ଭୁବନେଶ୍ବର; ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ଆତ୍ମରକ୍ଷାକୁ ଗୁରୁତ୍ବ ଦିଆଯାଇଛି। କୌଣସି ପରିସ୍ଥିତିରେ ଶତ୍ରୁପକ୍ଷ ଆକ୍ରମଣରୁ ଜୀବନ ରକ୍ଷା ଲାଗି ଭାରତ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି। ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଏହି ମକ୍ଡ୍ରିଲ୍ କରାଯିବ। ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସଚେତନ ଓ ସୁରକ୍ଷା ପ୍ରଦାନ ପାଇଁ ଏହି ମକ୍ଡ୍ରିଲ୍ କରାଯାଉଛି। ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଓଡ଼ିଶାର ୧୨ ଜିଲାରେ ଏହି ମକ୍ଡ୍ରିଲ କରାଯିବ। ଅପରାହ୍ଣ ୪ଟାରେ ନିର୍ଦ୍ଧାରିତ ଜିଲାରେ ସାଇରନ ବାଜିବ। ୫ ମିନିଟ୍ ଧରି ସାଇରନ ବାଜିବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ କିପରି ଯିବେ ତାହାର ମକ୍ଡ୍ରିଲ୍ ଅନୁଷ୍ଠିତ ହେବ। ୪୮୦ କି.ମି ବେଳାଭୂମିରେ ଲାଗିଥିବା ସାଇରନକୁ ମଧ୍ୟ ବଜାଯିବ। ପ୍ରଥମ ଦିନରେ ଶତ୍ରୁପକ୍ଷରୁ ଆକାଶମାର୍ଗରୁ ବୋମା ବର୍ଷଣ ହେଲେ କିପରି ଆତ୍ମରକ୍ଷା କରିବେ ତାହାର ମକ୍ଡ୍ରିଲ୍ କରାଯିବ। ଏହି ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ, ତା’ର କିପରି ମୁକାବିଲା କରାଯିବ, ସେନେଇ ମଧ୍ୟ ବେସାମରିକ ସୁରକ୍ଷା ଅର୍ଥାତ ସିଭିଲ ଡିଫେନ୍ସ ପକ୍ଷରୁ ମକ୍ଡ୍ରିଲ୍ କରାଯିବ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏଥିନେଇ ବୈଠକ ଅନୁଷ୍ଠିତ ହୋଇଛି।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଅନୁଗୋଳ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ଏହି ମକ୍ଡ୍ରିଲ୍ ୭ ଦିନ ଧରି ଚାଲିବ। ବୁଧବାର କିଛି ସହରାଞ୍ଚଳରେ କରାଯିବ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଉପକୂଳ ଅଞ୍ଚଳରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ସାଇରନ ବଜାଇବ। ଶତ୍ରୁ ବିମାନ ଆକ୍ରମଣ ସମୟରେ ସାଇରନ ବଜେଇ ସାଧାରଣ ଲୋକଙ୍କୁ ସତର୍କ କରିବା ଏହି ମକ୍ଡ୍ରିଲ୍ର ଲକ୍ଷ୍ୟ। ସାଇରନ ବାଜିବା କ୍ଷଣି ସମସ୍ତେ କଂକ୍ରିଟ ଛାତ ଘରକୁ ଚାଲିଯିବେ। ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ଦିଷ୍ଟ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବା ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ଆକ୍ରମଣର ପ୍ରଭାବ ସରିବା ପରେ ପ୍ରଶିକ୍ଷିତ ସିଭିଲ ଡିଫେନ୍ସର ସ୍ୱେଚ୍ଛାସେବୀ ସାଇରନ ବଜେଇ ସୂଚନା ଦେବେ। ଏହି ମକ୍ଡ୍ରିଲ୍ରେ ସ୍ୱେଚ୍ଛାସେବୀ, ସିଭିଲ ଡିଫେନ୍ସ, ଏନ୍ସିସି, ସ୍ଥାନୀୟ କର୍ମଚାରୀ, ଆପଦା ମିତ୍ର ସାମିଲ ହେବେ। ରାଜ୍ୟ ଓ ଜିଲାସ୍ତରୀୟ ନିୟନ୍ତ୍ରଣକକ୍ଷ ଖୋଲାଯିବ। ସୁରକ୍ଷା ସହ ଜନସାଧାରଣଙ୍କ ଲାଗି ଖାଦ୍ୟ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ୍, ସ୍ବାସ୍ଥ୍ୟ ସେବା ବେସାମରିକ ସୁରକ୍ଷା ଦ୍ୱାରା ନିୟନ୍ତ୍ରିତ ହେବ। ଏଥିପାଇଁ ବୁଧବାର ପ୍ରସ୍ତୁତି ବୈଠକ ହେବ। ବିଭିନ୍ନ ସେବାର ମୁଖ୍ୟଙ୍କୁ ସିଭିଲ ଡିଫେନ୍ସର ୱାର୍ଡ଼େନ ଭାବେ ଦାୟିତ୍ୱ ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆମର ପରିଚୟ ରହିଛି। ଆମ ପାଖରେ ଯାହା ସମ୍ବଳ ଅଛି, ତାହାକୁ ଆମେ ବ୍ୟବହାର କରିବୁ। ସେଥିପାଇଁ ଓସ୍ଡମା କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଉପକୂଳ ଅଞ୍ଚଳରେ ଥିବା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ କରାଯିବ। ଯୁଦ୍ଧ ପରିସ୍ଥିତି ସମୟରେ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯିବ ତାହାକୁ ଗୁରୁତ୍ବ ଦିଆଯାଇଛି। ଯୁଦ୍ଧ ହୋଇନାହିଁ, ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଏହା ପ୍ରସ୍ତୁତି କାର୍ଯ୍ୟକ୍ରମ। ପୂର୍ବରୁ ବିଭିନ୍ନ ବିପର୍ଯ୍ୟୟ ସମୟରେ ଓସ୍ଡମା କର୍ତ୍ତୃପକ୍ଷଙ୍କ ପକ୍ଷରୁ ମକ୍ଡ୍ରିଲ୍ କରାଯାଏ। ମକ୍ଡ୍ରିଲ୍ ପାଇଁ କେହି ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ନିଜକୁ ପ୍ରସ୍ତୁତ ଓ ସହଯୋଗ କରିବା ପାଇଁ ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି।
ଓସ୍ଡମାର କାର୍ଯ୍ୟନିର୍ବାହୀ ନିର୍ଦେଶକ କମଳ ଲୋଚନ ମିଶ୍ର କହିଛନ୍ତି, ଲୋକଙ୍କୁ ସଚେତନ କରିବା ଲାଗି ଏହି ମକ୍ଡ୍ରିଲ୍ କରାଯାଉଛି। ସେଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛି। ଟାସ୍କଫୋର୍ସର ସଦସ୍ୟମାନେ ମଧ୍ୟ ମକ୍ଡ୍ରିଲ୍ରେ ସାମିଲ ହେବେ। ରାଜ୍ୟରେ ଥିବା ୪ ହଜାର ଆପଦମିତ୍ର ସ୍ବେଚ୍ଛାସେବୀ ମଧ୍ୟ ମକ୍ଡ୍ରିଲ୍ରେ ସାମିଲ ହେଉଛନ୍ତି। ରାଜ୍ୟ ଜରୁରୀକାଳୀନ ଓ ଜିଲା ଜରୁରୀକାଳୀନ କେନ୍ଦ୍ର କାର୍ଯ୍ୟକ୍ଷମ କରାଯିବ। ଆସନ୍ତାକାଲି ଲୋକଙ୍କୁ ସଚେତନ କରାଯିବ।
ଉକ୍ତ ବୈଠକରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ରାଧାକୃଷ୍ଣ ଶର୍ମା, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାଶ, ଅତିରିକ୍ତ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ପଦ୍ମନାଭ ବେହେରା, ଗୃହ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ମକ୍ଡ୍ରିଲ୍ ହେବାକୁ ଥିବା ଜିଲାର ଜିଲାପାଳ ଓ ଏସ୍ପି ଉପସ୍ଥିତ ଥିଲେ। ଆଗକୁ ଗାଁରେ ହେବ ମକ୍ଡ୍ରିଲ୍, ଆସିବ ମାର୍ଗଦର୍ଶିକା। ବୁଧବାର ୧୨ଟି ସ୍ଥାନରେ ମକ୍ଡ୍ରିଲ୍ ହେବ। ଆଗକୁ ଗାଁରେ ବି ମକ୍ଡ୍ରିଲ୍ କରାଯିବ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଯୁଦ୍ଧ ସମୟରେ କ’ଣ କରିବାକୁ ପଡ଼େ, ତା’ ଉପରେ ମାର୍ଗଦର୍ଶିକା ଜାରି କରାଯିବ। କେବଳ ସେନା ଓ ସରକାର ପ୍ରସ୍ତୁତ ନୁହେଁ, ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ। ଓଡ୍ରାଫ୍, ଅଗ୍ନିଶମ, ଓଡ଼ିଶା ପୁଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କ ମକ୍ଡ୍ରିଲ୍ରେ ଭୂମିକା ରହିବ।
ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ, ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି, କେତେବେଳେ କ’ଣ ହେବ କିଛି କହି ହେବନି। ଏବେ ପାକିସ୍ତାନରେ ହାହାକାର ଅବସ୍ଥା। କେବଳ ଭାରତ ନୁହେଁ; ଆମେରିକା ଭଳି ଦେଶ ମଧ୍ୟ ପୂର୍ବରୁ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଛି ବୋଲି ସେ କହିଛନ୍ତି।



