ହୀରାକୁଦ ସ୍ପିଲ-ୱେ : ତ୍ରିଶଙ୍କୁ ଅବସ୍ଥାରେ ୮୦୦ ପରିବାର
ହୀରାକୁଦ: ହୀରାକୁଦ ଅତିରିକ୍ତ ସ୍ପିଲ-ୱେ ବାସଚ୍ୟୁତ ଏବେ ତ୍ରିଶଙ୍କୁ ଅବସ୍ଥାରେ ଫଶିଛନ୍ତି। ଯେଉଁଠି ବର୍ଷ ବର୍ଷ ଧରି ବସବାସ କରି ଆସୁଛନ୍ତି ସେଠି ନା ରହି ପାରୁଛନ୍ତି ନା ସେ ସ୍ଥାନ ଛାଡ଼ି ଯାଇ ପାରୁଛନ୍ତି। ସେମାନଙ୍କୁ ଯେଉଁ ଜାଗାରେ ଥଇଥାନ କରାଯିବ ବୋଲି କୁହାଯାଉଛି ତାହା ଏକ ବିବାଦୀୟ ଜମି। ଏ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ପଡ଼ିଛି। ତଥାପି ସେହି ଜାଗାରେ ଏମାନଙ୍କୁ ଥଇଥାନ କରାଯିବ ବୋଲି କିପରି କୁହାଯାଇଛି ତାହା ଏବେ ବଡ଼ ପ୍ରଶ୍ନ।
ଅତିରିକ୍ତ ସ୍ପିଲ-ୱେ ନିର୍ମାଣ ପାଇଁ ଯେଉଁ ଜାଗା ଚିହ୍ନଟ ହୋଇଛି ସେହି ଯାଗାରେ ବସବାସ କରି ଆସୁଥିବା ୩୦୦ରୁ ଅଧିକ ପରିବାରଙ୍କ ମଧ୍ୟରୁ ଅନେକଙ୍କୁ ଅନ୍ୟତ୍ର ଥଇଥାନ କରାସରିଛି। ଆଉ ପ୍ରାୟ ୮୦୦ ପରିବର ବାକି ଅଛନ୍ତି। ସେମାନଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଝୁଲୁଛି। ଏହାର ଏକ ପ୍ରମୁଖ କାରଣ ହେଲା ସ୍ପିଲ-ୱେ ନିର୍ମାଣ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରଥମ ଜନ ଶୁଣାଣି ସମୟରେ ବିଶ୍ୱବ୍ୟାଙ୍କ ପ୍ରତିନିଧି, ହୀରାକୁଦ ମୁଖ୍ୟବନ୍ଧ ଅଧିକାରୀ, ଭୁ-ଅର୍ଜନ ଅଧିକାରୀ, ବନ ବିଭାଗ ଓ ଜିଲା ପ୍ରଶାସନର ପ୍ରତିନିଧି ଏକତ୍ର ବସି ନିଷ୍ପତ୍ତି ଘୋଷଣା କରିଥିଲେ ଯେ ହୀରାକୁଦ ବାସଚ୍ୟୁତ ହେବାକୁ ଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଘରବାଡ଼ି ଡିହ ଦିଆଯିବ। ସେଥି ପାଇଁ ବସନ୍ତପୁର, ଲରଭଙ୍ଗା, ଚିପିଲିମା, ଷୋଲାବନ୍ଧ ଓ ସ୍ନେହାପାଲି ଅଞ୍ଚଳରେ ଜମି ଚିହ୍ନଟ ହୋଇଥିଲା। କିନ୍ତୁ କାଳକ୍ରମେ ଏହି ନିଷ୍ପତ୍ତି ବଦଳିଗଲା।
ମୁଖ୍ୟବନ୍ଧ ଅଧିକାରୀ ସେମାନଙ୍କ ରୋଜଗାର ପନ୍ଥାକୁ ଆଖି ଆଗରେ ରଖି ଏହି ପରିବାରମାନଙ୍କୁ ଚିପିଲିମା ଓ ବସନ୍ତପୁର ବଦଳରେ ହୀରାକୁଦ ସହର ଭିତରେ ଥିବା ଏଚଆଇଡବ୍ଲୁ ଜମିରେ ଥଇଥାନ କରାଯିବ ବୋଲି ୮୦୦ ପରିବାରଙ୍କୁ ଲୋଭ ଦେଖାଇ ଆସୁଛନ୍ତି। କିନ୍ତୁ ଏଚଆଇଡବଲ୍ୟୁ ଜମି ମାମଲା ଏବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହି ପ୍ରଲୋଭନ ଓ ପ୍ରତିଶ୍ରୁତିର ବାସ୍ତବତା ନେଇ ପ୍ରଶ୍ନ ଉଠୁଛି। ଏହି ଜମିକୁ ୧୯୬୨ ମସିହାରେ ମୁଖ୍ୟବନ୍ଧ ଅଧିନରେ କାର୍ଯ୍ୟରତ ଅଧିକାରୀମାନେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଟେକି ଦେଇଥିଲେ। ହିଣ୍ଡାଲକୋ, ଏଚଆଇଡବ୍ଲୁ, କେବୁଲ ଓ ରି ରୋଲିଂ ମିଲ ଆଦି ଛୋଟବଡ଼ ଶିଳ୍ପାନୁଷ୍ଠାନକୁ ୯୯ ବର୍ଷିଆ ଲିଜ ସୂତ୍ରରେ ଦିଆଯାଇଥିଲା। ଏଥିରୁ ଏଚଆଇଡବ୍ଲୁ, କେବୁଲ ଓ ରି ରୋଲିଂ ମିଲ ବନ୍ଦ ହୋଇଗଲାଣି। ଏଚଆଇଡବ୍ଲୁରେ କାର୍ଯ୍ୟରତ ୨୮୫ ପରିବାର ଶ୍ରମିକମାନେ ସେମାନଙ୍କ ବର୍ଷ ବର୍ଷର ପ୍ରାପ୍ୟ ନ ପାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲା ସୁପ୍ରିମକୋର୍ଟ ଯାଏ ଯାଇଛି।
ଅଥଚ ସେହି ଜମି ଏହି ବିସ୍ଥାପିତମାନଙ୍କୁ ଦିଆଯିବ ବୋଲି ଅଧିକାରୀମାନେ କୌଣସି ନୀତିନିୟମ ଆଧାରରେ କହୁଛନ୍ତି ନା କେବଳ ପ୍ରଭାବିତ ପରିବାରଙ୍କୁ ଭୁଆଁ ବୁଲାଉଛନ୍ତି ତାହା ତଦନ୍ତ ସାପେକ୍ଷ। ଏହି ୧୩.୭୦ ଏକର ଜାଗାକୁ ଏଚଆଇଡବ୍ଲୁ ୧୯୬୨ ମସିହାରେ ହୀରାକୁଦ ମୁଖ୍ୟବନ୍ଧଠାରୁ କିଣିଥିଲା। ଏବେ କିନ୍ତୁ ସେହି ଜାଗାକୁ ସ୍ପିଲ-ୱେ ବିସ୍ଥାପିତମାନଙ୍କୁ ଦିଆଯିବ ବୋଲି ଯୋଜନା ଚାଲିଛି। ଅବଶିଷ୍ଟ ୮୦୦ ପରିବାରଙ୍କୁ ସ୍ପିଲ-ୱେ ଜାଗାରୁ ୫୦ ମିଟର ଦୂରରେ କିପରି ଥଇଥାନ କରାଯିବ ବୋଲି କୁହାଯାଉଛି ଅନ୍ୟ ଏକ ପ୍ରଶ୍ନ। ଏ ବାବଦରେ ସ୍ପିଲ-ୱେ ସହକାରୀ ଯନ୍ତ୍ରୀ ସୁଧାଂଶୁ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଜମି ଏବେ ହୀରାକୁଦ ବନ୍ଧ ଅଧୀନରେ ଅଛି। ଏହାକୁ ବିସ୍ଥାପିତ ପରିବାରଙ୍କୁ ଦିଆଯିବ। ୧୯୬୨ ମସିହାରେ ଏହି ଜମିକୁ ୪୪ ଲକ୍ଷ ୧୯ ହଜାର ୭୧୩ ଟଙ୍କାରେ ଏଚଆଇଡବ୍ଲୁ କିଣିଥିବା ସଂକ୍ରାନ୍ତ କୌଣସି ରେକର୍ଡ ଉପଲବ୍ଧ ନାହିଁ। ବରଂ ୧୯୯୪ ମସିହା ନକ୍ସା ଅନୁସାରେ ଏହି ଜମି ଏବେ ବି ହୀରାକୁଦ ବନ୍ଧ ଅଧୀନରେ ଅଛି। ଅନ୍ୟ ଶିିଳ୍ପକୁ ଲିଜରେ ଜମି ଦିଆଯିବାର ରେକର୍ଡ ଥିବା ବେଳେ କେବଳ ଏହି ଗୋଟିଏ କାରଖାନାର ରେକର୍ଡ କିପରି ଗାୟବ ହୋଇଗଲା ବୋଲି ପଚାରିବାରେ ଅଧିକାରୀ ଏ ବାବଦରେ ସେ ଜାଣିନଥିବା କହିଛନ୍ତି।
Comments are closed.