ଭୁବନେଶ୍ୱର : ଫାଲଗୁନରେ ମୃଦୁ ମଳୟ ବହିବ କ’ଣ, ଏବେ ଅସହ୍ୟ ଝାଞ୍ଜି ପିଟିଲାଣି। ଆକାଶରୁ ସତେଯେମିତି ଅଗ୍ନି ବର୍ଷୁଛି। ଉପକୂଳରେ ପାରଦ ୩୫ ଡିଗ୍ରୀ ଭିତରେ ରହିଥିବାବେଳେ ପଶ୍ଚିମ ଓଡ଼ିଶାର ଅନେକ ସହରର ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କଲାଣି। ବୁଧବାର ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡା, ସମ୍ବଲପୁର, ସୋନପୁର ଓ ବୌଦ୍ଦ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି। ବିଶେଷକରି ବଲାଙ୍ଗୀର ତାପମାତ୍ରା ବୁଧବାର ୪୦.୫ ଡିଗ୍ରୀ ଅତିକ୍ରମ କରି ଚଳିତବର୍ଷର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ ପାରଦ ୪୦.୨ ଡିଗ୍ରୀ ଛୁଇଁଥିବାବେଳେ ଶିଳ୍ପାଞ୍ଚଳ ସହର ଅନୁଗୋଳ ତାପମାତ୍ରା ୪୦ ଡିଗ୍ରୀ ରହିଛି। ଏହାବ୍ୟତୀତ ୪ଟି ସହରରେ ପାରଦ ୩୯ ଡିଗ୍ରୀ ରହିଛି। ଏହି ରୌଦ୍ରକୋପ ୧୯ ତାରିଖ ପର୍ଯ୍ୟନ୍ତ ରହିବ। ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇ ଆସନ୍ତା ୨୧ ତାରିଖ ବେଳକୁ ଓଡ଼ିଶା ଆଡ଼କୁ ଆସୁଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଯଦିଓ ଓଡ଼ିଶା ପାଇଁ ବାତ୍ୟା ଡର ନାହିଁ; ମାତ୍ର ଏହାର ପ୍ରଭାବରେ ପାଣିପାଗ ହଠାତ୍ ବଦଳିବ। ଅତିକମ୍ରେ ୨୧ରୁ ୨୪ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହେବାକୁ ଥିବାରୁ ଗ୍ରୀଷ୍ମତାପ ହ୍ରାସ ପାଇପାରେ। ମାତ୍ର ତାତିରୁ ପଶ୍ଚିମ ଓଡ଼ିଶାକୁ ନିସ୍ତାର ମିଳିବନାହିଁ। କାରଣ ବାତ୍ୟାଜନିତ ବର୍ଷା ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳି ନ ପାରେ। ସବୁଠୁ ଚିନ୍ତାର ବିଷୟ ହେଉଛି, ବାତ୍ୟା ପରେ ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଘଟିପାରେ। ସେତେବେଳେ ଅର୍ଥାତ୍ ମାର୍ଚ୍ଚ ଶେଷ ସପ୍ତାହ ଆଡ଼କୁ ଖରା ପରିମାଣ ବଢିବ। ସେତେବେଳେ ଉପକୂଳ ସମେତ ପୂରା ଓଡ଼ିଶା ତତଲା ତାୱାରେ ସିଝିବା ଆଶଙ୍କା ରହିଛି। ଗତ ୩ ଦିନର ତାପମାତ୍ରା ବୃଦ୍ଧି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କଲାଣି।
ପାରଦ ଉପରମୁହାଁ ହେଲେ ଅଂଶୁଘାତ ବିପଦ ବଢିବା ସ୍ବାଭାବିକ। ଏବେଠୁଁ ନଦୀନାଳ ଜଳସ୍ତର ହ୍ରାସ ପାଇଥିବାବେଳେ ପାଟ, ପୋଖରୀ ଶୁଖିଲା ପଡିଲାଣି। ଗ୍ରାମାଞ୍ଚଳରେ ଜଳକଷ୍ଟ ଅନୁଭୂତ ହେଲାଣି। ଆଗକୁ ଗୋରୁଗାଈ ଓ ବୁଲା ପଶୁପକ୍ଷୀଙ୍କ ପାଇଁ ପାଣିଟୋପେ ମିଳିବା କଷ୍ଟକର ହୋଇପଡିବ। ଜଳକଷ୍ଟ ଦୂର ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରବଳ ଗ୍ରୀଷ୍ମତାପ ସାଙ୍ଗକୁ ସହରାଞ୍ଚଳରେ ପୌର ନିର୍ବାଚନ ସ୍ଥିତିକୁ ଅଧିକ ଉଷ୍ମ କରିଛି। ତାପମାତ୍ରା ବୃଦ୍ଧି ପୌର ନିର୍ବାଚନ ପ୍ରଚାରରେ ନିୟୋଜିତ ଲୋକଙ୍କ ଲାଗି ଅଂଶୁଘାତ ଭଳି ସମସ୍ୟା ସୃଷ୍ଟି କରିପାରେ। ଶ୍ରମଜୀବୀଙ୍କ ଲାଗି ସୃଷ୍ଟ ସମସ୍ୟା ଦୃଷ୍ଟିରୁ ସରକାର ଦିନ ୧୧ଟାରୁ କାର୍ଯ୍ୟବନ୍ଦ କରିବାକୁ ନିର୍ଦେଶ ଦେଇଥାନ୍ତି; ମାତ୍ର ସେ କାମ ନ କଲେ ତା’ ପରିବାର ଚୁଲି ଜଳିବା ନେଇ ଆଶଙ୍କା ଥିବାରୁ ତାତିକୁ ସେ ଖାତର କରି ନଥାଏ। ଏହା ଅଂଶୁଘାତ ମୃତ୍ୟୁର କାରଣ ପାଲଟିଥାଏ। ୧୯୯୮ ମସିହାରେ ଓଡ଼ିଶାରେ ଦେଖାଯାଇଥିଲା ଅଂଶୁଘାତର ପ୍ରକୋପ। ରାଜ୍ୟରେ ମୃତ୍ୟୁସଂଖ୍ୟା ସେତେବେଳେ ୨୦୪୨ ଛୁଇଁଥିଲା। ପରବର୍ତ୍ତୀ ସମୟରେ ସଚେତନତା ବୃଦ୍ଧି ଯୋଗୁଁ ଏହି ସଂଖ୍ୟାକୁ ବହୁପରିମାଣରେ ନିୟନ୍ତ୍ରଣ କରାଯାଇପାରିଛି।
ଏବେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢେ ୩ଟା ମଧ୍ୟରେ ଅତି ଜରୁରୀ କାମ ନ ଥିଲେ ପଦାକୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୂ-ପୃଷ୍ଠର ତାପମାତ୍ରା ବଢିଥାଏ। ସବୁଜ ଗୃହ ବାଷ୍ପ ନିର୍ଗମନ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ସହ ସବୁଜିମା ହ୍ରାସ ହିଁ ପାରଦ ବୃଦ୍ଧିର କାରଣ। ଭୌଗୋଳିକ ସ୍ଥିତି, ଜନସଂଖ୍ୟା ଘନତ୍ବ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ସହ ଲିଙ୍ଗଗତ କ୍ଷେତ୍ରକୁ ଅଂଶୁଘାତ ପ୍ରଭାବିତ କରିଥାଏ। ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଧ୍ୟାନରୁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅଂଶୁଘାତ ମୃତ୍ୟୁ ଅଧିକ ରହିଥାଏ। ପୁରୁଷମାନେ ବାହାରକୁ ବାହରୁଥିବାରୁ ଏଭଳି ବିପଦ ଅଧିକ ରହିଛି। ୨୦୦୧ରୁ ୨୦୦୫ ଓ ୨୦୦୧୧-୨୦୧୫ର ଦୁଇଟି ପରିସଂଖ୍ୟାନ ଅନୁଯାୟୀ, ପ୍ରଥମ ୫ ବର୍ଷରେ ଦେଶରେ ମହିଳାଙ୍କ ଅଂଶୁଘାତ ମୃତ୍ୟୁ ୮୪୯ ଥିବାବେଳେ ପୁରୁଷଙ୍କ ମୃତ୍ୟୁସଂଖ୍ୟା ୫୧୫୭ ରହିଥିଲା। ସେହିଭଳି ଦ୍ବିତୀୟ ୫ ବର୍ଷ ଅବଧିରେ ମହିଳାଙ୍କ ତୁଳନାରେ ପରୁଷଙ୍କ ମୃତ୍ୟୁ ୪ ଗୁଣ ରହିଥିଲା। ୧୯୯୮ରୁ ତାପମାତ୍ରା ବହୁଗୁଣ ବଢିଛି। ଉତ୍ତର ଭାରତରେ ଏହା ଅଧିକ। ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁରେ ବର୍ତ୍ତମାନ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଥିବାବେଳେ ଏବେଠୁ ଓଡ଼ିଶାର ୩ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସ୍ଥିତିର ଗମ୍ଭୀରତାକୁ ସୂଚାଉଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ବଲାଙ୍ଗୀର, ନୟାଗଡ, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକ ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ପରେ ୨ରୁ ୩ଡିଗ୍ରୀ ଦିନ ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲାପାଳମାନେ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆଜି ଝାରୁସୁଗୁଡ଼ାରେ ଦିନ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ବାରିପଦାରେ ୩୯.୪, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ୩୯, ଭବାନୀପାଟଣାରେ ୩୮.୫, ଭଦ୍ରକ ଓ ଯାଜପୁରରେ ୩୮.୨, ହୀରାକୁଦରେ ୩୮.୧, ତାଳଚେର, ସୁନ୍ଦରଗଡ ଓ କଟକରେ ୩୮ ଡିଗ୍ରୀ ପାରଦ ରହିଛି।
ବାଲେଶ୍ୱରରେ ତାପମାତ୍ରା ୩୫, ଚାନ୍ଦବାଲିରେ ୩୭.୫, ପାରାଦ୍ବୀପରେ ୩୨.୬, ଭୁବନେଶ୍ୱରରେ ୩୭.୬, ଗୋପାଳପୁରରେ ୩୨.୧ ଏବଂ ପୁରୀରେ ୩୩ ଡିଗ୍ରୀ ଦିନ ତାପମାତ୍ରା ଛୁଇଁଛି।
ଅଂଶୁଘାତ ଓ ପାନୀୟ ଜଳ ସଙ୍କଟକୁ ନେଇ ଚିନ୍ତା ; ଏବେଠୁ ଭୀତିପ୍ରଦ ତାତି
Popular Categories



