ଇମ୍ଫାଲ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା ନିୟନ୍ତ୍ରଣକୁ ଆସୁ ନାହିଁ। ହିଂସାକାରୀମାନେ ନିୟମିତ ବ୍ୟବଧାନରେ ହିଂସାକାଣ୍ଡ ଘଟାଇ ଲୋକଙ୍କ ଜୀବନ ନେଉଛନ୍ତି। ଏହି କ୍ରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଇମ୍ଫାଲ ପୂର୍ବ ଜିଲା ଓ କାଙ୍ଗପୋକି ଜିଲାର ସୀମାନ୍ତ ଖାମେନଲୋକ ଗ୍ରାମରେ ୧୧ଜଣଙ୍କୁ ଗଣହତ୍ୟା କରଯାଇଛି। ପୁଲିସ କହିବା ଅନୁଯାୟୀ ମଙ୍ଗଳବାର ରାତିରେ ଖାମେନଲୋକ ଗ୍ରାମରେ ଆତଙ୍କବାଦୀମାନେ ଲୋକଙ୍କ ଘର ଉପରକୁ ବୋମା ମାଡ କରିଥିଲେ। ବୋମାମାଡ ହେବା ଜାଣି ଲୋକେ ଘରୁ ବାହାରକୁ ଚାଲିଆସିଥିଲେ। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୋମାମାଡରେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଆହତ ଏବେ ଗୁରୁତର ଅବସ୍ଥାରେ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ଡାକ୍ତର କହିଛନ୍ତି। ମୃତଦେହଗୁଡିକ ପୋରୋମପାଟସ୍ଥିତ ଜେଏନ୍ ଭେଷଜ ବିଜ୍ଞାନ ପ୍ରତିଷ୍ଠାନରେ ରଖାଯାଇଛି। ମୃତକମାନେ ମୈତେଇ ସମ୍ପ୍ରଦାୟର ହୋଇଥିବା ଜଣାଯାଇଛି।
ଖାମେନଲୋକ ଗ୍ରାମକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି। ଖାମେନଲକ ଗ୍ରାମ କୁକି ଆଦିବାସୀ ଓ ଅଣ ଆଦିବାସୀ ମୈତେଇ ସମ୍ପ୍ରଦାୟଙ୍କ ସଂଘର୍ଷର ମୁଖ୍ୟ ଯୁଦ୍ଧ ଭୂମି। ଗତ କିଛି ଦିନରେ ଏଠାରେ ଅନେକ ଲୋକ ପ୍ରାଣ ହରାଇଲେଣି। ଏଠାରେ ଉଭୟ ଗୋଷ୍ଠୀର ଆତଙ୍କବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ପରସ୍ପର ଉପରେ ଆକ୍ରମଣ ଚଳାଇଛନ୍ତି। ନିରୀହ ଗ୍ରାମବାସୀଙ୍କ ହତ୍ୟା କରାଯିବାକୁ ନେଇ ସିଏଲପି ନେତା ଓକରାମ ଓବୋବି କହିଛନ୍ତି ଯେ ନିର୍ବାଚନ ସମୟରେ ବିଜେପିର ବଡବଡ ନେତାମାନେ ଏଠାକୁ ନିୟମିତ ଦୌଡୁ ଥିଲେ। ମାତ୍ର ରାଜ୍ୟରେ ହିଂସା ଲାଗି ରହିଥିବାବେଳେ ଏଠାରେ ବିଜେପି କେନ୍ଦ୍ର ନେତାଙ୍କ ଦେଖା ନାହିଁ। ମେ ୩ ତାରିଖରୁ ରାଜ୍ୟରେ ହିଂସା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ପଦଟିଏ କହିନାହାନ୍ତି। ତେବେ ଚଳିତମାସ ପ୍ରାରମ୍ଭରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚାରିଦିନିଆ ମଣିପୁର ଗସ୍ତ କରି ହିଂସା ପରିସ୍ଥିତିର ସମୀକ୍ଷା କରିଥିଲେ। ଅନ୍ୟପଟେ ଇମ୍ଫାଲ ପୂର୍ବ ଓ ଇମ୍ଫାଲ ପଶ୍ଚିମ ଜିଲାପାଳ କର୍ଫ୍ୟୁ ଅବଧିକୁ ହ୍ରାସ କରିଛନ୍ତି। ସୋମବାର ଏହି ଦୁଇ ଜିଲାରେ ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଥିଲା। ଏବେ ଏହି ଅବଧିକୁ ୨ଘଣ୍ଟା ହ୍ରାସ କରାଯାଇଛି। ସୋମବାର ମହିଳାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆରକେ ଦୋରେନ୍ଦ୍ରଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ରାତିରେ ଏନସିଆର ଲାଗୁ କରିବାକୁ ଦାବି କରିଥିଲେ। ମେ ୩ ତାରିଖରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ହିଂସାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହା ସହିତ ୩୦୦ରୁ ଅଧିକ ଆହତ ହେଲେଣି। ହିଂସାରେ ଘରଦ୍ବାର ହରାଇ ୫୦ହଜାର ଲୋକ ସରକାରଙ୍କ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି।
ଥମୁନି ମଣିପୁର ହିଂସା : ୧୧ ଜଣଙ୍କୁ ହତ୍ୟା
Popular Categories



