ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଚୋରାମଦ କାରବାର ରୋକିବା ଲାଗି ଅଭିଯାନ ଚାଲିଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ଆଠଗଡ ଅବକାରୀ ଓ କଟକ ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ବଡଧରଣର ଚଢାଉ କରାଯାଇଛି । ଖଣ୍ଡୁଆଳି ନିକଟସ୍ଥ ଘଞ୍ଚ ଜଙ୍ଗଲରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯିବା ସହିତ ବଡ ବଡ ଗାତ ଖୋଳି ଶହ ଶହ ପ୍ଲାଷ୍ଟିକ ଜାରକିନରେ ମଦ ପ୍ରସ୍ତୁତ ପାଇଁ ଲୁଚାଇ ରଖାଯାଇଥିବା ୧୧୧୩୦ ଲିଟର ପୋଚ ଓ ସଦ୍ୟ ପ୍ରସ୍ତୁତ ୧୬୧୦ ଲିଟର ଦେଶୀମଦ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଫେରାର ମଦ ମାଫିଆଙ୍କ ବିରୋଧରେ ୪ଟି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଏହି ଚଢାଉରେ କଟକ ଉପ ଅଧିକ୍ଷକ ଶ୍ରୃତିକାନ୍ତ ରାଉତ, ଆଠଗଡ ଉପ ଅଧିକ୍ଷକ ଅଭିରାମ ସାହୁ, ଉପନିରୀକ୍ଷକ ଅରୁଣ ଭୋଇ, ଅଜିତ ପାତ୍ର, ସୌମ୍ୟରଞ୍ଜନ ମାଝିଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
ବଡ ଧରଣର ଅବକାରୀ ଚଢାଉ ;୧୬୧୦ଲିଟର ମଦ ଓ ୧୧୧୩୦ ଲିଟର ପୋଚ ଜବତ
Popular Categories



