ହରଭଙ୍ଗା : ମହାମାରୀ କରୋନା ମଣିଷର ଜୀବନ ଜୀବିକାକୁ ବହୁମାତ୍ରାରେ ପ୍ରଭାବିତ କରିଛି। କରୋନା କାହାର ଜୀବନ ନେଇ ସଂସାର ଉଜାଡି ଦେଲାଣି ତ ଆଉ କାହା ପରିବାରର ରୋଜଗାର ଛଡାଇ ପରିବାରକୁ ଭୋକଉପାସରେ ଡହଳବିକଳ କଲାଣି। ମହାମାରୀର କରୁଣ ଦୁଃଖ ବର୍ତ୍ତମାନ ଅନେକ ଅଭାବି ଗରିବ ପରିବାରର ବେଉସା ବନ୍ଦ ଯୋଗୁଁ ସେମାନେ ଭୋକଉପାସରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ କାଠଡିପୋ ସାହିରେ ରହୁଥିବା ଶନିଶ୍ଚର ସାହୁ ଜଣେ ଗରିବ ଚା’ ଦୋକାନୀ କ୍ଷେତ୍ରରେ । ପୋଡଶୀ କନ୍ଧମାଳଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ଗାଁର ଶନିଶ୍ଚର , ପରିବାର କହିଲେ ସ୍ତ୍ରୀ ଅମ୍ବିକା ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର। ଦୀର୍ଘ ୪ବର୍ଷ ହେଲା ଚାରିଛକସ୍ଥିତ ଏକ ଭଡାଘରେ ରହି ହରଭଙ୍ଗା ତହସିଲ ଅଫିସ ନିକଟରେ ଚା ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି। କରୋନା ଯୋଗୁଁ ଦୀର୍ଘ ୧୬ଦିନ ହେଲା ରାଜ୍ୟରେ ତାଲାବନ୍ଦ ବଳବତର ରହିଛି।ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ଯୋଗୁଁ ଶନିଶ୍ଚର ଭଳି ଆହୁରି ଚାରିଛକ ବଜାରର ୧୪ଜଣ ଚା’ ଦୋକାନୀଙ୍କ ବେଉସାରେ ଛକି ପଡିଛି। ଚା ବିକି ପରିବାର ଚଳାଉଥିବା ଏହି ଅଭାବି ପରିବାରଙ୍କ ଜମି ବାଡି ଅନ୍ୟାନ୍ୟ ରୋଜଗାର ନଥିବାରୁ ଏମାନେ ବର୍ତ୍ତମାନ ବହୁ ଦୂଃଖ କଷ୍ଟରେ ଭୋକ ଉପାସରେ ଦିନ କାଟୁଥିବା ଜଣାପଡିଛି। ରାସନକାର୍ଡ ବିହୀନ ଏଭଳି ଅତ୍ୟନ୍ତ ଗରିବ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ସେମାନଙ୍କ ଗୁଜୁରାଣ ପାଇଁ କିଛି ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।
Popular Categories



