www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ୟାଟିଂ ମାନ୍ୟତାର ପ୍ରଥମ ୩ ସ୍ଥାନରେ ଅଷ୍ଟ୍ରେଲୀୟ

ଦୁବାଇ : ଓଭାଲ୍‌ରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲ ପରେ ବୁଧବାର ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି। ଦେଢ଼ବର୍ଷ ପରେ ଭାରତୀୟ ଦଳକୁ ଫେରି ଏହି ମ୍ୟାଚ୍‌ରେ ୮୯ ଓ ୪୬ ରନ୍‌ କରିଥିବା ଅଭିଜ୍ଞ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ମାନ୍ୟତା ତାଲିକାରେ ପୁନଃପ୍ରବେଶ କରିଛନ୍ତି । ବ୍ୟାଟ୍‌ସମ୍ୟାନଙ୍କ ତାଲିକାରେ ରାହାଣେଙ୍କୁ ୩୭ତମ ସ୍ଥାନ ମିଳିଛି। ତେବେ ଏହି ଫାଇନାଲ ନ ଖେଳିବା ସତ୍ତ୍ବେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ଉପରୋକ୍ତ ଫାଇନାଲରେ ଭାରତକୁ ୨୦୯ ରନ୍‌ରେ ପରାସ୍ତକରି ପ୍ରଥମଥର ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ହୋଇଥିବା ଅଷ୍ଟ୍ରେଲିଆର ୩ ବ୍ୟାଟ୍‌ସମ୍ୟାନ୍ ଟେଷ୍ଟ ମାନ୍ୟତାର ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ମାର୍ନସ ଲାବୁସେନ୍‌ ୧ନଂ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ଶତକ ହାସଲ କରିଥିବା ଷ୍ଟିଭେନ୍‌ ସ୍ମିଥ୍ ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଉକ୍ତ ମ୍ୟାଚ୍‌ର ପ୍ରଥମ ଇନିଂସରେ ମାତ୍ର ୧୭୪ ବଲ୍‌ରୁ ବାମହାତି ଟ୍ରାଭିସ୍‌ ହେଡ୍‌ ଦର୍ଶନୀୟ ୧୬୩ ରନ୍‌ର ଇନିଂସ ଖେଳିଥିଲେ। ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଘୋଷିତ ହୋଇଥିବା ଟ୍ରାଭିସ୍‌ ହେଡ୍‌ ୩ଟି ସ୍ଥାନର ଉନ୍ନତି ଘଟାଇ ଜୀବନର ଶ୍ରେଷ୍ଠ ମାନ୍ୟତା ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଲାବୁସେନ୍‌ ୯୦୩, ସ୍ମିଥ୍ ୮୮୫ ଓ ହେଡ୍‌ ୮୮୪ ପଏଣ୍ଟରେ ରହିଛନ୍ତି। ପୂର୍ବରୁ ୩୯ ବର୍ଷ ତଳେ ଗୋଟିଏ ଦେଶର ୩ ଜଣ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ପ୍ରଥମ ୩ଟି ସ୍ଥାନରେ ଥିଲେ। ୧୯୮୪ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍‌ର ଗର୍ଡନ୍ ଗ୍ରିନିଜ୍‌, କ୍ଲାଇବ୍ ଲଏଡ୍‌ ଓ ଲ୍ୟାରି ଗୋମ୍‌ସ ୩ଟି ସ୍ଥାନରେ ରହିଥିଲେ। ସଦ୍ୟ ପ୍ରକାଶିତ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଓପ୍‌ନର ଉସ୍‌ମାନ ଖାୱାଜା ୯ମ ସ୍ଥାନରେ ରହିଛନ୍ତି। ଫଳରେ ଗୋଟିଏ ଦେଶର ୪ ଜଣ ବ୍ୟାଟ୍‌ସମ୍ୟାନ୍ ଶୀର୍ଷ-୧୦ରେ ରହିଛନ୍ତି। କାର୍‌ ଦୁର୍ଘଟଣାରେ ଆହତ ହୋଇ ବେଶ୍‌ କିଛିମାସ ହେଲା କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଋଷଭ ପନ୍ତ୍ ୧୦ମ ସ୍ଥାନରେ ରହିଛନ୍ତି। ଶୀର୍ଷ-୧୦ରେ ଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ପନ୍ତ୍ ଏକମାତ୍ର ଭାରତୀୟ। ବ୍ୟାଟିଂ ମାନ୍ୟତାରେ ତାଲିକାରେ ୨ଟି ସ୍ଥାନ ତଳକୁ ଖସି ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମ୍‌ସନ ୪ର୍ଥ ସ୍ଥାନରେ ରହିଛନ୍ତି। ସ୍ମିଥ୍‌ଙ୍କ ୮୮୫ ଓ ହେଡ୍‌ଙ୍କ ୮୮୪ ପରେ ୱିଲିୟମ୍‌ସନ ୮୮୩ ପଏଣ୍ଟରେ ରହିଛନ୍ତି। ଫଳରେ ୩ ଜଣଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ୍ ରହିଛି। ଗୋଟିଏ ସ୍ଥାନ ତଳକୁ ଖସି ପାକିସ୍ତାନର ବାବର ଆଜମ୍‌ ୫ମ, ଗୋଟିଏ ସ୍ଥାନ ଖସି ଇଂଲଣ୍ଡର ଜୋ ରୁଟ୍‌ ୬ଷ୍ଠ ଏବଂ ଗୋଟିଏ ଲେଖାଏଁ ସ୍ଥାନର ଉନ୍ନତି କରିଥିବା ନ୍ୟୁଜିଲାଣ୍ଡର ଡ୍ୟାରିଲ ମିଚେଲ ୭ମ ଓ ଶ୍ରୀଲଙ୍କାର ଦିମୁଥ୍‌ କରୁଣାରତ୍ନେ ୮ମ ସ୍ଥାନରେ ରହିଛନ୍ତି। ଫାଇନାଲରେ ୪୮ ଓ ଅପରାଜିତ ୬୬ ରନ୍‌ କରିଥିବା ଅଷ୍ଟ୍ରେଲିଆର ୱିକେଟ ରକ୍ଷକ ଆଲେକ୍ସ କ୍ୟାରୀ ୧୧ଟି ସ୍ଥାନର ଉନ୍ନତି ଘଟାଇ ୩୬ତମ ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ-୧୦ରେ ୩ ଜଣ ଭାରତୀୟ ଅଛନ୍ତି। ଆର୍. ଅଶ୍ବିନ ୧ନଂ ସ୍ଥାନ ବଜାୟ ରଖିଥିବା ବେଳେ ସାଥୀ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ୯ମ ସ୍ଥାନ ବଜାୟ ରଖିଛନ୍ତି। ୨୦୨୨ ଜୁଲାଇରେ ଶେଷଥର ଟେଷ୍ଟମ୍ୟାଚ୍‌ ଖେଳିଥିବା ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ୨ଟି ସ୍ଥାନ ତଳକୁ ଖସି ୮ମ ସ୍ଥାନରେ ରହିଛନ୍ତି। ଫାଇନାଲରେ ୫ଟି ୱିକେଟ ନେଇଥିବା ଅଷ୍ଟ୍ରେଲିଆର ଅଫ୍‌ସ୍ପିନର ନାଥାନ୍ ଲାୟନ୍‌ ୨ଟି ସ୍ଥାନର ଉନ୍ନତି ଘଟାଇ ୬ଷ୍ଠ ସ୍ଥାନରେ ରହିଛନ୍ତି। ଉକ୍ତ ମ୍ୟାଚ୍‌ରେ ୫ଟି ୱିକେଟ ନେଇଥିବା ଅଷ୍ଟ୍ରେଲିଆର ସ୍କଟ୍‌ ବୋଲାଣ୍ଡ ୩୬ତମ ସ୍ଥାନରେ ପହଞ୍ଚିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories