ନ୍ୟୁୟର୍କ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ବାରମ୍ବାର ଯୁଦ୍ଧ ଧମକ ଦେଇଚାଲିଛନ୍ତି। ଜାତିସଂଘଠାରୁ ଆରମ୍ଭ କରି ଆମେରିକା ଏବଂ ଅନ୍ୟାନ୍ୟ ଦେଶ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ ନ କରିବାରୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଧମକ ଦେଇଛନ୍ତି। ବିଶ୍ଵ ସମୁଦାୟ ଯଦି କାଶ୍ମୀର ପ୍ରସଙ୍ଗକୁ ଅଣଦେଖା କରିବ, ତା’ହେଲେ ଭାରତ ସହ ଯୁଦ୍ଧ ହେବ ବୋଲି ଇମ୍ରାନ କହିଛନ୍ତି। ନ୍ୟୁୟର୍କ ଟାଇମ୍ସକୁ ଚିଠି ଲେଖି ଇମ୍ରାନ କହିଛନ୍ତି, କାଶ୍ମୀରରେ ଯଦି ଭାରତକୁ ରୋକିବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଏହାର ପରିଣାମ ପୂରା ଦୁନିଆକୁ ଭୋଗିବାକୁ ପଡ଼ିବ।
ପରମାଣୁ ଅସ୍ତ୍ରଶସ୍ତ୍ରରେ ଶକ୍ତିଶାଳୀ ଦୁଇ ଦେଇ ଭାରତ ଏବଂ ପାକିସ୍ତାନ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିରେ ରହିଛନ୍ତି। ଇମ୍ରାନ ପାକିସ୍ତାନ କାଙ୍ଗାଳ ହେବା ପଛରେ ଭାରତ ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଭାରତ ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ରେ କଳା ତାଲିକାଭୁକ୍ତ କରିବାକୁ ଚାହୁଁଛି। ଏହା ସହିତ ସେ ଆରଏସଏସକୁ ହିଟଲର ଏବଂ ମୁସୋଲିନୀଙ୍କ ସହିତ ତୁଳନା କରିଛନ୍ତି।



