www.samajalive.in
Friday, December 12, 2025
19.1 C
Bhubaneswar

୮ ରାଜ୍ୟରେ ଶସ୍ତା ; ଓଡ଼ିଶାରେ ଅଧିକ

ଭୁବନେଶ୍ୱର : ବିଦ୍ୟୁତ୍ ଶୁଳ୍କ ଓ ବିଲ୍ ଆଦାୟରେ ଜାତୀୟ ହାରଠାରୁ ଓଡିଶା ଆଗରେ ରହିଛି। ବିଦ୍ୟୁତ ସଂସ୍କାର ନାଁରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼ ଦେଉଛି ସରକାର। ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ବିକାଶ ହୋଇପାରିଲା ନାହିଁ। ବିଦ୍ୟୁତ୍ ନିଅଣ୍ଟିଆ ୮ଟି ରାଜ୍ୟରେ ବିଦ୍ୟୁତ୍ ଶସ୍ତା ରହିଥିବାବେଳେ ଓଡ଼ିଶା ବଳକା ରାଜ୍ୟ ହୋଇ ଜାତୀୟ ହାରଠାରୁ ଏଠାରେ ୟୁନିଟ ପିଛା ଦର ଅଧିକ। ଘରୋଇ ସଂସ୍ଥାକୁ ଲାଭ ଦେବାକୁ ଯାଇ ଗ୍ରାହକଙ୍କ ଉପରେ ସରକାର ଜୁଲମ କରୁଛନ୍ତି, ଘନ ଘନ ବିଦ୍ୟୁତ୍ କାଟ୍ ହେଉଛି। ପିଲାମାନେ ପାଠ ପଢ଼ି ପାରୁନାହାନ୍ତି, ଏହିଭଳି ପ୍ରଶ୍ନବାଣରେ ବିରୋଧୀ ବିଜେପି ଓ କଂଗ୍ରେସ ଆଜି ସରକାରଙ୍କୁ ଘେରିଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ବିରୋଧୀ କେବଳ ଅସତ୍ୟ କହି ଗୃହକୁ ବିଭ୍ରାନ୍ତ କରୁଛନ୍ତି। ଓଡ଼ିଶାରେ କୌଣସି ଘୋଷିତ ବିଦ୍ୟୁତ୍ କାଟ ହୋଇନାହିଁ।
ସୋମବାର ଅପରାହ୍ଣରେ ‘ବିଦ୍ୟୁତ ସଂସ୍କାର ଆଳରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ। ଘନଘନ ପାୱାର କଟ୍, ଲୋ ଭୋଲଟେଜ, ଚୁଲିକି ଗଲାଣି ପିଲାଙ୍କ ପାଠ’ ଶୀର୍ଷକ ମୁଲତବୀ ଆଲୋଚନାରେ ଭାଗ ନେଇ ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି କହିଥିଲେ ଯେ, ସରକାରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଶକ୍ତି ମନ୍ତ୍ରୀ ଗୃହରେ ଅସତ୍ୟ ତଥ୍ୟ ରଖିଛନ୍ତି। ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ। ତେଲଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ଗୋଆ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଓଡ଼ିଶା ଠାରୁ ଶସ୍ତାରେ ବିଜୁଳି ମିଳୁଛି। ସେହିପରି ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଛାଡ୍ ହୋଇଥିବାବେଳେ ପଞ୍ଜାବ ସରକାର ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଛାଡ଼ କରିଛନ୍ତି। ଛତିଶଗଡ଼ ସରକାର ୧୦୦ ୟୁନିଟ୍ ପର୍ଯ୍ୟନ୍ତ ୭୦ ପଇସା ଲେଖାଏଁ ୟୁନିଟ୍ ପିଛା ନେଉଛନ୍ତି। ହେଲେ ଓଡ଼ିଶା ସରକାର ନିଜକୁ ବିଦ୍ୟୁତ୍ ବଳକା ରାଜ୍ୟ କହୁଥିଲେ ହେଁ ଏଠାରେ ୟୁନିଟ ପିଛା ଦର ଜାତୀୟ ହାରଠାରୁ ଢ଼େର ଅଧିକ ରହିଛି। ଜାତୀୟ ହାର ୟୁନିଟ୍ ପିଛା ୫.୧୧ ଟଙ୍କା ରହିଥିବାବେଳେ ରାଜ୍ୟରେ ୫.୨୨ ଟଙ୍କା ରହିଛି। ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ଥିବା ସତ୍ତ୍ବେ ଉପଭୋକ୍ତା ଚଢା ଦରରେ ବିଦ୍ୟୁତ୍ କିଣୁଛନ୍ତି। ପରିଚାଳନା ଗତ ବିଭ୍ରାଟ ଯୋଗୁଁ ହଜାର ହଜାର କୋଟି ଟଙ୍କାର କ୍ଷତି ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି। ୧୦ ବର୍ଷରେ ସରକାର ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ହେଁ ଫଳ ଶୂନ୍। ରାଜ୍ୟର ୩୩୨ଟି କମ୍ପାନୀ ଉପରେ ୫୧୫ କୋଟି ଟଙ୍କା ବକେୟା ରହିଥିଲେ ହେଁ ଜୟନ୍ତ କୁମାର ଜେନା ନାମକ ଜଣେ ଉପଭୋକ୍ତାଙ୍କଠାରୁ ମାତ୍ର ୪୭ ୟୁନିଟ୍ ବିଦ୍ୟୁତ୍ ପାଇଁ ନୋଟିସ କରାଯାଇଛି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆଲୋଚନାରେ ଭାଗ ନେଇ ଗ୍ରୀନ୍‌ ଏନର୍ଜୀ ବିଦ୍ୟୁତ୍ ଲକ୍ଷ୍ୟ ସାଧନରେ ସରକାର ବହୁ ଦୂରରେ ବୋଲି କହିଥିବାବେଳେ ବିଧାୟକ ସନାତନ ବିଜୁଳି ସାଧାରଣ ଲୋକେ ଶାଳପତ୍ର ମେସିନଟିଏ କିଭଳି ଚଳାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି ତା’ ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓଡ଼ିଶା ବଳକା ରାଜ୍ୟ କହୁଥିଲେ ହେଁ କେବେ ଏକ୍ଷେତ୍ରରେ ସ୍ବାବଲମ୍ବୀ ହେବ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଲୋକଙ୍କ ପାଖରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଅପହଞ୍ଚ। ବିଧାୟକ ଅଧିରାଜ ପାଣିଗ୍ରାହୀ ସରକାରଙ୍କ ବିଦ୍ୟୁତ ସଂସ୍କାର ନୀତିକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ମୋ ନିର୍ବାଚନ ମଣ୍ଡଳୀରେ ଏମିତି କେତେ ଗାଁ ରହିଛି ଯେଉଁଠି ଲୋକ ବିଦ୍ୟୁତ୍ କ’ଣ ଜାଣି ନାହାନ୍ତି। ଗାଁ ଗଣ୍ଡାରେ ଯଦି ଟ୍ରାନ୍ସଫର୍ମର ପୋଡି ଯାଉଛି ତେବେ ମାସାଧିକ କାଳ ଲୋକେ ଅନ୍ଧାରରେ ରହୁଛନ୍ତି। ସରକାରଙ୍କ ବିଦ୍ୟୁତ୍ ସଂସ୍କାର କେବଳ ଭେଳିକି ବୋଲି ସେ କହିଥିଲେ। ଶାସକ ଦଳ ପକ୍ଷରୁ ବିଧାୟକ ଉମାକାନ୍ତ ସାମନ୍ତରାୟ, ସୁଧୀର ସାମଲ, ଧ୍ରୁବ ସାହୁ, ଦେବୀ ରଞ୍ଜନ ତ୍ରିପାଠୀ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଶ୍ରୀ ସାମନ୍ତରାୟ କହିଥିଲେ ଯେ ୨୦ବର୍ଷ ପୂର୍ବେ ରାଜ୍ୟରେ ବିଦ୍ୟୁତର ଯେଉଁ ସ୍ଥିତି ଥିଲା ତାହା ଏବେ ନାହିଁ। ଯେକୌଣସି ବିପର୍ଯ୍ୟୟ ହେଲେ ବି ସରକାର କମ୍ ସମୟ ମଧ୍ୟରେ ଭିତ୍ତିଭୂମି ସଜାଡି ଲୋକଙ୍କୁ ବିଦ୍ୟୁତ୍ ସଂଯୋଗ ଦେଇପାରୁଛନ୍ତି।
ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ, ଓଡ଼ିଶା ବିଜୁଳି ବଳକା ରାଜ୍ୟ ଭାବେ ପରିଗଣିତ। ପୂର୍ବରୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ବିଜୁଳି କାଟ୍ ହେଉଥିଲା। ଏପ୍ରିଲ ୨୫ରୁ ଆଉ ଘୋଷିତ ବିଜୁଳି କାଟ୍ ହେଉନି। ଅତ୍ୟନ୍ତ ଜରୁରୀ ନ ଥିଲେ ମରାମତି କାମ ପାଇଁ ବିଜୁଳି ନ କାଟିବା ଲାଗି ନିର୍ଦେଶ ଦିଆଯାଇଛି। ଜାତୀୟ ହାର ତୁଳନାରେ ଦର ଓଡ଼ିଶାରେ କମ୍ ରହିଛି। ଜାତୀୟସ୍ତରରେ ରିଆତିକୁ ମିଶାଇ ୟୁନିଟ୍ ପିଛା ୬.୨୮ଟଙ୍କା ରହିଥିବାବେଳେ ଓଡ଼ିଶାର ୫.୨୨ ଟଙ୍କା ରହିଛି। ରାଜ୍ୟରେ ଗତ ୨୨ବର୍ଷ ମଧ୍ୟରେ ଗ୍ରାହକଙ୍କ ସଂଖ୍ୟା ୧୬ଲକ୍ଷରୁ ବୃଦ୍ଧି ପାଇ ୯୬ଲକ୍ଷରେ ପହଞ୍ଚିଛି। ସେତେବେଳେ ବିଦ୍ୟୁତ୍ ଚାହିଦା ୧୦ହଜାର ମେଗା ୟୁନିଟ୍ ଥିବାବେଳେ ଏବେ ଏହା ୨୭ହଜାର ୪୦୦ରେ ପହଞ୍ଚିଛି। ପୂର୍ବରୁ ବିଦ୍ୟୁତ୍ ଏଟିଆଣ୍ଡସି କ୍ଷତି ୫୭ ପ୍ରତିଶତ ଥିବାବେଳେ ଏବେ ଏହା ୨୬ପ୍ରତିଶତକୁ ହ୍ରାସ ପାଇଛି। ପିକ୍ ନିଅଣ୍ଟିଆ ୧୧ ପ୍ରତିଶତରୁ ଶୂନ୍ ପ୍ରତିଶତରେ ପହଞ୍ଚିଛି। ସେତେବେଳେ ୧୮ପ୍ରତିଶତ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିବାବେଳେ ଏବେ ଏହା ୯୭ ପ୍ରତିଶତରେ ପହଞ୍ଚିଲାଣି। ବିରୋଧୀମାନେ ବିଦ୍ୟୁତ୍ ପ୍ରସଙ୍ଗରେ ମୁଲତବି ଆଲୋଚନା ଆଣି ଗୃହକୁ ଅସତ୍ୟ କହିଛନ୍ତି। ଓଡ଼ିଶାର ଯାହା ବିଦ୍ୟୁତ୍ ଚାହିଦା ତାହା ଭରଣା କରିବାର ରାଜ୍ୟର ସାମର୍ଥ୍ୟ ରହିଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପି କକ୍ଷ ତ୍ୟାଗ କରିଥିଲା।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories