ହରଭଙ୍ଗା: ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ରରୁ ସରକାର ପ୍ରଚୁର ରାଜସ୍ୱ ପାଉଛନ୍ତି। ସରକାରୀ ସୁବିଧା ସତ୍ୱେ ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅଧିନରେ ରହିଥିବା ହଜାର ହଜାର କେନ୍ଦୁପତ୍ର ତୋଳାଳି ଏବଂ ବନ୍ଧାଳିଙ୍କ ସମସ୍ୟାପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଏମାନଙ୍କ ଜୀବନ ଜୀବିକା ଯେମିତିକୁ ସେମିତି ରହିଥିବା ଦେଖିବାକୁ ମିଳୁଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚୈତ୍ର ଏବଂ ବୈଶାଖ ମାସର ଟାଣ ଖରାରେ କଠିନ ପରିଶ୍ରମ କରି ଗରିବ ଶ୍ରେଣୀର ମହିଳାମାନେ କେନ୍ଦୁପତ୍ର ତୋଳିଥାନ୍ତି। ହିଂସ୍ରଜନ୍ତୁ ବାଘ, ଭାଲୁଙ୍କ ଭୟ ସତ୍ୱେ ଜୀବନକୁ ବାଜି ଲଗାଇ ଭୋରରୁ ମୁଣ୍ଡିଆକୁ ଯାଇ ୫/୬ ଘଣ୍ଟା ପରିଶ୍ରମ କରି ଦିନ ୧୦/୧୧ଟାରେ ଡହ ଡହ ଖରାରେ ଶହେରୁ ଦେଢଶହ କେରି କେନ୍ଦୁପତ୍ରକୁ ମୁଣ୍ଡରେ ବୋଝେଇ ଘରକୁ ଫେରିଥାନ୍ତି। ଘରକୁ ଫେରିବା ପରେ ୨୦ଟି ପତ୍ରକୁ ଗୋଟିଏ ଲେଖାଏଁ ବିଡା ବାନ୍ଧି ଅପରାହ୍ନ ୪ଟାବେଳେ ଫଡିରେ ଜମା କରିଥାନ୍ତି। ଏହି କାମରେ ଘରେ ପିଲାରୁ ବୃଦ୍ଧ ସମସ୍ତେ ଲାଗିଥାନ୍ତି। ଦିନ ତମାମ ଅକ୍ଳାନ୍ତ ପରିଶ୍ରମ କରି ମାସେ ଦୁଇମାସ ଏମାନେ ଏଥିରୁ ଜୀବିକା ନିର୍ବାହ କରିଥାନ୍ତି। ମାତ୍ର ବିଡମ୍ବନାର ବିଷୟ ପ୍ରତିବର୍ଷ ପତ୍ର ଖରାପ ଆଳ ଦେଖାଇ କେନ୍ଦୁପତ୍ର ବିଭାଗ ଏମାନଙ୍କଠାରୁ ଗୋଟିଏ କେରିରେ ୪ଟି ପତ୍ର ଅଧିକ ନେଉଥିବା ଅଭିଯୋଗ ହେଉଛି। ଏଭଳି ଶୋଷଣର ଶିକାର ସତ୍ୱେ ଆଜି ବି କେନ୍ଦୁପତ୍ର ତୋଳାଳି ପରିବାରମାନେ ବାପ, ଅଜା ଅମଳରୁ ଏହି ବୃତ୍ତିରେ ନିୟୋଜିତ ହୋଇ ଶୋଷଣର ଶିକାର ହେବା ପରେ ବି ଏହି କାର୍ଯ୍ୟରୁ ମୁହଁ ଫେରାଇ ନାହାନ୍ତି।
ଯେଉଁ ତୋଳାଳିଙ୍କ ପାଇଁ ସରକାର ସବୁଜ ହୀରାରୁ ପ୍ରଚୁର ରାଜସ୍ୱ ପାଉଛନ୍ତି, ସେହି ତୋଳାଳିଙ୍କ ମୌଳିକ ସୁବିଧା ଉପରେ ସରକାର ଗୁରତ୍ୱାରୋପ କଲେ ଏଥପାଇଁ ସେମାନଙ୍କ ଆଗ୍ରହ ବୃଦ୍ଧି ପାଇପାରନ୍ତା। ମାତ୍ର ମାଛ ତେଲରେ ମାଛ ଭାଜିବା ନ୍ୟାୟରେ ସବୁଜହୀରା ରାଜସ୍ୱରେ ସରକାର ମାଲାମାଲ ହେଉଥିବାବେଳେ ତୋଳାଳିଙ୍କ ଅବସ୍ଥାରେ ଆଶାନୁରୂପ ବିକାଶ ନ ଘଟିବାକୁ ନେଇ ତୋଳାଳିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ସରକାର ଆହୁରି ଯତ୍ନବାନ ହେବାକୁ ସାଧାରଣରେ ଦାବି ଉଠୁଛି।
ସୂଚନା ଅନୁସାରେ, ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ୧୯୭୩ ମସିହାରେ ଜାତୀୟକରଣ ହୋଇଥିଲା। ଏହି ବନଖଣ୍ଡ ଅଧିନରେ ଦୁଇଟି ଉପବନଖଣ୍ଡ ଏବଂ ୮ଟି କେନ୍ଦୁପତ୍ର ବନାଞ୍ଚଳକୁ ନେଇ ଗଠିତ। ଏହାର ମୁଖ୍ୟକାର୍ଯ୍ୟ ହେଲା କେନ୍ଦୁଗୋଛା କାଟିବା, ଫଡିଘର ମରାମତିକରିବା, କେନ୍ଦୁପତ୍ର ତୋଳିବା ଶୁଖାଇବା, ବନ୍ଧେଇକାର୍ଯ୍ୟ କରିବା ଏବଂ କେନ୍ଦୁପତ୍ର ବସ୍ତାଗୁଡିକୁ ଗୋଦାମ ଗୃହରେ ସୁରକ୍ଷିତ କରି ରଖିବା। କେନ୍ଦୁପତ୍ର କାର୍ଯ୍ୟ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିଥାଏ। ଉକ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜିଲ୍ଲାରେ କେନ୍ଦୁପତ୍ର କର୍ମଚାରୀ ସହିତ ୪୪ହଜାର ୪୩୭ଜଣ କେନ୍ଦୁପତ୍ର ତୋଳାଳି ସାଙ୍ଗକୁ ୧ହଜାର୨୪ଜଣ ସାମୟିକ କର୍ମଚାରୀ ନିୟୋଜିତ ଅଛନ୍ତି।
ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅଧିନରେ ଛତ୍ରଙ୍ଗ, ଚାରିଛକ, ବୀରନରସିଂହପୁର, ମନମୁଣ୍ଡା, ବାଉଁଶୁଣୀ, କଂଟାମାଳ, ଘଂଟାପଡା, ଦମାମୁଣ୍ଡା ଭଳି ଆଠଟି ରେଞ୍ଜରେ ୩୮୭ଟି କେନ୍ଦୁପତ୍ର ଫଢିଘର ରହିଛି। ସେଥିରୁ ୨୪୭ଟି ଅସ୍ଥାୟୀ ଫଡିଘର ଏବଂ ୧୨୯ଟି ସ୍ଥାୟୀ ଫଡିଘର ରହିଛି। ଗତ ୨୦୨୪-୨୫ ଆର୍ଥୀକ ବର୍ଷରେ କେନ୍ଦୁପତ୍ର କ୍ରୟ ପାଇଁ ୨୯କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଗତବର୍ଷ ୪୩ କୋଟି ଟଙ୍କାର କେନ୍ଦୁପତ୍ର ବିକ୍ରି ସରିଥିବା ଜଣାପଡ଼ିଛି। ମାତ୍ର ଗତ ବର୍ଷ ହରଭଙ୍ଗା ଏବଂ ବାଉଁଶୁଣୀ ରେଞ୍ଜର ଦୁଇ ଲଟ୍ ଅର୍ଥାତ୍ ଆହୁରି ୫୦ଲକ୍ଷରୁ ଊର୍ଦ୍ଧ୍ବ୍ୱ ଟଙ୍କାର କେନ୍ଦୁପତ୍ର ବିକ୍ରି ହୋଇପାରିନାହିଁ, ଯାହାଫଳରେ ଗତବର୍ଷ ଅଭାବୀ ବିକ୍ରି ଯୋଗୁଁଁ ଜିଲ୍ଲାରେ ସବୁଜ ହୀରାରୁ ରାଜସ୍ୱ ହାର ହ୍ରାସ ପାଇଛି। ସରକାର କେନ୍ଦୁପତ୍ରରରୁ ପ୍ରଚୁର ରାଜସ୍ୱ ସତ୍ୱେ କେନ୍ଦୁପତ୍ର ତୋଳାଳିଙ୍କୁ ପତ୍ର ବିକ୍ରିର ଦୁଇରୁ ତିିନିମାସ ବିଳମ୍ବରେ ସେମାନଙ୍କ ପ୍ରାପ୍ୟ ଏବଂ ବୋନସ ରାଶି ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି। ପ୍ରାପ୍ୟ ପ୍ରଦାନରେ ବିଳମ୍ବ ସାଙ୍ଗକୁ କେରି ପିଛା ମୂଲ୍ୟ ୧ଟଙ୍କା୬୦ ସୀମିତ ରଖାଯାଇଛି। ଯାହାଫଳରେ ସରକାରଙ୍କ କେରିପିଛା ଦରରେ ତୋଳାଳିମାନେ ସନ୍ତୁଷ୍ଟନଥିବା ଅଭିଯୋଗ ହେଉଛି। ବନ୍ଧେଇ ନୀତିରେ ପରିବର୍ତନ କରାଯାଉନାହିଁ, ଯାହାଫଳରେ ଜଣେ ବନ୍ଧାଳୀ ପ୍ରତିଦିନ ଅତିବେଶରିରେ ୪ରୁ୫ ବଣ୍ଡଲ ବନ୍ଧେଇ କରିବା ସୀମିତ ନିୟମ ରହିଛି। ଫଳରେ ଜଣେ ବନ୍ଧାଳି ବେଶିହେଲେ ଦିନକୁ ଦୁଇଶହରୁ ଅଢେଇଶହ ଟଙ୍କା ପାଉଛି। ଏହି ନିୟମରେ ପରିବର୍ତନ ହେଲେ ଅନେକ ବନ୍ଧାଳି ଆଉ ଦି ପଇସା ପାଇପାରନ୍ତେ ବୋଲି ଦାବି ହେଉଛି।
ସେହିପରି ତୋଳାଳି କାର୍ଡସଂଖ୍ୟା ପ୍ରତିବର୍ଷ ବୃଦ୍ଧି କରାଯାଉନଥିବାରୁ ପତ୍ର ତୋଳାରୁ ବହୁ ପରିବାର ବଞ୍ଚିତ ହେଉଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ପତ୍ର ତୋଳାଳୀ, ବନ୍ଧାଳୀଙ୍କ ମୌଳିକ ସୁବିଧା ପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି। ଏ ସର୍ମ୍ପକରେ ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ସୁଦର୍ଶନ ବାଗଦେଇଙ୍କୁ ପଚାରିବାରୁ ଚଳିତବର୍ଷ କେରି ଦର ୧ଟଙ୍କା ୬୦ରେ ସୀମିତ ରହିଛି।ସେହିପରି ଗୋଛାକଟା ଦର ୫୦୨ଟଙ୍କା ବୃଦ୍ଧି ଘଟିଛି। ପ୍ରତି ଦୁଇ ବର୍ଷରେ ଥରେ ତୋଳାଳିଙ୍କୁ ଛତା, ଚପଲ, ପାଣିବୋତଲ ପାଇଁ ସହୟତା ଦିଆଯାଉଛି। ଗତବର୍ଷ ପାଖାପାଖି ୫୦ଲକ୍ଷ ଟଙ୍କାର କେନ୍ଦୁପତ୍ର ପତ୍ର ବିକ୍ରି ହୋଇପାରିନାହିଁ କହିଥିଲେ। ଚଳିତ ବର୍ଷ ଭଲପତ୍ର ହୋଇଥିବରୁ ଏଥର ରାଜସ୍ୱ ବୃଦ୍ଧି ପାଇଁ ସେ ଆଶା ରଖିଛନ୍ତି। କେରିଦର ବୃଦ୍ଧି ଦିଗରେ ପଚାରିବାରୁ ସରକାର ଯାହା ନିଷ୍ପତି ନେବେ ବୋଲି କହିଥିଲେ।



