରେ ସୂଚନା ମିଳିଛି ଯେ ଆଫ୍‌ଗାନିସ୍ତାନ ବିପକ୍ଷ ଶୃଙ୍ଖଳା ସହ ଆଇପିଏଲ୍‌ ପ୍ରଦର୍ଶନ ଅନୁସାରେ ୧୫ ଜଣିଆ ଭାରତୀୟ ଟ୍ବେଣ୍ଟି୨୦ ଦଳ ମନୋନୟନ କରାଯିବ। କାନ୍ଧରେ ଅ​‌େ​‌ସ୍ତ୍ରାପଚାର କରାଇଥିବା ଆଫ୍‌ଗାନିସ୍ତାନର ତାରକା ସ୍ପିନର ରସିଦ୍‌ ଖାଁ ଏହି ଶୃଙ୍ଖଳାରେ ଖେଳିବେ ନାହିଁ। ତେଣୁ ବଡ଼ ରନ୍‌ ସ୍କୋର୍‌ କରିବାର ସୁଯୋଗ ରୋହିତ ଓ କୋହଲିଙ୍କ ପାଖରେ ରହିଛି। ଏଣେ ରସିଦ୍‌ଙ୍କ ଅନୁପସ୍ଥିତିରେ ଭଲ ପ୍ରଦର୍ଶନ କରିବାକୁ ଆଫ୍‌ଗାନିସ୍ତାନ ଅଧିନାୟକ ଇବ୍ରାହିମ୍‌ ଜାଦ୍ରାନ୍ ସାଥୀ ଖେଳାଳିଙ୍କୁ ଆହ୍ବାନ ଜଣାଇଛନ୍ତି। ପଞ୍ଜାବରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହା ଖେଳାଳିଙ୍କୁ ପ୍ରଭାବିତ କରିପାରେ।

ପଢନ୍ତୁ ଆଜି ରାଶିଫଳ-ଏହି ରାଶିଙ୍କ ଶୁଭଫଳ

ରୋହିତଙ୍କ ସହ ଶୁବ୍‌ମାନ ଗିଲ୍‌ ଇନିଂସ ଓପନ୍‌ କରିବେ। ତିଳକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମ୍‌ସନ ଓ ଶିବମ୍‌ ଦୁବେ ମଧ୍ୟକ୍ରମ ସମ୍ଭାଳି ପାରନ୍ତି। ହାର୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ନ ଥିବାରୁ ଶିବମ୍ ଓ ରିଙ୍କୁ ଖେଳିବେ। ଅର୍ଶଦୀପ ସିଂହ, ଆଭେସ୍ ଖାଁ ଓ ମୁକେଶ କୁମାର ୩ ପେସ୍‌ ବୋଲର ଦାୟିତ୍ବ ସମ୍ଭାଳିବେ। ସ୍ପିନର ଭାବେ କୁଲଦୀପ ଯାଦବଙ୍କ ସହ ଅକ୍ଷର ପଟେଲ, ରବି ବିଷ୍ଣୋଇ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ୨ ଜଣ ଖେଳିବେ। ଭାରତ ସହଜରେ ଏହି ଶୃଙ୍ଖଳା ଜିତିବ ବୋଲି କୁହା ଯାଉଥିଲେ ହେଁ କଡ଼ା ମୁକାବିଲା ଦେଇପାରେ ଆଫ୍‌ଗାନିସ୍ତାନ। ଗତ ଦିନିକିଆ ବିଶ୍ବକପ୍‌ରେ କିଛି ଶକ୍ତିଶାଳୀ ଦଳଙ୍କୁ ଏହା ପରାସ୍ତ କରିଥିଲା ଏବଂ ସେମିଫାଇନାଲ ଖେଳିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା। ମୁଜିବ୍‌ ଉର୍ ରେହ୍‌ମାନ, ଫଜଲହକ୍ ଫାରୁକି ଓ ନବିନ ଉଲ୍‌ ହକ୍‌ ଦଳର ୩ ପ୍ରମୁଖ ବୋଲର। ଅଜ୍‌ମତୁଲ୍ଲା ଓମରଜାଇ ଦଳର ପ୍ରମୁଖ ଅଲ୍‌ରାଉଣ୍ଡର। ରସିଦ୍‌ଙ୍କ ସ୍ଥାନରେ ସ୍ପିନର ଭାବେ ନୁର୍ ଅହମ୍ମଦ ଖେଳିପାରନ୍ତି। ଅଧିନାୟକ ଇବ୍ରାହିମ୍ ଜାଦ୍ରାନ୍, ରହମନୁଲ୍ଲା ଗୁରବାଜ, ମହମ୍ମଦ ନବି, ରହମତ୍ ଶାହା ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ରହିଛନ୍ତି।

Comments are closed.