କଳାପଥର (ବାଙ୍କୀ): ଲଘୁଚାପ ଜନିତ ବର୍ଷା ଫଳରେ କଟକ ଜିଲା ବାଙ୍କୀ ବ୍ଲକରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ପ୍ରାଥମିକ ସେବା ସମବାୟ ସମିତି ଏବଂ ବ୍ୟାଙ୍କରୁ ରୁଣନେଇ ଧାନ ଫସଲ କରିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲରେ ବ୍ୟାପକ କ୍ଷତି ସହିବାକୁ ପଡିଛି। ବାଙ୍କୀ କଚେରୀ ପଡିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡିଆରେ ପାଣି ଭର୍ତ୍ତି ହୋଇ ରହିଛି। ବାଙ୍କୀ ଏନ୍.ଏ.ସିର ଜଳ ନିଷ୍କାସନର ସୁବିଧା ନଥିବାରୁ ଅଧିକାଂଶ ଲୋକଙ୍କ ଘରେ ଡ୍ରେନ୍ ପାଣି ପଶିଯାଇଛି। ଏନ୍.ଏ.ସିର ଯେଉଁଠାରେ ପାଣି ନିଷ୍କାସନ ହୁଏ ସେହି ନାଳ ମୁହଁରେ ଲୋକ ଘର କରିବା ଫଳରେ ପାଣି ନିଷ୍କାସନ ହେବା ପାଇଁ ବାଧା ସୃଷ୍ଟି ହେଉଛି।
ଡମପଡ଼ା ବ୍ଲକରେ ଚଳିତ ବର୍ଷ ୬ହଜାର ୨ଶହ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ସେଥିମଧ୍ୟରୁ ୨ଶହ ୩ହେକ୍ଟର ଧାନଜମି ପାଣିରେ ବୁଡି ରହିଛି ଏବଂ ପରିବା ଚାଷ ହୋଇଥିବା ୪୫୦୦ହେକ୍ଟର ଜମିରେ ଚାଷୀମାନେ ଚାଷ କରିଥିବା ବେଳେ ସେଥିମଧ୍ୟରୁ ୪୫ ହେକ୍ଟର ପାଣିରେ ବୁଡି ରହିଛି। ସେହିଭଳି ବାଙ୍କୀ ବ୍ଲକରେ ୬୨୧୦ହେକ୍ଟର ଧାନ ଚାଷ ହୋଇଥିବା ବେଳେ ୩୧୦ହେକ୍ଟର ପାଣିରେ ବୁଡି ରହିଛି ଏବଂ ପରିବା ଫସଲ ୧୨୫ହେକ୍ଟର ହୋଇଥିବା ବେଳେ ସେଥିରେ ୯୩ହେକ୍ଟର ଜଳମଗ୍ନ ହୋଇଛି। ଯଦି ଏହିପରି ଅଧିକ୨/୩ଦିନ ପାଣିରେ ବୁଡି ରହେ ଧାନ ଫସଲ ସହ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ଅଛି। ବର୍ତ୍ତମାନ ହିରାକୁଦ ବନ୍ୟାଜଳ ଛାଡିବା ଫଳରେ ମହାନଦୀରେ ବନ୍ୟାଜଳ ବୃଦ୍ଧି ହୋଇଛି। ଏଠାରେ ବିପଦ ସଂକେତ ୭.୮ମିଟର ଥିବା ବେଳେ ଗୁରୁବାର ଅପରାହ୍ନ ୫ଟା ସୁଧା ଜଳସ୍ତର ବିପଦ ସଂକେତ ତଳେ ପ୍ରଭାବିତ ହୋଇଛି।



