www.samajalive.in
Monday, December 8, 2025
20.1 C
Bhubaneswar

କୋହଲି-ରୋହିତଙ୍କ ଶତକ ; ଭାରତର ବିପୁଳ ବିଜୟ

ଗୁଆହାଟୀ : ଦିନିକିଆ କ୍ରିକେଟ୍‍ରେ ଭାରତର ଦୁଇ ରନ୍‍ ମେସିନ୍‍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟ୍‍ ପୁଣି ଚମକିଛି। ଉଭୟେ ଶତକ ମାରିବାରୁ ରବିବାର ପ୍ରଥମ ଦିନିକିଆ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜ୍‍କୁ ସହଜରେ ଭାରତ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍‍ର ସିମ୍ରନ୍‍ ହେତ୍‍ମାୟର ଶତକ ମାରିବାରୁ ୱେଷ୍ଟଇଣ୍ଡିଜ୍‍ ୩୨୨ ରନ୍‍ କରିଥିଲେ ହେଁ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ଶତକ ଯୋଗୁଁ ଭାରତ ସହଜରେ ୮ ୱିକେଟରେ ବିଜୟୀ ହୋଇଛି। ହେତ୍‍ମାୟର ୭୮ ବଲ୍‍ରୁ ୧୦୬ ରନ୍‍ କରିବା ଯୋଗୁଁ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‍ ୮ ୱିକେଟରେ ୩୨୨ ରନ୍‍ର ପ୍ରଭାବଶାଳୀ ସ୍କୋର୍‍ କରି ପାରିଥିଲା। ପରେ କୋହଲିଙ୍କ ୩୬ତମ ଓ ରୋହିତଙ୍କ ୨୦ତମ ଦିନିକିଆ ଶତକ ବଳରେ ଭାରତ ୪୨.୧ ଓଭରରେ ୨ ୱିକେଟ ହରାଇ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ୨୪ରେ ୨ୟ ଦିନିକିଆ ମ୍ୟାଚ୍‍ ଖେଳାଯିବ।
ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‍ ଖେଳୁଥିବା ଫାଷ୍ଟବୋଲର ଓସାନେ ଜୋସେଫ୍‍ ତାଙ୍କ ପ୍ରଥମ ଓଭରରେ ଶିଖର ଧାୱନ (୪)ଙ୍କୁ ଆଉଟ କରି ଦେଇଥିଲେ। ତେବେ ବିରାଟ କୋହଲି କ୍ରିଜ୍‍କୁ ଆସିବା ମାତ୍ରେ ବାଉଣ୍ଡରୀ ପରେ ବାଉଣ୍ଡରୀ ମାରି ଚାଲିଥିଲେ। ପରେ ରୋହିତ ମଧ୍ୟ ଷ୍ଟ୍ରୋକ୍‍ ଖେଳିବା ଆରମ୍ଭ କରିଥିଲେ। ବିରାଟ-ରୋହିତ ୩୧ ଓଭର କ୍ରିଜ୍‍ରେ ରହି ୨୪୬ ରନ୍‍ର ଭାଗିଦାରୀ କରିବା ପରେ ଭାରତର ବିଜୟ ନିଶ୍ଚିତ ହୋଇ ଯାଇଥିଲା। ୩୬ତମ ଦିନିକିଆ ଓ ୬୦ତମ ଆନ୍ତର୍ଜାତିକ ଶତକ ହାସଲ କରିଥିବା ବିରାଟ କୋହଲି ୧୦୭ ବଲ୍‍ରୁ ୨ଟି ଛକା ଓ ୨୧ଟି ଚୌକା ସହ ୧୪୦ ରନ୍‍କରି ଆଉଟ ହୋଇଥିଲେ। ପରେ ଅମ୍ବତି ରାୟୁଡୁ ଆସି ଭାରତକୁ ଜିତାଇବା ପର୍ଯ୍ୟନ୍ତ କ୍ରିଜ୍‍ରେ ରହିଥିଲେ। ରୋହିତ-ରାୟୁଡୁ ଅବିଭାଜିତ ୩ୟ ୱିକେଟ ପାଇଁ ୭୦ ରନ୍‍ ଯୋଡ଼ିଥିଲେ। ୨୦ତମ ଦିନିକିଆ ଶତକ ହାସଲ କରିଥିବା ରୋହିତ ୧୧୭ ବଲ୍‍ରୁ ୮ଟି ଛକା ଓ ୧୫ଟି ଚୌକା ସହ ୧୫୨ ରନ୍‍କରି ଅପରାଜିତ ଥିଲେ। ରାୟୁଡୁ ୨୬ ବଲ୍‍ରୁ ୨୨ ରନ୍‍କରି ଅପରାଜିତ ରହିଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।
ଟେଷ୍ଟ କ୍ରିକେଟ୍‍ରେ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଥିବା ୱେଷ୍ଟଇଣ୍ଡିଜ୍‍ର ବ୍ୟାଟିଂ ପ୍ରଥମ ଦିନିକିଆରେ ହିଁ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା। ମ୍ୟାଚ୍‍ରେ ଇଣ୍ଡିଜ୍‍ ବ୍ୟାଟ୍‍ସମ୍ୟାନ୍‍ଙ୍କ ଏହି ବିଶେଷତ୍ୱ ଥିଲା ଯେ ୱିକେଟ ହରାଇବା ସତ୍ତ୍ବେ ସେମାନେ ଆକ୍ରମଣ କରିଥିଲେ। ଫଳରେ ୧୧୪ ରନ୍‍ରେ ୪ଟି ୱିକେଟ ହରାଇବା ସତ୍ତ୍ବେ ୱେଷ୍ଟଇଣ୍ଡିଜ୍‍ ୩୨୨ ରନ୍‍ରେ ପହଞ୍ଚି ପାରିଥିଲା। ହେତ୍‍ମାୟର ଶତକ ମାରିଥିଲେ ହେଁ ତାଙ୍କୁ ଆଉ କିଛି ସମୟ ବ୍ୟାଟିଂ କରିବାର ଥିଲା। ପୁଣି କୈରନ୍‍ ପୱେଲ, ରୋଭ୍‍ମ୍ୟାନ୍‍ ପୱେଲ, ସାଇ ହୋପ୍‍ ଓ ଜେସନ୍‍ ହୋଲ୍‍ଡର ମଧ୍ୟ ଭଲ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର୍‍ କରି ପାରିନଥିଲେ। କାକର ପ୍ରଭାବକୁ ଦେଖି ଭାରତ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା। ଜୀବନର ପ୍ରଥମ ଦିନିକିଆ ଖେଳିଥିବା ଚନ୍ଦ୍ରପଲ ହେମରାଜ ୨ଟି ଚୌକା ସହ ୯ ରନ୍‍କରି ଆଉଟ ହୋଇଥିଲେ। ପରେ କୈରନ୍‍ ପୱେଲ ଆକ୍ରମଣ ଆରମ୍ଭ କରିଥିଲେ। ମାତ୍ର ୨୯ ବଲ୍‍ରୁ ୨ଟି ଛକା ଓ ୬ଟି ଚୌକା ସହ ୫୧ ରନ୍‍କରି ପୱେଲ ଆଉଟ ହୋଇଥିଲେ। ସାଇ ହୋପ୍‍ ୫୧ ବଲ୍‍ରୁ ୨ଟି ଚୌକା ସହ ୩୨ ରନ୍‍ କରିଥିଲେ। ଅଭିଜ୍ଞ ମାର୍ଲନ୍‍ ସାମୁଏଲ୍‍ସ ବିନା ସ୍କୋର୍‍ରେ ଆଉଟ ହୋଇ ଯାଇଥିଲେ। ୪/୧୧୪ ରନ୍‍ ସ୍କୋର୍‍ରୁ ହେତ୍‍ମାୟର ଓ ରୋଭ୍‍ମ୍ୟାନ ପୱେଲ ଇନିଂସ ସମ୍ଭାଳିଥିଲେ। ଦୁହେଁ ୫୩ ବଲ୍‍ରୁ ୭୪ ରନ୍‍ ଯୋଡ଼ିଥିଲେ। ବଡ଼ ସଟ୍‍ ମାରିବା ପ୍ରୟାସରେ ରୋଭ୍‍ମ୍ୟାନ୍‍ ୱିକେଟ ହରାଇଥିଲେ। ସେ ୨୩ ବଲ୍‍ରୁ ୪ଟି ଚୌକା ସହ ୨୨ ରନ୍‍ କରିଥିଲେ। ଅଧିନାୟକ ଜେସନ୍‍ ହୋଲ୍‍ଡରଙ୍କ ସହ ହେତ୍‍ମାୟର ୬୦ ରନ୍‍ ଯୋଡ଼ିଥିଲେ। ଚଳିତବର୍ଷ ୩ୟ ଦିନିକିଆ ଶତକ ହାସଲ କରିଥିବା ସିମ୍ରନ୍‍ ହେତ୍‍ମାୟର ୬ଟି ଲେଖାଏଁ ଛକା ଓ ଚୌକା ସହ ୧୦୬ ରନ୍‍କରି ଆଉଟ ହୋଇଥିଲେ। ଭଲ ବ୍ୟାଟିଂ କରୁଥିବା ଅଧିନାୟକ ହୋଲ୍‍ଡର ୪୨ ବଲ୍‍ରୁ ୫ଟି ଚୌକା ସହ ୩୮ ରନ୍‍କରି ଦାୟିତ୍ୱହୀନ ସଟ୍‍ ଖେଳି ଆଉଟ ହୋଇ ଯାଇଥିଲେ। ସେତେବେଳେ ଆଉ ୬.୪ ଓଭର ବାକିଥିଲା। ଦେବେନ୍ଦ୍ର ବିଶୁ ଓ କିମାର ରୋଚ୍‍ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାରୁ ଏହି ୪୦ ବଲ୍‍ରୁ ୱେଷ୍ଟଇଣ୍ଡିଜ୍‍ ୪୪ ରନ୍‍ ଯୋଡ଼ି ପାରିଥିଲା। ଶେଷ ଓଭରରୁ ୧୫ ରନ୍‍ ଆସିଥିଲା। ବିଶୁ ୨୨ ଓ ରୋଚ୍‍ ୨୬ ରନ୍‍କରି ଅପରାଜିତ ଥିଲେ। ୟୁଜବେନ୍ଦ୍ର ଚହଲ ୪୧ ରନ୍‍ଦେଇ ୩ଟି ୱିକେଟ ପାଇଥିଲେ। ରବୀନ୍ଦ୍ର ଜାଡ଼େଜାଙ୍କ ସହ ମହମ୍ମଦ ସାମି ୨ଟି ୱିକେଟ ପାଇଥିଲେ ହେଁ ୮୧ ରନ୍‍ ବ୍ୟୟ କରିଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories