www.samajalive.in
Tuesday, December 9, 2025
16.1 C
Bhubaneswar

ରାଜକୋଟରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ

ରାଜକୋଟ : ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚଳିତ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହେବ। ବିଗତ ନଅ ମାସ ମଧ୍ୟରେ ଭାରତୀୟ ଦଳ ଦୁଇ ଦୁଇଟି ବିଦେଶ ଗସ୍ତରେ (ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ) ଯାଇ ଟେଷ୍ଟ ସିରିଜ ହାରିସାରିଛି। ତେଣୁ ଘରୋଇ ବାତାବରଣରେ ଇଣ୍ଡିଜକୁ ଦୁଇଟିକିଆ ଟେଷ୍ଟ ସିରିଜରେ ପରାସ୍ତ କରି ଏହି ପରାଜୟର ଗ୍ଲାନିକୁ କିଛିମାତ୍ରାରେ ଦୂର କରିବାକୁ ଭାରତ ଲକ୍ଷ୍ୟ ରଖିଛି। ପୁନଶ୍ଚ ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ ଧାର୍ଯ୍ୟ ହୋଇଥିବାବେଳେ ଚଳିତ ସିରିଜରେ ସବୁ ସମୀକରଣକୁ ଠିକ୍‍ଠାକ୍‍ ପରଖି ନେବାକୁ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟଗ୍ର ହୋଇପଡିଛନ୍ତି। ଇଣ୍ଡିଜ ବିପକ୍ଷରେ ବିଜୟ ହାସଲ କରିପାରିଲେ ଭାରତୀୟ ଦଳର ମନୋବଳ ନିଶ୍ଚିତଭାବେ ଊର୍ଦ୍ଧ୍ବଗାମୀ ହେବ, ଏଥିରେ ସନ୍ଦେହ ନାହିଁ।
ନିକଟରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ଟେଷ୍ଟ ସିରିଜ ୧-୪ରେ ହାରିଥିଲା। ଏହି ପରାଜୟ ପଛରେ ଏକାଧିକ କାରଣ ରହିଥିବାବେଳେ ଓପନିଂ ଯୋଡିକୁ ନେଇ ଦଳୀୟ ମ୍ୟାନେଜମେଣ୍ଟ ଚିନ୍ତିତ ହୋଇପଡିଥିଲା। ଏପରିକି ଉକ୍ତ ସିରିଜର ପ୍ରତ୍ୟେକ ଟେଷ୍ଟରେ କୋହଲି ଚୂଡାନ୍ତ ଏକାଦଶ ବାଛିବାରେ ଘନ ଘନ ଖେଳାଳିଙ୍କ ପରିବର୍ତ୍ତନ କରି ସମାଲୋଚନାର ଶରବ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଇଣ୍ଡିଜ ସିରିଜ ପାଇଁ ମନୋନୀତ ଦଳରୁ ଦୁଇ ଓପନର ମୁରଲୀ ବିଜୟ ଓ ଶିଖର ଧାୱନ ବାଦପଡିଛନ୍ତି। ଲୋକେଶ ରାହୁଲ ଓ ପୃଥ୍ୱୀ ଶ’ ଭାରତୀୟ ଇନିଂସ ଓପନ କରିବେ। ଓପନରଭାବେ ରାହୁଲଙ୍କ ଅଭିଜ୍ଞତାର ପ୍ରମାଣ ମିଳିସାରିଥିବାବେଳେ ମୁମ୍ବଇର ଉଦୀୟମାନ ବ୍ୟାଟସମ୍ୟାନ ପୃଥ୍ୱୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ଯଦି ଏହି ଓପନିଂ ଯୋଡି ଚଳିତ ସିରିଜରେ ସଫଳତା ଅର୍ଜନ କରନ୍ତି, ତେବେ ଅଷ୍ଟ୍ରେଲିଆ ଗସ୍ତରେ ସେମାନଙ୍କ ସ୍ଥାନ ପକ୍କା ବୋଲି ଧରିନିଆଯାଇପାରେ। ଅବଶ୍ୟ ଭାରତ ତୁଳନାରେ ଅଷ୍ଟ୍ରେଲିଆରେ ଖେଳାଳି ଭିନ୍ନ ପିଚ୍‍ ଓ ଭିନ୍ନ ବାତାବରଣର ସମ୍ମୁଖୀନ ହେବେ। ଏହାସତ୍ତ୍ବେ ଏହି ଯୋଡି ଉପରେ ମନୋନୟନକାରୀ ଦୃଷ୍ଟି ନିବଦ୍ଧ କରିଛନ୍ତି। ମଧ୍ୟକ୍ରମରେ କୋହଲିଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ୍‍ ଭାରତୀୟ ବ୍ୟାଟିଂ ଅଭିଯାନକୁ ଆଗେଇ ନେବେ। ବୋଲିଂ ବିଭାଗରେ କୋହଲି ଏହି ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଭଳି ତିନିଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ଖେଳାଇପାରନ୍ତି। ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‍ରା ଓ ଈଶାନ୍ତ ଶର୍ମାଙ୍କ ଅନୁପସ୍ଥିତିରେ ଫାଷ୍ଟ ବୋଲିଂ ଦାୟିତ୍ୱ ସମ୍ଭାଳିବେ ମହମ୍ମଦ ସାମି ଓ ଉମେଶ ଯାଦବ। ଆହତ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦପଡିଥିବାବେଳେ ଜାଡେଜାଙ୍କୁ ଅଲରାଉଣ୍ଡର ଭୂମିକାରେ ଦେଖିବାକୁ ମିଳିବ। ଭାରତ ଏହି ଟେଷ୍ଟ ପାଇଁ ୧୨ ଜଣିଆ ଦଳ ଘୋଷଣା କରିସାରିଥିବାବେଳେ ହନୁମା ବିହାରିଙ୍କୁ ନିରାଶ ହେବାକୁ ପଡିଛି।
ଅପରପକ୍ଷରେ ଏଥର ଭାରତ ଗସ୍ତରେ ଆସିଥିବା ଇଣ୍ଡିଜ ଦଳରେ ସଂଖ୍ୟାଧିକ ଅଭିଜ୍ଞ ଖେଳାଳିଙ୍କ ଅଭାବ ପରିଲକ୍ଷିତ ହୋଇଛି। ୧୫ ଜଣିଆ ଦଳରୁ କେବଳ ପାଞ୍ଚଜଣ ଖେଳାଳି ପୂର୍ବରୁ ଭାରତ ମାଟିରେ ଟେଷ୍ଟ ଖେଳିସାରିଛନ୍ତି। ଏମାନେ ହେଲେ କେମାର ରୋଚ୍‍, ଦେବେନ୍ଦ୍ର ବିଶୁ, କ୍ରେଗ ବ୍ରାଥ୍‍ୱେଟ୍‍, କୈରନ ପୱେଲ ଓ ସାନନ୍‍ ଗାବ୍ରିଏଲ। ତେବେ ସିରିଜ ପୂର୍ବରୁ ଫାଷ୍ଟ ବୋଲର କେମାର ରୋଚ୍‍ ପାରିବାରିକ ସମସ୍ୟା ନେଇ ସ୍ୱଦେଶ ଫେରିଯାଇଥିବାରୁ ପ୍ରଥମ ଟେଷ୍ଟ ଖେଳିବେନି। ଏହାସତ୍ତ୍ବେ ଇଣ୍ଡିଜ ଦଳକୁ କୌଣସି ପରିସ୍ଥିତିରେ ଦୁର୍ବଳ ଦଳ ଭାବେ ଗ୍ରହଣ ନ କରିବାକୁ କୋହଲି ସାଥୀ ଖେଳାଳିଙ୍କୁ ସତର୍କ କରାଯାଇଛନ୍ତି। ଭାରତ ଗସ୍ତ ପୂର୍ବରୁ ଇଣ୍ଡିଜ ଦଳ ଘରୋଇ ମାଟିରେ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜକୁ ୧-୧ରେ ଅମୀମାଂସିତ ରଖିଥିବାବେଳେ ବାଂଲାଦେଶକୁ ୨-୦ରେ ପରାସ୍ତ କରିସାରିଛି। ଇଣ୍ଡିଜ ଦଳରେ କ୍ରେଗ ବ୍ରାଥ୍‍ୱେଟ୍‍, କୈରନ ପୱେଲ, ସାଇ ହୋପ୍‍, ସୁନିଲ ଆମ୍ବ୍ରିସ ଓ ସିମ୍ରନ ହେତ୍‍ମିୟରଙ୍କ ଭଳି ଦକ୍ଷ ବ୍ୟାଟସମ୍ୟାନ ଥିବାବେଳେ ବୋଲିଂ ବିଭାଗରେ ଅଧିନାୟକ ଜାସନ ହୋଲଡର, କିମୋ ପଲ୍‍, ଦେବେନ୍ଦ୍ର ବିଶୁ ଓ ସାନନ୍‍ ଗାବ୍ରିଏଲଙ୍କ ପ୍ରଦର୍ଶନ ଉପରେ ଦଳର ବିଜୟ ଅନେକାଂଶରେ ନିର୍ଭର କରୁଛି। ଇଣ୍ଡିଜ ଦଳ ଶେଷଥର ପାଇଁ ୧୯୯୪ରେ ଭାରତ ମାଟିରେ କୌଣସି ଟେଷ୍ଟ ମ୍ୟାଚ ଜିତିଥିଲା। ଇତିମଧ୍ୟରେ ଇଣ୍ଡିଜ ଦଳ ଭାରତ ମାଟିରେ ୮ଟି ଟେଷ୍ଟ ଖେଳିସାରିଥିବାବେଳେ ୬ଟିରେ ପରାଜିତ ହୋଇଛି ଓ ଅନ୍ୟ ୨ଟି ଟେଷ୍ଟକୁ ଅମୀମାଂସିତ ରଖିପାରିଛି। ତେଣୁ ୨୪ ବର୍ଷ ଧରି ଚାଲିଆସିଥିବା ଏହି ରେକର୍ଡକୁ ଭଙ୍ଗ କରିବାକୁ ଇଣ୍ଡିଜ ଦଳ ନିଶ୍ଚିତଭାବେ ଉଦ୍ୟମ କରିବ।
୨୦୧୬ରେ ରାଜକୋଟରେ ପ୍ରଥମ ଥର ଟେଷ୍ଟ ମ୍ୟାଚ ଆୟୋଜିତ ହୋଇଥିଲା। ପୂର୍ବରୁ ଏଠାକାର ପିଚ୍‍ ସ୍ପିନରଙ୍କୁ ସହାୟତା ପ୍ରଦାନ କରିଆସୁଛି। ତେବେ ନିକଟରେ ବିସିସିଆଇର କ୍ୟୁରେଟର ଅକସ୍ମାତ ରାଜକୋଟ୍‍ରେ ପହଞ୍ଚି ଫାଷ୍ଟ ବୋଲରଙ୍କୁ ସୁହାଇବା ଭଳି ପିଚ୍‍ ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଏକ ଚର୍ଚ୍ଚା ଗଣମାଧ୍ୟମରେ ଆରମ୍ଭ ହୋଇଛି। ଆଗକୁ ଅଷ୍ଟ୍ରେଲିଆରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ସବୁଜ ଘାସ ଆଚ୍ଛାଦିତ ପିଚରେ ଖେଳିବାକୁ ପଡିବ ବୋଲି ଆଶଙ୍କା କରି ବିସିସିଆଇ ଚଳିତ ସିରିଜରେ ଏଭଳି ପିଚ୍‍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଥିବା ଶୁଣିବାକୁ ମିଳୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories