କ୍ରସର ଚାଲୁପାଇଁ ପ୍ରଶାସନର ସଜବାଜ

ଫୋର୍ସ ମୁତୟନ ପାଇଁ ପୁଲିସର ସାହାଯ୍ୟ ଲୋଡିଲେ ତହସିଲଦାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ଖରଭୂଇଁ ଅଞ୍ଚଳର କ୍ରସର ବିବାଦ ଉଗ୍ରରୂପ ଧାରଣ କରିବାକୁ ଯାଉଛି । ଗୋଟିଏ ପଟେ ଖରଭୂଇଁ ଗାଁ ଲୋକେ ଜଙ୍ଗଲ, ଜମି, ଜୀବନ, ଜୀବିକା ସୁରକ୍ଷା ଚିନ୍ତାରେ କୌଣସି ପରିସ୍ଥିତିରେ କ୍ରସର ଓ ପଥର କୁଆଁରୀ ଉପରେ ସାଲିସ କରାଯିବନାହିଁ ବୋଲି ବଜ୍ରଶପଥ ଗ୍ରହଣ କରିଛନ୍ତି । ଅନ୍ୟପଟେ ଜିଲ୍ଲାପ୍ରଶାସନ ପକ୍ଷରୁ ରାଜସ୍ୱ କ୍ଷତି ଏବଂ ଖୋର୍ଦ୍ଧା-ବଲାଙ୍ଗୀର ଐତିହାସିକ ରେଳପଥ ଭଲି ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତକୁ ଦୃଷ୍ଟିରେ ରଖି ଦୀର୍ଘ ଏକବର୍ଷରୁ ଊର୍ଦ୍ଧ୍ଵ ସମୟ ହେଲା ବନ୍ଦହୋଇ ରହିଥିବା ଷ୍ଟୋନ କ୍ରସର ଏବଂ ପଥର ଶିଳ୍ପ ଚାଲୁକରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସମାଧାନ ମାଧ୍ୟମରେ  ପଥର ଶିଳ୍ପ ଚାଲୁକରିବା ପାଇଁ  ଗତ ୭ ଅକ୍ଟୋବରରେ  ନିଜେ ବୌଦ୍ଧ ଜିଲ୍ଲାପାଳ ଏବଂ ବୌଦ୍ଧ ଏସ.ପି, ହରଭଙ୍ଗା ବି.ଡି.ଓ ଏବଂ ହରଭଙ୍ଗା ଅତିରିକ୍ତ ତହସିଲଦାର ଖରଭୂଇଁ ଗାଁରେ ପହଞ୍ଚି ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଆଲୋଚନା ୨୧ଦିନ ପରେ ବି କୌଣସି ନିଷ୍କର୍ଷ  ବାହାରିପାରିନଥିଲା । ଉନ୍ନୟନକାର୍ଯ୍ୟ ପାଇଁ ଆବଶ୍ୟକତା ପଡୁଥିବା ମେଟାଲ, ଚିପସ୍‌, ବଜୁରୀ ଭଳି କଂଚାମାଲର ପ୍ରଚୁର ଆବଶ୍ୟକତା  ସାଙ୍ଗକୁ ଜିଲ୍ଲାର ବିକାଶକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଯେକୌଣସି ପରିସ୍ଥିତିରେ କ୍ରସର ଏବଂ ପଥର କୁଆଁରୀ ଚାଲୁକରିବା ପାଇଁ ଅଂଟାଭିଡିଛି । ଏ ନେଇ ହରଭଙ୍ଗା ତହସିଲ ପ୍ରଶାସନ ପକ୍ଷରୁ ଶୁକ୍ରବାର ହରଭଙ୍ଗା ଥାନା ଆଇ.ଆଇ.ସିଙ୍କୁ ପୁଲିସ ଫୋର୍ସ ମୁତୟନ ସହିତ ପୁଲିସର ପ୍ରତ୍ୟକ୍ଷ ସହାୟତା ପାଇଁ ପତ୍ର ମାଧ୍ୟମରେ ଜଣାଯାଇଛି ।

ଗୋଟିଏ ପଟେ ଗାଁ ଲୋକଙ୍କ କ୍ରସର ବନ୍ଦ ନିଷ୍ପତ୍ତି ଅନ୍ୟପଟେ ଜିଲ୍ଲାପ୍ରଶାସନର  କ୍ରସର ଚାଲୁ ନିଷ୍ପତ୍ତିରେ ପୁଲିସର ଗୁରତ୍ୱପୂର୍ଣ୍ଣ ଭୂମିକା ଏଥିରେ କେତେ ପରିମାଣରେ ସହାୟକ ହେଉଛି ତାହା କେବଳ ଆଗକୁ ଦେଖିବା ବାକିରହିଛି । ସୂଚନା ଥାଉ କି ଗତ ୨୦୦୯ ମସିହାରୁ ଖରଭୂଇଁ ଅଂଚଳରେ କ୍ରସର ଭଲି ପଥର ଶିଳ୍ପ ଚାଲୁରହିଥିଲା । କ୍ରମଶଃ କିଛିବର୍ଷ ପରେ ଏଠାରେ କ୍ରସର ଶିଳ୍ପ ବୃଦ୍ଧି ପାଇବା ସହିତ ଏହାର ସଂଖ୍ୟା ୪ରେ ପଂହଚିଥିଲା । ଏହି ଶିଳ୍ପ ଦୀର୍ଘ ୧୪ବର୍ଷ ହେଲା ଚାଲୁଥିବା ବେଳେ  ଜୁନ୍‌ ୨୧ରେ କ୍ରସର ଶିଳ୍ପ ବନ୍ଦ  ପାଇଁ   ଆନ୍ଦୋଳନ  ଦାନା ବାନ୍ଧିଥିଲା । ପରବର୍ତ୍ତୀ ସମୟରେ ଗତ ୨୫ସେପ୍ଟମ୍ବରରେ ତତ୍କାଳିନ ଜିଲ୍ଲାପାଳ କ୍ରସର ବନ୍ଦ ପାଇଁ ନିଷ୍ପତ୍ତି ଶୁଣାଇବା ପରେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଖରଭୂଇଁ ଠାରେ କ୍ରସର ଶିଳ୍ପ ବନ୍ଦ ରହିଛି ।

ଏ ସର୍ମ୍ପକରେ ମତାମତ…

prayash

ଉତ୍ତର ଭୋକ୍ତା(ଗ୍ରାମବାସୀ)-କ୍ରସର ଯୋଗୁଁ ଲୋକେ କିଡନୀ ଭଳି ମହାମାରୀ ରୋଗରେ ପୀଡିତ ହେଉଛନ୍ତି । ବିସ୍ଫୋରଣ ଏବଂ ଗଭୀର ଖନନ ଯୋଗୁଁ ଜଳସ୍ତର ହ୍ରାସ ପାଇବା ସହିତ ଚାଷଜମି ମରୁଭୂମି ପାଲଟୁଛି । ଏହା ସହିତ ପକ୍କାଘର ଫାଟ ସୃଷ୍ଟି ହେବା ସହିତ ମୂଲ୍ୟବାନ ଗଛ ଧ୍ୱଂସ ହେବାକୁ ବସିଛି । ଏଥିପାଇଁ କ୍ରସର ବନ୍ଦ ହେଉ ବୋଲି ଆମେ ଚାହୁଁଛୁ ।

ଶୈଳବାଳା ସାହୁ (ଗ୍ରାମବାସୀ)- ଆଗାମୀ ଭିବଷ୍ୟତ କଥା ଚିନ୍ତାକରି ଆମେ କ୍ରସର ବନ୍ଦ ହେଉ ବୋଲି ଚାହିଁଛୁ । କ୍ରସର ଏବଂ ପଥର ବିସ୍ଫୋରଣ ପ୍ରଭାବରେ ବିକଳାଙ୍ଗ ପିଲା ଜନ୍ମ ହେଉଛନ୍ତି । ଏମିତି ପିଲା ଗର୍ଭରେ ମଧ୍ୟ ନଷ୍ଟ ହେଉଛି । ଡଷ୍ଟ,ପାଉଡର ଯୋଗୁଁ ଚାଷଜମି ନଷ୍ଟ ହେଉଛି । ସେଥିପାଇଁ ଆମେ କ୍ରସର ବନ୍ଦ ପାଇଁ ଦାବି କରୁଛୁ ।

ଅବକାଶ ସାହୁ (ରାଜ୍ୟ ସମ୍ପାଦକ ଏ.ଆଇ.ଓାଇ.ଏଫ)- ଖରଭୂଇଁରେ ପଥର ଓ କ୍ରସରକୁ ନେଇ ଛକାପଞ୍ଝା ଚାଲିଛି । ଏଥିରେ ଜିଲ୍ଲାପ୍ରଶାସନ ପକ୍ଷଭୁକ୍ତ ନ ହୋଇ ନିରପେକ୍ଷଭାବେ ଲୋକଙ୍କ ସହିତ ଆଲୋଚନା କରନ୍ତୁ । କ୍ରସର ଆଇନ, କାନୁନ ବାବଦରେ ଲୋକଙ୍କ ଜାଣିବାର ଅଧିକାର ରହିଛି ଏ ବିଷୟରେ ପ୍ରଶାସନ ଲୋକଙ୍କୁ ଅବଗତ କରାନ୍ତୁ ।କୌଣସି ପକ୍ଷଭୁକ୍ତ ନ ହୋଇ ନିରପେକ୍ଷଭାବେ ଲୋକଙ୍କ ସହିତ ଆଲୋଚନା କରନ୍ତୁ । ଆଇନର ଉପରେ କେହି ନୁହଁନ୍ତି । ନିରପେକ୍ଷ ଆଲୋଚନା କରିବାର ଏବେ ବି ସମୟ ଅଛି ।ସେ ବିଷୟରେ ଜିଲ୍ଲାପ୍ରଶାସନ ବିଚାରବିମର୍ଶ କଲେ ହୁଏତ ସମାଧାନର ରାସ୍ତା ଫିଟିପାରନ୍ତା ।

ବୁଦ୍ଧିସାଗର ମିଶ୍ର (କ୍ରସର ମାଲ୍ଲିକ ସଂଘ ସଭାପତି)-ଆମେ ସବୁ ସମୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ।ଯେତେଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନ ହେବ ,ତାହା ସମସ୍ତଙ୍କ ପାଇଁ ସୁବିଧା ହୋଇପାରିବ ।

kalyan agarbati

Comments are closed.