www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ-ଇଣ୍ଡିଜ୍‍ ପ୍ରଥମ ଦିନିକିଆ ଆଜି

ଗୁଆହାଟୀ : ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ୍‍କୁ ୨-୦ରେ ପୋଛିନେବା ପରେ  ଭାରତୀୟ କ୍ରିକେଟ ଦଳର ମନୋବଳ ବେଶ୍‍ ଦୃଢ଼। ରବିବାରଠାରୁ ଇଣ୍ଡିଜ୍‍ ବିପକ୍ଷରେ ବିରାଟ କୋହଲିଙ୍କ ଦଳ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳିବାକୁ ଯାଉଥିବା ବେଳେ ଏହି ସିରିଜକୁ ଭାରତ ପୋଛିନେବା କଥା କ୍ରିକେଟ ସମୀକ୍ଷକ ଆଲୋଚନା କରୁଛନ୍ତି। ତେବେ ଏହା ସତ ଯେ ଅଦ୍ୟାବଧି ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଭାରତ ଘରୋଇ ଦିନିକିଆ ସିରିଜ୍‍କୁ ପୋଛି ନେଇ ପାରିନାହିଁ। ଦିନିକିଆ କ୍ରିକେଟ୍‍ରେ ଉଭୟ ଦଳଙ୍କ ପ୍ରଦର୍ଶନରେ ବହୁତ ଫରକ ରହିଛି। ୫୦ ଓଭରର କ୍ରିକେଟରେ ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍‍ ବିଜୟ ମୁକୁଟ ପିନ୍ଧିଥିଲା ୨୦୧୪ରେ। ଘରୋଇମାଟିରେ ଏହା ବାଂଲାଦେଶ ବିପକ୍ଷରେ ୩-୦ରେ ସିରିଜ୍‍ ଜିତିଥିଲା। ଅନ୍ୟପକ୍ଷରେ ନିକଟରେ ଏସିଆ କପ୍‍ ଚମ୍ପିଆନ୍‍ ହୋଇଥିବା ଭାରତୀୟ ଦଳର ମନୋବଳ ବେଶ୍‍ ଦୃଢ଼ ରହିଛି।
ଆଇସିସି ଦିନିକିଆ ମାନ୍ୟତା ମଧ୍ୟ ଉଭୟ ଦଳଙ୍କ ପ୍ରଦର୍ଶନର ପ୍ରତିଫଳନ। ଭାରତ ୧ନଂ ମାନ୍ୟତାରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍‍ର ନବମ ସ୍ଥାନରେ  ରହିଛି । ୮ ମାସରେ ଆଇସିସି ବିଶ୍ୱକପ୍‍ ଖେଳାଯିବାକୁ ଥିବା ବେଳେ ପ୍ରତ୍ୟେକ ଦଳ ଏବେଠାରୁ ଦିନିକିଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି; ପୁଣି ଦୁର୍ବଳ ୱେଷ୍ଟଇଣ୍ଡିଜ୍‍ ଦଳକୁ ଦେଖି ଭାରତୀୟ ଦଳରେ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଏହାସହ ବହୁତଦିନ ପରେ ମହମ୍ମଦ୍‍ ସାମିଙ୍କୁ ଦିନିକିଆ କ୍ରିକେଟ ଖେଳିବାର ମଉକା ମିଳିଛି। ସାର୍ଦ୍ଦୁଳ ଠାକୁର ଆହତ ହେବାରୁ ବଦଳ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି ଫାଷ୍ଟବୋଲର ଉମେଶ ଯାଦବ। ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଉମେଶ ଚମତ୍କାର ବୋଲିଂ କରିଥିଲେ। ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‍ ବୁମ୍‍ରା ବିଶ୍ରାମ ନେଇଥିବାରୁ ଟେଷ୍ଟ ସିରିଜ୍‍ ପରି ସାମି ଓ ଉମେଶ ନୂଆ ବଲ୍‍ରେ ବୋଲିଂକରିବେ। ତେଣୁ ଯୁବ ପେସ୍‍ ବୋଲର ଖଲିଲ ଅହମ୍ମଦଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଏସିଆ କପ୍‍ ପରି ଏହି ସିରିଜ୍‍ରେ ମଧ୍ୟ ଭାରତ ୩ ଜଣ ସ୍ପିନର- ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଜରିଆରେ ଇଣ୍ଡିଜ୍‍ ବ୍ୟାଟ୍‍ସମ୍ୟାନ୍‍ଙ୍କୁ କାବୁ କରିବାର ପ୍ରୟାସ କରିବ। ଟେଷ୍ଟ କ୍ରିକେଟ୍‍ରେ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ଋଷଭ ପନ୍ତ୍‍ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତିରେ ପନ୍ତ୍‍ ବିଶେଷଜ୍ଞ ବ୍ୟାଟ୍‍ସମ୍ୟାନ ଭାବେ ୫ନଂରେ ବ୍ୟାଟିଂକରିବେ। ଫଳରେ ୪ନଂ ସ୍ଥାନରେ ଖେଳିବେ ଅମ୍ବତି ରାୟୁଡୁ। କେ.ଏଲ୍‍. ରାହୁଲଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ।
ୱେଷ୍ଟଇଣ୍ଡିଜ ଦିନିକିଆ ଦଳରୁ ଦୁଇ ବିସ୍ଫୋରକ ଓପ୍‍ନର କ୍ରିସ୍‍ ଗେଲ୍‍ ଓ ଏଭିନ୍‍ ଲୁଇସ୍‍ ଓହରି ଯାଇଥିବା ବେଳେ କୈରନ୍‍ ପୱେଲ, ଡ୍ୱେନ୍‍ ବ୍ରାଭୋ ଓ ଆନ୍ଦ୍ରେ ରସେଲ୍‍ଙ୍କ ପରି ଅଭିଜ୍ଞ ଅଲ୍‍ରାଉଣ୍ଡରଙ୍କୁ ସ୍ଥାନ ମିଳିନାହିଁ। ପୁଣି ସଫଳ ସ୍ପିନର ସୁନୀଲ ନାରାୟଣ ମଧ୍ୟ ଦଳରେ ନାହାନ୍ତି। ତେଣୁ ଇଣ୍ଡିଜ୍‍ର ୩ ଅଭିଜ୍ଞ ଖେଳାଳି ହେଲେ ଅଧିନାୟକ ଜେସନ୍‍ ହୋଲ୍‍ଡର, ବ୍ୟାଟ୍‍ସମ୍ୟାନ୍‍ ମାର୍ଲନ ସାମୁଏଲ୍‍ସ ଓ ପେସ୍‍ ବୋଲର କିମାର ରୋଚ୍‍। ତେବେ ୱେଷ୍ଟଇଣ୍ଡିଜ୍‍ର ଦୁର୍ବଳ ବୋଲିଂ ଲାଇନ୍‍କୁ ଦେଖି କ୍ରିକେଟ ବିଶେଷଜ୍ଞ ଏହା ମଧ୍ୟ ଆକଳନ କରିଛନ୍ତି ଯେ ଏହି ସିରିଜ୍‍ରେ କିଛି ଦିନିକିଆ ରେକର୍ଡ ଚୁରମାର ହୋଇପାରେ ଏବଂ ଭାରତୀୟ ଦଳ ସେମାନଙ୍କ କୀର୍ତ୍ତିମାନରେ ଆଉ କିଛି ଫର୍ଦ୍ଦ ଯୋଡ଼ିପାରନ୍ତି। ଗୁଆହାଟୀରେ ଶୀତଋତୁ ଆରମ୍ଭ ହୋଇ ଯାଇଥିବାରୁ ସନ୍ଧ୍ୟାରେ କାକର ପଡ଼ିବ। ତେଣୁ ଉଭୟ ଦଳ ଟସ୍‍ ଜିତି ରନ୍‍ର ପିଛା କରିବାକୁ ଚାହିଁବେ। ଏହି ସିରିଜ୍‍ରେ ଆଉ ମାତ୍ର ୨୨୧ ରନ୍‍ ସ୍କୋର୍‍କଲେ ଭାରତୀୟ ଅଧିନାୟକ ବିରାଟ କୋହଲି ୧୦ ହଜାର ଆନ୍ତର୍ଜାତିକ ରନ୍‍ରେ ପହଞ୍ଚି ପାରିବେ। ଫଳରେ ସବୁଠାରୁ କମ୍‍ ଇନିଂସରେ ଏହି କୃତିତ୍ୱ ହାସଲ କରିବାର ବିଶ୍ୱରେକର୍ଡ କୋହଲି ପ୍ରତିଷ୍ଠା କରିପାରିବେ। ପୁଣି ଯଦି ଶିଖର ଧାୱନ୍‍ ଏହି ସିରିଜ୍‍ରେ ଆଉ ୧୭୭ ରନ୍‍ ସ୍କୋର୍‍କରନ୍ତି; ତେବେ ୫ ହଜାର ଦିନିକିଆ ରନ୍‍ରେ ପହଞ୍ଚିବାରେ ସେ ଦ୍ରୁତତମ ଭାରତୀୟ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories