ଯେକେପୁର: ଘରେ ଘରେ ଜ୍ୱରରେ ଆକ୍ରାନ୍ତ ହୋଇ ପଡି ରହିଛନ୍ତି ରୋଗୀ । ଗାଁର ପ୍ରତ୍ୟେକ ଘରେ ଦୁଇ ଜଣ ଲେଖାଏଁ ଆକ୍ରନ୍ତ ହୋଇଥିବା ଜଣାପଡିଛି । ଯେଉଁମାନଙ୍କ ବୟସ ୬୦ରୁ ୭୦ବର୍ଷ ହେବ । ପାଖରେ ଅର୍ଥ ନଥିବାରୁ ଚିକିତ୍ସା ପାଇଁ ମେଡିକାଲ ମଧ୍ୟ ଯାଇପାରୁ ନାହାଁନ୍ତି । ପ୍ରାୟ ୭ଦିନ ହେଲାଣି ରାୟଗଡା ଜିଲ୍ଲା କୋଲନରା ବ୍ଳକ ଗାଡିଶେସଖାଲ ପଚାଂୟତ ଅନ୍ତର୍ଗତ ବିନିଶପୁର ଗାଁରେ ଏଭଳି ଅଜଣା ଜ୍ୱର ବ୍ୟାପିବାରେ ଲାଗିଛି ।
ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହି ଜ୍ୱର ହେବା ଦ୍ୱାରା ଗୋ. ହାତ, ମୁଣ୍ଡ ସହ ଛାତି ଓ ପେଟରେ ଭୀଷଣ ବ୍ୟଥା ହେଉଛି । ଏପରିକି ଚାଲିବା ମଧ୍ୟ କଷ୍ଟକର ହୋଇପଡୁଥିବାରୁ କିଛି ଖାଦ୍ୟ ଖାଇବାକୁ ଇଚ୍ଛା ହେଉନାହିଁ । ଔଷଧ ଦୋକାନରୁ କହି ଔଷଧ ଆଣି ଖାଇବା ଦ୍ୱାରା ଜ୍ୱର କିଛି ସମୟ ପାଇଁ କମିଯାଉଥିବା ବେଳେ ପୁଣି କିଛି ସମୟରେ ଜ୍ୱର ହେଉଛି । ଜ୍ୱରରେ ଗୁରୁତର ହୋଇ ତିନି ଜଣ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ପ୍ରଶାସନ ପାଖରେ ଏସମ୍ପର୍କରେ ଖବର ପହଞ୍ଚିବା ପରେ ଶୁକ୍ରବାର ରାତିରେ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ୟୋସ୍ନାମୟୀ ରାଉତଙ୍କ ନେତୃତ୍ୱରେ ଏକ ୪ ଜଣିଆ ଦଳ ଉକ୍ତ ଗ୍ରାମରେ ପହଚିଂ ରକ୍ତ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଛନ୍ତି । ରକ୍ତ ପରିକ୍ଷାରେ ମ୍ୟାଲେରିଆ ନେଗେଟିଭ ବାହାରୁଛି । ତେଣୁ ରୋଗ କଣ ଜଣା ପଡୁନଥିବା ବେଳେ ପୁଣି ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ବାହାରକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ରୋଗର କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତର ଜ୍ୟୋସ୍ନା ମୟୀ ରାଉତ ।
ଏହି ଗ୍ରାମରେ ପ୍ରାୟ ୮୦ଟି ପରିବାର ବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ । ଏମାନେ ସମସ୍ତେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଦିନ ମଜୁରିଆ କାମ କରି ନିଜ ପରିବାର ପ୍ରତିପୋପଷଣ କରିଥାନ୍ତି । ବର୍ତମାନ ଜ୍ୱରରେ ଆକ୍ରାନ୍ତ ଯୋଗୁଁ ଏମାନେ ଭଲରେ ଚାଲିପାରୁନଥିବା କାରଣରୁ ମୁଲ ଲାଗିବା ପାଇଁ ଯାଇପାରୁ ନାହାନ୍ତି । ଯାହା ଫଳରେ ଓଳିଏ ଚୁଲି ଜଳିଲେ ଓଳିଏ ଉପାସ ରହୁଛନ୍ତି ବୋଲି କହିଛନ୍ତି ଗାଁ ଲୋକେ ।



