କୋହଲି ଧମାକା, ଭାରତ ବିଜୟୀ

0

ସେଞ୍ଚୁରିଅନ୍‌: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ଅନ୍ତିମ ଦିନିକିଆରେ ୮ ୱିକେଟ୍‌ରେ ପରାସ୍ତ କରି ଭାରତ ଦିନିକିଆ ସିରିଜ୍‌କୁ ଭାରତ ୫-୧ରେ ଜିତି ନେଇଛି । କୋହଲି ନିଜ କ୍ୟାରିୟର୍‌ର ୩୫ତମ ଶତକ ହାସଲ କରିଛନ୍ତି । ବିଜୟୀ ହେବାକୁ ଭାରତ ସମ୍ମୁଖରେ ୨୦୫ ରନ୍‌ର ଲକ୍ଷ୍ୟ ରହିଥିବା ବେଳେ ଭାରତ ୩୨.୧ ଓଭରରେ ୨ ୱିକେଟ୍‌ ହରାଇ ୨୦୬ ରନ୍‌ ସଂଗ୍ରହ କରି ବିଜୟୀ ହୋଇଛି । ଅଧିନାୟକ କୋହଲି ୧୯ ଚୌକା ଓ ୨ଟି ଛକା ସହାୟତାରେ ୧୨୯ ଓ ରାହାଣେ ୩ଟି ଚୌକା ସହାୟତାରେ ୩୪ ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ । ଓପନର୍‌ ଶିଖର ଧାୱନ୍‌ ୨ଟି ଚୌକା ସହାୟତାରେ ୧୮ ରନ୍‌ କରି ଏନ୍‌ଗିଡିଙ୍କ ବଲରେ ଆଉଟ୍‌ ହୋଇଥିବା ବେଳେ ରୋହିତ ଶର୍ମା ୩ଟି ଚୌକା ସହାୟତାରେ ୧୫ ରନ୍‌ କରି ଏନ୍‌ଗିଡିଙ୍କ ଶିକାର ହୋଇଥିଲେ । କୋହଲିଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ଫ୍ଲେୟାର ଅଫ୍‌ ଦି ସିରିଜ୍‌ ଭାବେ ବିବେଚିତ ହୋଇଛନ୍ତି ।
୬ଷ୍ଠ ଦିନିକିଆରେ ଦକ୍ଷିଣ ଆଫି୍ରକା ବ୍ୟାଟସମ୍ୟାନ୍‌ମାନେ ଭାରତୀୟ ବୋଲରଙ୍କୁ ମୁକାବିଲା କରିନପାରିବାରୁ ଏହି ଦଳ ୪୬.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୦୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ୬ଷ୍ଠ ଦିନିକିଆରେ ଭାରତୀୟ ଦଳ ତରଫରୁ ଖେଳୁଥିବା ସାର୍ଦ୍ଦୁଳ ଠାକୁର ଭଲ ପ୍ରଦର୍ଶନ କରି ୪ଟି ୱିକେଟ୍‌ ନେଇଥିଲେ । ଟସ୍‌ରେ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଦକ୍ଷିଣ ଆଫି୍ରକାକୁ ଆମନ୍ତ୍ରଣ କରିଥିଲା । ଦକ୍ଷିଣ ଆଫ୍ରିକା ତରଫରୁ ଅଧିନାୟକ ମାର୍କରାମ ଓ ହାସିମ୍‌ ଆମଲା ବ୍ୟାଟିଂ ଓପନ୍‌ କରିଥିଲେ । ତେବେ ପ୍ରଥମ ୱିକେଟ୍‌ ନିମନ୍ତେ ଉଭୟ ଖେଳାଳି ୨୩ ରନ୍‌ ସଂଗ୍ରହ କରିଥିବା ବେଳେ ଆମଲା ବ୍ୟକ୍ତିଗତ ଭାବେ ୧୯ଟି ବଲ୍‌ରୁ ୨ଟି ଚୌକା ସହାୟତାରେ ୧୦ ରନ୍‌ କରି ସାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ୱିକେଟ୍‌ ପତନ ଘଟିଥିଲା ୪୩ ରନ୍‌ରେ । ମାର୍କରାମ ୩ଟି ଚୌକା ଓ ୧ଟି ଛକା ସହାୟତାରେ ୨୪ ରନ୍‌ କରି ସାର୍ଦ୍ଦୁଳଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ସହଳ ଦୁଇଟି ୱିକେଟ୍‌ ପତନ ପରେ ଅଭିଜ୍ଞ ଖେଳାଳି ଏବି ଡିଭିଲିୟର୍ସ ଓ ଜୋଣ୍ଡୋ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ୩ୟ ୱିକେଟ୍‌ ପାଇଁ ଉଭୟ ଖେଳାଳିଙ୍କ ମଧ୍ୟରେ ୬୨ ରନ୍‌ର ପାର୍ଟନରସିପ୍‌ ହୋଇଥିଲା । ତେବେ ଦଳର ସ୍କୋର ୧୦୫ ରନ୍‌ ହୋଇଥିବା ବେଳେ ଡିଭିଲିୟର୍ସ ୪ଟି ଚୌକା ସହାୟତାରେ ୩୦ ରନ୍‌ କରି ଚହଲଙ୍କ ବଲରେ ବୋଲଡ୍‌ ହୋଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଭାବେ ୱିକେଟ୍‌ ହରାଇ ଚାଲିଥିଲା । କ୍ଲାସେନ୍‌ ୩ଟି ଚୌକା ସହାୟତାରେ ୨୨ ରନ୍‌ ସଂଗ୍ରହ କରି ବୁମରାଙ୍କ ବଲ୍‌ରେ କୋହଲିଙ୍କ ଦ୍ୱାରା କ୍ୟାଚ୍‌ ହୋଇଥିଲେ । ସେତେବେଳେ ଦକ୍ଷିଣ ଆଫି୍ରକାର ସ୍କୋର ଥିଲା ୧୩୫ ରନ୍‌ । ସେହିପରି ଦଳର ସ୍କୋର ୧୩୬ ରନ୍‌ ହୋଇଥିବା ବେଳେ ବେହରାଦିନ୍‌ ୧ ରନ୍‌ କରି ସାର୍ଦ୍ଦୁଳଙ୍କ ଶିକାର ହୋଇଥିଲେ । କ୍ରିସ୍‌ ମୋରିସ ନୈରାଶ୍ୟଜନକ ପ୍ରଦର୍ଶନ କରି ମାତ୍ର ୪ ରନ୍‌ରେ ଆଉଟ୍‌ ହୋଇଥିଲେ । ଦଳର ସ୍କୋର ୧୫୧ ରନ୍‌ ହୋଇଥିବା ବେଳେ ଜୋଣ୍ଡୋ ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ସହଳ ଅଲଆଉଟ୍‌ ହୋଇଯିବ ବୋଲି ଆଶା କରାଯାଉଥିଲା । ଜୋଣ୍ଡୋ ୩ଟି ଚୌକା ଓ ୨ଟି ଚୌକା ସହାୟତାରେ ୫୪ ରନ୍‌ କରି ଚହଲଙ୍କ ଶିକାର ହୋଇଥିଲେ । ତେବେ ଶେଷ ବେଳକୁ ଫେଲୁକ୍ୱାୟୋ ଓ ମର୍ନେ ମର୍କେଲ କିଛିଟା ସଂଘର୍ଷ କରିଥିଲେ । ଫେଲୁକ୍ୱାୟୋ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୩୪ ରନ୍‌ କରି ସାର୍ଦ୍ଦୁଳଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ମର୍କେଲ ୨୦ ରନ୍‌ କରି ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଇମ୍ରାନ୍‌ ତାହିର୍‌ ୨ ରନ୍‌ କରି ବୁମରାଙ୍କ ଶିକାର ହୋଇଥିଲେ ।
ଭାରତୀୟ ବୋଲର ସାର୍ଦ୍ଦୁଳ ଠାକୁର ୫୨ ରନ୍‌ ବିନିମୟରେ ୪ଟି, ଯଶପ୍ରୀତ ବୁମରା ୨୪ ରନ୍‌ ବିନିମୟରେ ୨ଟି, ୟୁଜବେନ୍ଦ୍ର ଚହଲ୍‌ ୩୨ ରନ୍‌ ବିନିମୟରେ ୨ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ପାଣ୍ଡ୍ୟା ଓ କୁଲଦୀପ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।

Leave A Reply