BJD Bijuli 480×75 Mob

ଜୀବନ ନେଇପାରେ ଏହି ମାରାତ୍ମକ କୀଟ, ସତର୍କ ରହିବାକୁ ପରାମର୍ଶ; ଦେଖନ୍ତୁ ଭିଡିଓ

BJD Bijuli 480×75 Mob

ଏକ ନୂଆ ପ୍ରଜାତିର ପୋକ ବା କୀଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଓଣ୍ଟାରିଓର ବାସିନ୍ଦା। ଏହି କୀଟ ଏତେ ମାରାତ୍ମକ ଯେ, ଏହାକୁ ଛୁଇଁବା ମାତ୍ରେ ମଣିଷ ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଏପରି କି ଏହି କୀଟରୁ ନିର୍ଗତ ହେଉଥିବା ଏକ ପ୍ରକାର ବିଷାକ୍ତ ପଦାର୍ଥ, ଯାହାକୁ ଟେଟ୍ରୋଡୋଟକ୍ସିନ କୁହାଯାଏ, ଛୋଟ ଛୋଟ ଜୀବଙ୍କର ପ୍ରାଣ ବି ନେଇଯାଇପାରେ। ଏହି କୀଟ ସହିତ ସିଧାସଳଖ ସମ୍ପର୍କରେ ନ ଆସିବାକୁ ଓଣ୍ଟାରିଓ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏହି କୀଟର ନାଁ ହେଉଛି ‘ହାମରହେଡ୍‌ ୱର୍ମ’। କେବଳ ଏତିକି ନୁହେଁ, ଏହି କୀଟ ଯେଉଁ ଅଞ୍ଚଳରେ ବଂଶ ବିସ୍ତାର କରିବେ ସେହି ଅଞ୍ଚଳର ଇକୋ ସିଷ୍ଟମ ଏବଂ ଜୈବବିବିଧତାକୁ ବିଗାଡ଼ିଦେବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ହାମରହେଡ୍‌ ୱର୍ମର ଉତ୍ପତ୍ତିସ୍ଥଳ ଦକ୍ଷିଣ-ପୂର୍ବ ଏସିଆ ବୋଲି କୁହାଯାଉଛି। କିନ୍ତୁ ଏହି ପ୍ରଜାତି ବର୍ତ୍ତମାନ ବଂଶ ବିସ୍ତାର କରି ପୃଥିବୀର ଅନ୍ୟ ଅଞ୍ଚଳକୁ ମାଡ଼ିଯାଉଛନ୍ତି। ଓଣ୍ଟାରିଓର ନ୍ୟୁ ମାର୍କେଟ, ହାମିଲଟନ ଏବଂ କିଚେନର ଅଞ୍ଚଳରେ ହାମରହେଡ୍‌ କୀଟ ଦେଖିବାକୁ ମିଳୁଛନ୍ତି। ଜୀବ ବିଜ୍ଞାନୀ ଜନ୍‌ ରେନୋଲ୍‌ଡ୍ସ କହିଛନ୍ତି, ହାମରହେଡ୍‌ କୀଟ ୩ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ। ଏମାନେ ଯେଉଁଠାରେ ରହିବେ ସେଠାକାର ଇକୋସିଷ୍ଟମ ଏବଂ ଗୃହପାଳିତ ପଶୁଙ୍କ ପାଇଁ ସଙ୍କଟ ସୃଷ୍ଟି କରିବେ। ଏମାନେ ଅତି ଜଲ୍‌ଦି ବଂଶ ବିସ୍ତାର କରିଥାନ୍ତି। ଏପରି କି ଏହି କୀଟ କୌଣସି କାରଣ ଯୋଗୁ ଯଦି ୫ ଖଣ୍ଡ ହୋଇଯାଏ ତେବେ ସେଥିରୁ ବି ସେମାନେ ପୁନର୍ବାର ବିକଶିତ ହୋଇପାରନ୍ତି। ପ୍ରତି ଖଣ୍ଡର ଅଂଶ ଗୋଟିଏ ଗୋଟିଏ ନୂଆ କୀଟରେ ପରିଣତ ହୋଇଥାନ୍ତି।

ଓଣ୍ଟାରିଓରେ ଏହି କୀଟଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯିବା ପରେ ପ୍ରାକୃତିକ ସମ୍ପଦ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବଂଶ ବିସ୍ତାର ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। କୌଣସି ବ୍ୟକ୍ତି ଏହି କୀଟକୁ ଦେଖିଲେ ତୁରନ୍ତ ସରକାରଙ୍କୁ ଅବଗତ କରିବାକୁ କୁହାଯାଇଛି। କୀଟଗୁଡ଼ିକୁ ଖାଲି ହାତରେ ସ୍ପର୍ଶ ନ କରିବାକୁ ସତର୍କ କରାଯାଇଛି। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି।

Comments are closed.