ଦୁର୍ଗମ ଗାଁ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ହରଭଙ୍ଗା: ବୌଦ୍ଧର ଜିଲ୍ଲାପାଳ ଜେ.ସୋନାଲ ହରଭଙ୍ଗା ବ୍ଲକର ଉପାନ୍ତ ତଳଗାଁ ପଂଚାୟତ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ତଳଗାଁ ପଞ୍ଚାୟତର ଗୋତିବିଡା, ବିରୁଡି ଏବଂ ରାଣୀସାହି ଭଳି ତିନୋଟି ଦୁର୍ଗମ ଗାଁରେ ପହଁଚି ଲୋକଙ୍କଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ । ବିରୁଡି ଗାଁରେ ବିଦ୍ୟୁତ ସଂଯୋଗ ହୋଇଥିଲେ ସୁଦ୍ଧା ଆଜିବି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତସପନ ପାଲଟିଛି।  ସେହିପରି ବିରୁଡିଠାରୁ ରାଣୀଗଞ୍ଜ ପର୍ଯ୍ୟନ୍ତ ଯାଇଥିବା  ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ଜାଣି  ତୁରନ୍ତ ଏହାର ମରାମତି ନେଇ ପ୍ରତିଶ୍ରୁତି ଦେଇଥିଲେ। ଗାଁ ଲୋକଙ୍କଠାରୁ  ଗମନାଗମନ, ପାନୀୟଜଳ,ସ୍ୱାସ୍ଥ୍ୟ,ଆବାସ ଘର,ଚାଉଳ ଆଦି ସମସ୍ୟା ବିଷୟରେ ଶୁଣିବା ପରେ ସେଗୁଡିକର ତ୍ୱରିତ ସମାଧାନ ପାଇଁ ବିଡିଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ପାତ୍ର, କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଅବିନାଶ ପ୍ରଧାନ ପ୍ରମୂଖ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ।

Comments are closed.