www.samajalive.in
Monday, December 8, 2025
17.1 C
Bhubaneswar

ହିମାଚଳପ୍ରଦେଶ ସମେତ ୧୦ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ

ନୂଆଦିଲ୍ଳୀ : ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ସୋମବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ମଧ୍ୟପ୍ରଦେଶ ସମେତ ୧୦ ରାଜ୍ୟରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫଟା ବର୍ଷାରୁ ଦୁଇ ଦିନରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସେନା ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅନ୍ୟପକ୍ଷରେ ହିମାଚଳପ୍ରଦେଶରେ ରବିବାର ପ୍ରବଳର୍ଷା ଏବଂ ଭୂସ୍ଖଳନରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି।

ପାଣିପାଗ ବିଭାଗ ଅନୁସାରେ ସୋମବାର ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାରଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ପୁଡୁଚେରୀରେ କେତେକ ସ୍ଥାନରେ ହାଲକାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ଆରମ୍ଭରୁ ଏପର୍ଯ୍ୟନ୍ତ ଦେଶସାରା ୬୨୬ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ୬୧୨ ମିମି ବର୍ଷାଠାରୁ ପାଖାପାଖି ୨% ଅଧିକ।

- Advertisement -

ଉତ୍ତରକାଶୀରେ ଶନିବାର ରାତିରେ ବାଦଲ ଫଟା ବର୍ଷା ହୋଇଥିଲା। ଏଥିରେ କେତେକ ଘର ଭାସି ଯାଇଛି। ସୋମବାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ଏସଏ ମୁରକେଶନ କହିଛନ୍ତି ଯେ ବାଦଲଫଟା ବର୍ଷାରୁ ଉତ୍ତରକାଶୀରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସେନାର ୨ ହେଲିକପ୍ଟର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଉତ୍ତରକାଶୀ, ଚମୋଲି, ପିଥୋରାଗଡ଼, ଡେରାଡୁନ, ପାଉରୀ ଏବଂ ନୈନିତାଲରେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ସେପଟେ ବଦ୍ରିନାଥ ରାଜପଥର ୫ଟି ସ୍ଥାନରେ ଭୂସ୍ଖଳନରୁ ୮୦୦ ଜଣ ଯାତ୍ରୀ ବାଟରେ ଫସି ରହିଛନ୍ତି। ବଦ୍ରିନାଥ ଏବଂ ହିମକୁଣ୍ଡ ଯାଉଥିବା ଯାତ୍ରୀଙ୍କୁ ଯୋଶୀମଠ, ପାଣ୍ଡୁକେଶ୍ୱର ଏବଂ ଗୋବିନ୍ଦଘାଟର ସୁରକ୍ଷିତ ସ୍ଥାନରେ ରଖାଯାଇଛି।

ହିମାଚଳପ୍ରଦେଶର ୧୨ ଜିଲାରୁ ୧୧ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଭୂସ୍ଖଳନ ଯୋଗୁଁ ରାଜ୍ୟର ୯ଟି ଏନଏଚ ସମେତ ୮୭୭ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ରାଜ୍ୟରେ ରବିବାର ୧୦୨.୫ ମିମି ବର୍ଷା ହୋଇଥିଲା। ଏହା ଗୋଟିଏ ଦିନରେ ହେଉଥିବା ବର୍ଷାର ହାରଠାରୁ ପ୍ରାୟ ୧୦୬୫% ଅଧିକ ଅଟେ। ସିମଲାରେ ସତଲଜ ନଦୀ ଉପରେ ନିର୍ମିତ ଏକ ପୋଲ ବନ୍ୟା ସ୍ରୋତରେ ଭାସିଯାଇଛି।

ହରିୟାଣର ହାଥିନୀକୁଣ୍ଡ ବ୍ୟାରେଜରୁ ୮ ଲକ୍ଷ କ୍ୟୁସେକ ପାଣି ଯମୁନାକୁ ଛଡ଼ାଯାଉଛି। ଫଳରେ ଯମୁନା ଦିଲ୍ଲୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସରକାର ସମ୍ବେଦନଶୀଳ ସ୍ଥାନରେ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରିଛନ୍ତି। ଯମୁନାକୁ ଲାଗି ରହିଥିବା ଦିଲ୍ଲୀର ତଳିଆ ଅଞ୍ଚଳକୁ ଖାଲି କରାଯାଇଛି। ଏଥିନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜରୁରୀ ବୈଠକ ଡାକିଛନ୍ତି।

ପଞ୍ଜାବରେ ବ୍ୟାସ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜସ୍ଥାନର ପାଲି, ଧୋଲପୁର ଏବଂ ଆଜମେରରେ ପ୍ରବଳ ବର୍ଷା ଜାରି ରହିଛି। ମାଉଣ୍ଟ ଆବୁ ଏବଂ ପୁଷ୍କରରୁ ସମସ୍ତ ହୋଟେଲ ଏବଂ ରିସର୍ଟ ଖାଲି କରିଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories