ପୁଣି ଧରା ପଡ଼ିଲା ଆଉ ଏକ ଜିଏସଟି ଠକେଇ: ୨୬୨ କୋଟି ଟଙ୍କାର ଜାଲ କାରବାର, ଠକିଛନ୍ତି ୪୦ କୋଟି ୬୬ ଲକ୍ଷ

ରାଉରକେଲା: ଜିଏସ୍‍ଟି ଠକେଇ ଘଟଣାରେ ରାଉରକେଲାର ଆଉ ଜଣେ ମାଷ୍ଟର ମାଇଣ୍ଡ ଧରା ପଡ଼ିଛନ୍ତି। ସେ ହେଲେ ସନ୍ତୋଷ କୁମାର ଗୁପ୍ତା (୪୫)। ସନ୍ତୋଷ ୧୦ଟି ଜାଲ କମ୍ପାନୀ ଖୋଲି କୌଣସି ସାମଗ୍ରୀ ନ କିଣି ଓ ନ ବିକି ୨୬୨ କୋଟି ଟଙ୍କାର ଜାଲ କାରବାର କରିଛନ୍ତି। ଏଥିରୁ ସେ ୪୦ କୋଟି ୬୬ ଲକ୍ଷ ଟଙ୍କା ଜିଏସ୍‍ଟି ଠକିଥିବା ଜିଏସ୍‍ଟିକୁ ପ୍ରମାଣ ମିଳିବା ପରେ ଆଜି ସନ୍ତୋଷଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ରାଉରକେଲା ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ହାଜର କରାଯାଥିଲା। କୋର୍ଟରେ ଜାମିନ ନାକଚ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜିଏସ୍‍ଟି ଠକେଇ ଘଟଣାରେ ସନ୍ତୋଷଙ୍କୁ ମିଶାଇ ରାଉରକେଲାରୁ ମୋଟ୍‍ରେ ୧୧ ଜଣ ଗିରଫ ହୋଇ ସାରିଲେଣି।

ବାସନ୍ତୀ କଲୋନୀ ବିଏଲ୍‍ ବ୍ଲକରେ ରହୁଥିବା ସନ୍ତୋଷ ଜିଏସ୍‍ଟି ହେରାଫେରିରେ ସଂପୃକ୍ତ ଥିବା ବିଭାଗୀୟ ଅଧିକାରୀ କୌଣସି ପ୍ରାୟ ୧୦ ମାସ ତଳେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ସିଭିଲ ଟାଉନଶିପ୍‍ରେ ସନ୍ତୋଷଙ୍କ ମାଲିକାନାରେ ମେସର୍ସ ପେସିଫିକ୍‍ ପ୍ୟାକେଜିଂ ଇଣ୍ଡଷ୍ଟ୍ରିଜ୍‍ ଚାଲିଥିବା ସୂଚନା ପାଇ ଜିଏସ୍ଟଟି ଅଧିକାରୀମାନେ ସେଠାରେ ଗତ ବର୍ଷ ଫେବୃଆରୀ ମାସରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେଠାରୁ ବିଭିନ୍ନ ଫାର୍ମର ସେଲ୍‌ଫ ପରଚେଜ୍‍ ରେଜିଷ୍ଟର, ବିଭିନ୍ନ କମ୍ପାନୀ ଜିଏସ୍‍ଟି ଲଗ୍‍ ଇନ୍‍ ଆଇଡି, ଡିଜିଟାଲ ସିଗ୍‍ନେଚର ସାର୍ଟିଫିକେଟ (ଡିଏସ୍‍ସି), ବିଭିନ୍ନ ଫାର୍ମର ବ୍ୟାଙ୍କ କାରବାର ସମ୍ପର୍କିତ ବ୍ୟାଙ୍କ ଷ୍ଟେଟ୍‍ମେଣ୍ଟ ଓ ଇନ୍‍ଭଏସ ମିଳିଥିଲା।

ଏହା ସହିତ ତାଙ୍କ କାର୍ଯ୍ୟାଳୟରୁ ମେସର୍ସ ମ୍ରିଡାନ ଇସ୍ପାତ ପ୍ରାଇଭେଟ ଲିମିଟେ ଏବଂ ମେସର୍ସ ମହାରଦ୍ଦିକା ଇସ୍ପାତ ପ୍ରାଇଭେଟ ଲିମିଟେଡ ଦୁଇଟି ବ୍ୟବସାୟିକ ସଂସ୍ଥା ଚାଲୁଥିବା ଜଣାପଡ଼ିଥିଲା। ଏସବୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଲା ପରେ ବିଭାଗର ତଦନ୍ତ ତ୍ୱରାନ୍ୱିତ ହୋଇଥିଲା। ସେହିଦିନ ଠାରୁ ଜିଏସ୍‍ଟି ଅଧିକାରୀମାନେ ସନ୍ତୋଷକୁ ଏକ ପ୍ରକାର ନଜର ବନ୍ଦୀ କରି ରଖିଥିଲେ। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ସନ୍ତୋଷଙ୍କ କଳା ସାମ୍ରାଜ୍ୟର ଗୁମର ପଦାରେ ପଡ଼ି ଯାଇଥିଲା। ସନ୍ତୋଷ ୧୦ଟି ଜାଲ ଫାର୍ମ ପରିଚାଳନା କରୁଥିବା ଧରା ପଡ଼ିଯାଇଥିଲା। ସେଗୁଡ଼ିକ ହେଲା ହରି ଓମ୍‍ ଆସୋସିଏଟ୍ସ। କମ୍ପାନୀର ଠିକଣା ଜଗଦା ଝିରପାଣି ଦର୍ଶା ଯାଇଥିବା ବେଳେ ପ୍ରୋପ୍ରାଇଟର ହେଉଛନ୍ତି ରବିଶଙ୍କର ୟାଲିଆ।

ସେହିପରି ବାଲାଜୀ ଏଣ୍ଟରପ୍ରାଇଜେସ୍‍ ନାମକ ଏକ କମ୍ପାନୀ କୁମ୍ଭାରପଡ଼ା ଉଦିତନଗରରେ ରହିଛି। ସେଥିରେ ପ୍ରୋପ୍ରାଇଟର ରହିଛନ୍ତି ଉମାକାନ୍ତ ପଟ୍ଟନାୟକ। ୪ର୍ଥ କମ୍ପାନୀ ହେଲା ପଞ୍ଚମୁଖୀ ଟ୍ରେଡର୍ସ। ବିଭୁତି ରଥଙ୍କୁ ଏହି କମ୍ପାନୀର ମାଲିକ ଦର୍ଶା ଯାଇଥିବା ବେଳେ ଭଦ୍ରକ ଜିଲା ଗରଦପୁର ଉତ୍ତରବାହିନୀରେ ଏହାର କାର୍ଯ୍ୟାଳୟ ରହିଛି। ପଞ୍ଚମ କମ୍ପାନୀ ହେଲା ମା’ ଭଦ୍ରାକାଳୀ ଟ୍ରେଡର୍ସ। ଯାହାର ଠିକଣା ରହିଛି ସେହି ଭଦ୍ରକ ଜିଲା ଉତ୍ତରବାହିନୀ ଗରଦପୁର ଓ ମାଲିକ ହେଉଛନ୍ତି ସୁବୋଧ କୁମାର ଜେନା। ସେହିପରି ଛେଣ୍ଡ କଲୋନୀ ସି୨-ଏମ୍‍ ବ୍ଲକରେ ସାଇରାମ ଏଣ୍ଟରପ୍ରାଇଜେସ୍‍ ନାଁରେ ଫେକ୍‍ ଫାର୍ମ ରହିଛି। ସଂଗ୍ରାମ କେଶରୀ ସ୍ୱାଇଁଙ୍କୁ ମାଲିକ ଭାବେ ଦର୍ଶା ଯାଇଛି।

ଛେଣ୍ଡ କଲୋନୀ ଜଗତ୍‍ ଜନନୀ ମାର୍କେଟରେ ମା’ ଦୁର୍ଗା ଟ୍ରେଡର୍ସ ନାଁରେ ଆଉ ଏକ ଫାର୍ମ ଖୋଲା ଯାଇଛି। ସେଥିରେ ଦୁଇ ଜଣ ମାଲିକ ରହିଛନ୍ତି। ଜଣେ ହେଲେ କାଶ୍ମିରା କୁମାର ଅଗ୍ରୱାଲ ଓ ଅନ୍ୟ ଜଣେ ହେଲେ ମନୋରଞ୍ଜନ ଦାସ। ସିଭିଲ ଟାଉନଶିପ୍‍ରେ ମାରିଡାନ ଇସ୍ପାତ ପ୍ରାଇଭେଟ ଲିମିଟେଡ, ମାହାରଦ୍ଦିକା ଇସ୍ପାତ ପ୍ରାଇଭେଟ ଲିମିଟେଡ ଓ ମାଇଓମ୍‍ କନଷ୍ଟ୍ରକନସନ ପ୍ରାଇଭେଟ ଲିମିଟେଡ ନାଁରେ ୩ଟି ଫେକ୍‍ ଫାର୍ମ ପଞ୍ଜିକୃତ ହୋଇଥିଲା। ସେସବୁ କମ୍ପାନୀରୀ ପ୍ରୋପ୍ରାଇଟ ହେଲେ ଯଥାକ୍ରମେ- ଗଜେନ୍ଦ୍ର ସିଂହଲ ଓ ସମୀର କୁମାର ରାଉତ, ଗଜେନ୍ଦ୍ର ସିଂହଲ ଓ ସୋନିଆ କୁମାରୀ ସିଂହଲ ଏବଂ ଡମ୍ବରୁଧର ସାମଲ। ସେହିପରି ୧୦ମ ସଂସ୍ଥା ହେଲା ମାଇଓମ୍‍ ଷ୍ଟିଲ୍ସ ଲିମିଟେଡ। ଏହାର କାର୍ଯ୍ୟାଳୟ ଛେଣ୍ଡ କଲୋନୀ ସି୩ଏମ୍‍ରେ ରହିଥିବା ବେଳେ ଏମ୍‍ଡି ରହିଛନ୍ତି ନୀତୁ ସିଂହ ଓ ଚନ୍ଦ୍ରକେଶ ସିଂହ ଓ ନମିତା ସିଂହ ଦୁଇ ଡାଇରେକ୍ଟର ରହିଛନ୍ତି।

ଏହି ସବୁ ସଂସ୍ଥାର ଏବଂ ମାଲିକମାନଙ୍କର ପାନ୍‍ କାର୍ଡ଼, ବ୍ୟାଙ୍କ ଚେକ୍‍ବୁକ୍‍, ଏଟିଏମ୍‍ କାର୍ଡ଼, ରେଣ୍ଟ ଏଗ୍ରିମେଣ୍ଟ, ରବର ଷ୍ଟାମ୍ପ, ଇନ୍‍ଭଏସ୍‍, ଇ-ୱେ ବିଲ ସନ୍ତୋଷ ନିଜେ ପାଖରେ ରଖିଥିଲେ। ଏହି ୧୦ଟି ଜାଲ ଫାର୍ମ ଜରିଆରେ ସନ୍ତୋଷ କେବଳ ୨୬୨ କୋଟିର ଫେକ୍‍ ବିଲ ବିକ୍ରି କରିଥିଲେ। ଏହି ପ୍ରକ୍ରିୟାରେ ସେ ହରିଓମ୍‍ ଆସୋସିଏଟ୍ସ କମ୍ପାନୀ ଜରିଆରେ ୩ କୋଟି ୯୮ ଲକ୍ଷ ଟଙ୍କା, ବାଲାଜୀ ଇଣ୍ଟରପ୍ରାଇଜେସ୍‍ ଜରିଆରେ ୪ କୋଟି ୮୯ ଲକ୍ଷ ଟଙ୍କା, ପଞ୍ଚମୁଖୀ ଟ୍ରେଡର୍ସ ଜରିଆରେ ୪ କୋଟି ୮୪ ଲକ୍ଷ ଟଙ୍କା, ମା’ ଭଦ୍ରାକାଳୀ ଟ୍ରେଡର୍ସ ଜରିଆରେ ୪ କୋଟି ୧୪ ଲକ୍ଷ ଟଙ୍କା, ସାଇରାମ ଇଣ୍ଟରପ୍ରାଇଜେସ୍‍ ଜରିଆରେ ୮ କୋଟି ୯୭ ଲକ୍ଷ ଟଙ୍କା, ମା ଦୁର୍ଗା ଟ୍ରେଡର୍ସ ଜରିଆରେ ୫ କୋଟି ୧୬ ଲକ୍ଷ ଟଙ୍କା, ମାରିଡାନ ଇସ୍ପାତ ପ୍ରାଇଭେଟ ଲିମିଟେଡ ଜରିଆରେ ୩ କୋଟି ୪୫ ଲକ୍ଷ ଟଙ୍କା, ମାହାରଦ୍ଦିକା ଇସ୍ପାତ ପ୍ରାଇଭେଟ ଲିମିଟେଡ ଜରିଆରେ ୧୪ ଲକ୍ଷ ଟଙ୍କା, ମାଇଓମ୍‍ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ଜରିଆରେ ୧ କୋଟି ୫୭ ଲକ୍ଷ ଟଙ୍କା ଓ ମାଇଓମ୍‍ ଷ୍ଟିଲ୍ସ ଲିମିଟେଡ ଜରିଆରେ ୩ କୋଟି ୪୭ ଲକ୍ଷ ଟଙ୍କା ମିଶାଇ ମୋଟ୍‍ରେ ୪୦ କୋଟି ୬୬ ଲକ୍ଷ ଟଙ୍କା ଆଇଟିସି ହାସଲ କରିଥିବା ଡିଜିଜିଆଇ ରାଉରକେଲାର ଡେପୁଟି ଡାଇରେକ୍ଟର କୁନାଲ କୁମାର ସୂଚନା ଦେଇଛନ୍ତି।

Comments are closed.