ୱାଶିଂଟନ ଡିସି: ଆଫଗାନିସ୍ତାନରେ ଭାରତ ଗଠନ ମୂଳକ ଭୂମିକା ନିର୍ବାହ କରିଛି ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି। ପେଣ୍ଟାଗନ୍ ଅଧିକାରୀ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଆଫଗାନ ପ୍ରସଙ୍ଗରେ ପାକିସ୍ତାନ ସହିତ ଆଲୋଚନା ଜାରି ରଖିଛନ୍ତି। ସୋମବାର ଦିନ ପେଣ୍ଟାଗନ୍ ଅଧିକାରୀ ଭାରତର ଗଠନମୂଳକ ଭୂମିକାକୁ ସ୍ୱୀକାର କରି କହିଛନ୍ତି ଯେ, ଆଫଗାନିସ୍ତାନରେ ସ୍ଥିରତା ବଜାୟ ରଖିବା ଦିଗରେ ଭାରତ ପକ୍ଷରୁ ଯେଭଳି ଉଦ୍ୟମ କରାଯାଉଛି ତାହା ସର୍ବଦା ସ୍ୱାଗତଯୋଗ୍ୟ।
ପେଣ୍ଟାଗନ୍ର ପ୍ରେସ ସଚିବ ଜନ୍ କିର୍ବି କହିଛନ୍ତି, ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାନ୍ତରେ ଆତଙ୍କିମାନଙ୍କର ରହିଥିବା ନିରାପଦ ଗୁପ୍ତ ଆଡ୍ଡା ସମ୍ପର୍କରେ ବାଇଡେ ପ୍ରଶାସନ ପାକିସ୍ତାନ ସହିତ ଆଲୋଚନା କରୁଛନ୍ତି। ଏହି ଗୁପ୍ତ ଆଡ୍ଡାଗୁଡିକ ଆଫଗାନିସ୍ତାନରେ ଅଧିକ ଅସୁରକ୍ଷିତ ଓ ଅସ୍ଥିର ପରିସ୍ଥିତି ସୃଷ୍ଟି କରିବାର ଏକ ଉତ୍ସ ହୋଇଛି। ସୂଚନାଯୋଗ୍ୟ ଯେ ଆମେରିକା ଆଫଗାନିସ୍ତାନରୁ ତାହାର ଅବଶିଷ୍ଟ ସୈନ୍ୟ ପ୍ରତ୍ୟାହାର କରିବା ପ୍ରକ୍ରିୟା ଜାରି ରଖିଥିବାବେଳେ ପେଣ୍ଟାଗନ୍ ପକ୍ଷରୁ ଏଭଳି ବିବୃତି ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ଜୋ ବାଇଡେନଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆମେରିକା ଏଣିକି ଆଫଗାନିସ୍ତାନ ସହିତ ଏକ ଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ କରିବ, ଯାହା ଦେଶ ବାହାରୁ ଅର୍ଥନୈତିକ ଏବଂ ଆର୍ଥିକ ସମର୍ଥନ ଉପରେ ଆଧାରିତ ହେବ।
ଆଫଗାନିସ୍ତାନରେ ସଂପ୍ରତି ସୃଷ୍ଟି ହୋଇଥିବା ନିରାପତ୍ତା ପରିସ୍ଥିତି ଭାରତ ସମେତ ଅନେକ ଆଞ୍ଚଳିକ ଶକ୍ତି ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତ ଜୋର୍ଦେଇ କହିଛି ଯେ ଆଫଗାନିସ୍ତାନରେ ସ୍ଥିରତା ବଜାୟ ରଖାଯିବା ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ପାଇଁ ନିତାନ୍ତ ଜରୁରୀ। ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ପ୍ରାୟତଃ ଶେଷ ହେବାକୁ ଯାଉଥିବାବେଳେ ତାଲିବାନ ଆତଙ୍କିମାନେ ଆଫଗାନିସ୍ତାନରେ ସେମାନଙ୍କର ଅତ୍ୟାଚାରମୂଳକ କାର୍ଯ୍ୟକଳାପ ତ୍ୱରାନ୍ୱିତ କରିଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ସହର ନିଜ ଦଖଲକୁ ନେଉଛନ୍ତି।



