www.samajalive.in
Monday, December 8, 2025
27.1 C
Bhubaneswar

ଦକ୍ଷିଣକୁ ବର୍ଷା ଡର: ଲଘୁଚାପ ଅବପାତରେ ପରିଣତ

ଭୁବନେଶ୍ବର: ମହାନଦୀରେ ବନ୍ୟା ଜଳ ପ୍ରବାହ ବୃଦ୍ଧି ପାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଫାଟକ ଦେଇ ନିଷ୍କାସିତ ବନ୍ୟାଜଳ ମୁଣ୍ଡଳି ଛୁଇଁଛି। ରାତି ୯ଟାରେ ମୁଣ୍ଡଳିଠାରେ ପ୍ରତି ସେକେଣ୍ଡରେ ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ ପ୍ରବାହିତ ହେଉଥିବା ରେକର୍ଡ଼ କରାଯାଇଛି। ତେବେ ତଳମୁଣ୍ଡରେ ବନ୍ୟା ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଲେ ଏଭଳି ସ୍ଥିତି ଆସିଥାଏ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଅବପାତ ପ୍ରଭାବରେ ଦକ୍ଷିଣରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ ଅବପାତରେ ପରିଣତ ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅବପାତ ୨୭ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଓଡ଼ିଶା ଉପକୂଳ-ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଘଣ୍ଟା ପ୍ରତି ଝଟକା ପବନ ୬୦କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବାରୁ ୨୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି। ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ
ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଜଣାପଡ଼ିଛି।

- Advertisement -

ବର୍ଷା ବିତ୍ପାତ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରି ଜିଲା ପ୍ରଶାସନ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ସେହିପରି କଳାହାଣ୍ଡି ସମେତ ୪ ଜିଲାରେ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ଅତିରିକ୍ତ ଏସ୍‌ଆରସି ବ୍ରହ୍ମପୁର ଏବଂ ଛତ୍ରପୁର ଗସ୍ତ କରିଛନ୍ତି। ସମ୍ଭାବ୍ୟ ପରିସ୍ଥିତି ନେଇ ସରକାର ପ୍ରସ୍ତୁତ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତିନିଜଣ ମନ୍ତ୍ରୀ ଭୁବନେଶ୍ବରରୁ ଗଞ୍ଜାମ ଜିଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେଠାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯିବ। ଶୁଖିଲା ଏବଂ ରନ୍ଧାଖାଦ୍ୟ ବ୍ୟବସ୍ଥା, ପଶୁଙ୍କ ଖାଦ୍ୟ, ପଲିଥିନ ଜରି ଆଦି ସମସ୍ତ ପ୍ରକାର ସାମଗ୍ରୀ ମହଜୁଦ ରଖାଯାଇଛି।

ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୨୯ ଫୁଟ ରହିଥିଲା। ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୫ ହଜାର ୯୧୭ ଘନଫୁଟ ଜଳ ପ୍ରବେଶ କରୁଥିଲା। ଏହାସହ ୨୦ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୧ ହଜାର ୩୨୭ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ସେହିପରି ଖଇରମାଳରେ ୫.୦୮ ଲକ୍ଷ କ୍ୟୁସେକ୍ ଓ ବରମୂଳରେ ୪.୮୪ କ୍ୟୁସେକ ବନ୍ୟାଜଳ ପ୍ରବାହ କରୁଥିଲା। ମହାନଦୀରେ ସାଢ଼େ ୫ଲକ୍ଷ କ୍ୟୁସେକ୍ ଉପରେ ବନ୍ୟାଜଳ ପ୍ରବାହ କରୁଥିବାରୁ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଛି ବନ୍ୟା ପାଣି। ମହାନଦୀ ସହିତ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ବଢ଼ିବାରେ ଲାଗିଛି।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ମୁଣ୍ଡଳିରେ ୯ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହ କଲେ ବନ୍ୟା ଆସିଥାଏ। ସାଢ଼େ ୫ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହ କରୁଥିବାରୁ ବନ୍ୟା ଆଶଙ୍କା ନାହିଁ। ମୁଣ୍ଡଳିରେ ପ୍ରାୟ ୫ଘଣ୍ଟା ହେଲା ସାଢ଼େ ୫ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରୁଥିବାରୁ ବଢ଼ିବାର ଆଶଙ୍କା କମ। କିନ୍ତୁ ମୁଣ୍ଡଳି ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ସ୍ଥିତି ଉପରେ ଅନୁଧ୍ୟାନ କରାଯିବ। ହୀରାକୁଦ ଜଳ ଭଣ୍ଡାର ଅଧିକ ଫାଟକ ଖୋଲିବା ଉପରେ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଯଦି ଛତିଶଗଡ଼ରେ ଅଧିକ ବର୍ଷା ହୁଏ ତେବେ ସ୍ଥିତି ଉପରେ ଅନୁଧ୍ୟାନ କରି ଫାଟକ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories