www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଥମ ଟ୍ବେଣ୍ଟି-୨୦ : ଇଂଲଣ୍ଡର ସହଜ ବିଜୟ

ଅହମ୍ମଦାବାଦ୍ : ଭ୍ରମଣକାରୀ ଇଂଲଣ୍ଡର ଶୃଙ୍ଖଳିତ ବୋଲିଂ ଓ ବ୍ୟାଟିଂ ଆଗରେ ହାର୍‌ ମାନିଛି ଘରୋଇ ଭାରତ। କ୍ରମାଗତ ୮ଟି ଟେଷ୍ଟ ମ୍ୟାଚ ଖେଳିବା ସହ ୨ଟି ସିରିଜ୍‌ ବିଜୟ ହାସଲ କରିଥିବା ବିରାଟ ବାହିନୀ ପରାଜୟରୁ ଧଳାବଲ ସିରିଜ୍‌ ଆରମ୍ଭ କରିଛି। ଜେଫ୍ରା ଆର୍ଚରଙ୍କ ଘାତକ ବୋଲିଂ ପରେ ଓପନର ଜାସନ ରୟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଇଂଲଣ୍ଡ ସହଜ ବିଜୟ ହାସଲ କରିଛି। ଶୁକ୍ରବାର ଅହମ୍ମଦାବାଦ୍‌ର ମୋଟେରାସ୍ଥ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୮ ୱିକେଟରେ ଭାରତକୁ ପରାସ୍ତ କରିଛି। ଚମତ୍କାର ବୋଲିଂ କରି ୩ଟି ୱିକେଟ ହାସଲ କରିଥିବା ଜେଫ୍ରା ଆର୍ଚର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଥିବାବେଳେ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ ୧୪​ରେ ଖେଳାଯିବ।
ଭାରତ ବିଜୟ ପାଇଁ ଇଂଲଣ୍ଡ ସମ୍ମୁଖରେ ୧୨୫ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଂଲଣ୍ଡ ଭଳି ଭାରତ ମଧ୍ୟ ସ୍ପିନରୁ ବୋଲିଂ ଆରମ୍ଭ କରିଥିଲା। ଅକ୍ଷର ପଟେଲ ବୋଲିଂ ଆରମ୍ଭ କରିଥିବାବେଳେ ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଓ ଜୋସ୍‌ ବଟ୍‌ଲର ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ। ଉଭୟେ ପ୍ରଥମ ୱିକେଟ ପାଇଁ ୮ ଓଭରରୁ ୭୨ରନ ସଂଗ୍ରହ କରିଥିଲେ। ବଟ୍‌ଲର ୨୪ଟି ବଲରୁ ୨୮ରନ କରି ଯୁଜୁବେନ୍ଦ୍ର ଚହଲଙ୍କ ବଲରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ୮୯ରନରେ ଦଳ ଦ୍ବିତୀୟ ୱିକେଟ ହରାଇଥିଲା। ଜସନ ରୟ ୩୨ଟି ବଲରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୪୯ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ ମାଲାନ ଓ ଜନି ବେୟାରଷ୍ଟୋ ଅବିଭାଜିତ .୪୧ରନ ଯୋଗ କରିଥିଲେ। ଇଂଲଣ୍ଡ ୧୫.୩ ଓଭରେ ୨ ୱିକେଟ ହରାଇ ୧୩୦ରନ କରି ବିଜୟୀ ହୋଇଥିଲା। ମାଲାନ ୨୪ ଓ ବେୟାରଷ୍ଟୋ ୨୬ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଚହଲ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଇଂଲଣ୍ଡ ଅଧିନାୟକ ଇୟାନ ମୋର୍ଗାନ ଟସ୍‌ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ବିରାଟ ବାହିନୀ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୨୦ରନ ମଧ୍ୟରେ ଦୁଇ ଓପନର ଶିଖର ଧାୱନ,ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କୁ ହରାଇଥିଲା। ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ବଦଳରେ ଶିଖର ଧାୱନ ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିବାବେଳେ ଇଂଲଣ୍ଡ ସ୍ପିନର ଆଦିଲ ରସିଦଙ୍କଠାରୁ ବୋଲିଂ ଆରମ୍ଭ କରିଥିଲା। ଦଳୀୟ ସ୍କୋର ମାତ୍ର ୨ରନ ଥିବାବେଳେ ଇନିଂସର ଦ୍ବିତୀୟ ଓଭରର ଦ୍ବିତୀୟ ବଲରେ ଓପନର ରାହୁଲ ୧ରନ କରି ଜେଫ୍ରା ଆର୍ଚରଙ୍କ ବଲରେ ବୋଲ୍ଡ ହୋଇଥିଲେ। ରାହୁଲଙ୍କ ୱିକେଟ ପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ମଧ୍ୟ ବିଫଳ ହୋଇଥିଲେ। କୋହଲି ୫ଟି ବଲର ସମ୍ମୁଖୀନ ହୋଇ ଖାତା ଖୋଲିବା ପୂର୍ବରୁ ଆଦିଲ ରସିଦ୍‌ଙ୍କ ବଲରେ କ୍ରିସ୍ ଜୋର୍ଡାନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କୋହଲିଙ୍କ ୱିକେଟ ପରେ ଶ୍ରେୟାସଙ୍କ ବଦଳରେ ଋଷଭ ପନ୍ତ୍‌ ବ୍ୟାଟିଂ କରିବାକୁ ଆସିଥିଲେ। ପନ୍ତ୍‌ ଓ ଧାୱନ ତୃତୀୟ ୱିକେଟ ପାଇଁ ୧୭ରନ ଯୋଗ କରିଥିଲେ। ୨୦ରନ ସ୍କୋର ଥିବାବେଳେ ଧାୱନ ୪ରନ କରି ମାର୍କ ଉଡ୍‌ଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଭାରତ ପାୱାର ପ୍ଲେର ୬ ଓଭରରୁ ମାତ୍ର ୨୨ରନ ସଂଗ୍ରହ କରିଥିଲା। ୪ର୍ଥ ୱିକେଟରେ ପନ୍ତ୍‌ ଓ ଶ୍ରେୟସ ଆୟାର ଦଳୀୟ ସ୍ଥିତିକୁ ସମ୍ଭାଳିବା ସହିତ ୨୮ରନ ଯୋଗ କରିଥିଲେ। ୧୦ ଓଭରରେ ଦଳୀୟ ସ୍କୋର ୪୮ରନ ଥିବାବେଳେ ପନ୍ତ୍‌ ୨୧ରନ କରି ଆଉଟ୍‌ ହୋଇଥିଲେ। ପନ୍ତ୍‌ଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦିକ ପାଣ୍ଡ୍ୟା ଓ ଶ୍ରେୟାସ ୫ମ ୱିକେଟ ପାଇଁ ୪୪ଟି ବଲରୁ ୫୪ରନ ଯୋଗ କରିଥିଲେ। ସ୍କୋର ୧୦୨ରନ ଥିବାବେଳେ ପାଣ୍ଡ୍ୟା ୨୧ଟି ବଲରୁ ଗୋଟିଏ ଛକା ଓ ଗୋଟିଏ ଚୌକା ସହ ୧୯ରନ କରି ଆର୍ଚରଙ୍କ ବଲରେ ଆଉଟ୍‌ ହୋଇଥିଲେ। ଆର୍ଚରଙ୍କ ପରବର୍ତ୍ତୀ ବଲରେ ଭାରତ ୬ଷ୍ଠ ୱିକେଟ ଭାବେ ସାର୍ଦ୍ଦୁଳ ଠାକୁର(୦)ଙ୍କୁ ହରାଇଥିଲା। ଗୋଟିଏ ପଟେ ୱିକେଟ ପତନ ଘଟି ଚାଲିଥିବାବେଳେ ଅନ୍ୟପଟେ ଶ୍ରେୟସ କ୍ରିଜ୍‌ରେ ଜମି ରହି ଅର୍ଦ୍ଧଶତକ ହାସଲ କରିଥିଲେ। ସ୍କୋର ୧୧୭ରନ ଥିବାବେଳେ ଶ୍ରେୟସ ୪୮ଟି ବଲରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୭ରନ କରି ଆଉଟ୍‌ ହୋଇଥିଲେ। ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୪ରନ କରିବାକୁ ସକ୍ଷମ ହୋଇଥିଲା। ୱାଶିଂଟନ ୩ ଓ ଅକ୍ଷର ପଟେଲ ୭ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଜେଫ୍ରା ଆର୍ଚର ୩ଟି, ଆଦିଲ ରସିଦ୍‌,କ୍ରିସ୍‌ ଜୋର୍ଡାନ, ମାର୍କ ଉଡ୍‌ ଓ ବେନ୍ ଷ୍ଟୋକ୍‌ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଭାରତ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇ ଶିଖର ଧାୱନଙ୍କୁ ଖେଳାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories