ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ସ୍ଥିତି ଏକପ୍ରକାର ନିୟନ୍ତ୍ରଣରେ ରହିଛି । ତେବେ କରୋନାର ପରବର୍ତୀ ପର୍ଯ୍ୟାୟ ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଆସନ୍ତା ଶୀତଋତୁ ବେଳକୁ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଭବିଷ୍ୟତବାଣୀ କରିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦେଶକ ଡ଼ା. ରଣଦୀପ ଗୁଲେରିଆ ।
ଶ୍ରୀ ଗୁଲେରିଆ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ କହିଥିଲେ ଯେ ଆମକୁ କରୋନା ସହ କିଛି ଦିନ ରହିବାକୁ ପଡିବ। ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସ୍ଥିତି ରହିବା ସହ ଶୀତ ଦିନବେଳକୁ ଏହାର ଦ୍ବିତୀୟ ପର୍ଯ୍ୟାୟ ବୃଦ୍ଧି ଦେଖାଯିବ । ସରକାରଙ୍କ କୋଭିଦ-୧୯ ପାଇଁ ଯୋଜନା ପ୍ରସ୍ତୁତ ତଥା ତଦାରଖ ସହ ଜଡିତ ଥିବା ଡାକ୍ତର ଗୁଲେରିଆ କହିଛନ୍ତି ଯେ ହଟସ୍ପଟ ଉପରେ ଗୁରୁତ୍ବାରୋପ କରାଯାଉଛି । ସେଥିପାଇଁ ସଂଗରୋଧ ବ୍ୟବସ୍ଥା କରାଯାଉଛି। କିନ୍ତୁ ଆଗାମୀ ଦିନରେ ନୂଆ ଯୋଜନା ପ୍ରସ୍ତୁତ କରାଯିବା ଦରକାର । ଏ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଘରୋଇ ହସ୍ପିଟାଲଗୁଡିକର ଏତେଟା ଭୂମିକା ନଥିବା ବେଳେ ଆଗାମୀ ଦିନରେ ସେମାନେ ଆଗେଇ ଆସିବା ଦରକାର ବୋଲି ଡାକ୍ତର ଗୁଲେରିଆ କହିଛନ୍ତି ।



