ଭୁବନେଶ୍ବର: ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସବୁ ପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ବେ ଓଡ଼ିଶାରେ ମାନବ ଚାଲାଣ ସ୍ଥିତି କ୍ରମାଗତ ଭାବେ ଉଦ୍ବେଗଜନକ ରହିଛି। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନ୍ସିଆରବି) ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ମାନବ ଚାଲାଣରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ୨୦୨୧ ଓ ୨୦୨୨ରେ ମଧ୍ୟ ଓଡ଼ିଶା ଶୀର୍ଷରେ ରହିଥିଲା। ଗୁରୁତ୍ବପୂର୍ଣ୍ଣ ହେଉଛି ମାନବ ଚାଲାଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ମାନବ ଚାଲାଣ ସହିତ ସେମାନଙ୍କୁ ଉଦ୍ଧାର କରିବାରେ ଓଡ଼ିଶା ଶୀର୍ଷରେ ରହିଛି।
ଏନ୍ସିଆରବି ରିପୋର୍ଟ ଅନୁସାରେ ୨୦୨୩ରେ ଓଡ଼ିଶାରେ ୧୩୦୫ ଜଣଙ୍କୁ ଚାଲାଣ କରାଯାଇଥିଲା। ୨୦୨୧ ଓ ୨୦୨୨ରେ ଏହି ସଂଖ୍ୟା ଯଥାକ୍ରମେ ୧୪୭୫ ଏବଂ ୧୧୨୦ ଥିଲା। ମାନବ ଚାଲାଣରେ ୨୦୨୩ରେ ଓଡ଼ିଶା ପଛକୁ ମହାରାଷ୍ଟ୍ର (୯୩୫) ଦ୍ବିତୀୟ ଓ ତେଲଙ୍ଗାନା (୬୨୬) ତୃତୀୟ ସ୍ଥାନରେ ରହିଛି। ଏହି ବର୍ଷ ଓଡ଼ିଶାରୁ ୬୬୧ ପୁରୁଷ ଓ ୬୪୪ ମହିଳାଙ୍କୁ ଚାଲାଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୩୪୮ ଜଣ (୧୮୧ ବାଳିକା)ଙ୍କ ବୟସ ୧୮ରୁ କମ୍ ଥିଲା। ୨୦୨୧ରେ ୨୯୧ ଜଣ ଏବଂ ୨୦୨୨ରେ ୩୫୩ ନାବାଳିକା/ନାବାଳକଙ୍କୁ ଚାଲାଣ କରାଯାଇଥିଲା। ପୂର୍ବରୁ ଚାଲାଣ ହୋଇଥିବା ୧୨୪୬ ଜଣ ପୀଡ଼ିତଙ୍କୁ ୨୦୨୩ ମସିହାରେ ପୁଲିସ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରେ ୬୪୯ ପୁରୁଷ, ୫୯୭ ମହିଳା ଓ ୩୪୨ (ନାବାଳକ/ନାବାଳିକା) ଅନ୍ତର୍ଭୁକ୍ତ। ରିପୋର୍ଟରେ କୁହାଯାଇଛି ଯେ ବଳପୂର୍ବକ ଶ୍ରମିକ ଭାବେ କାମ କରାଇବା, ଯୌନ ଶୋଷଣ, ଘରୋଇ ଭୃତ୍ୟ, ବିବାହ କରିବା ଏବଂ ଛୋଟମୋଟ ଅପରାଧରେ ସାମିଲ ପାଇଁ ମାନବ ଚାଲାଣ କରାଯାଉଛି। ଗତ କିଛି ବର୍ଷ ହେଲା ଓଡ଼ିଶା ସରକାର ମାନବ ଚାଲାଣ ରୋକିବା ଏବଂ ଉଦ୍ଧାର ପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇ ଆସୁଛନ୍ତି। ସେଥିପାଇଁ ରାଜ୍ୟର ୩୬ଟି ପୁଲିସ ଜିଲାରେ ଗୋଟିଏ ଲେଖାଏଁ ମାନବ ଚାଲାଣ ନିରୋଧ ୟୁନିଟ ସ୍ଥାପନ କରାଯାଇଛି।



