ବିରଳ ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ଉଦ୍ଧାର, ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ଗୋପାଳପୁର: ଗୋପାଳପୁର ନିକଟସ୍ଥ ପାର୍ବତୀପୁର ଗ୍ରାମରେ ଥିବା ଅଧପନ୍ତରିଆ ଶ୍ରୀଶ୍ରୀ ତାରକେଶ୍ବର ମନ୍ଦିର ନିକଟରେ ପିତଳର ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ମିଳିଥିବା ଜଣାପଡିଛି। ଗ୍ରାମର ଭାବିନି ଦାସକୁ ପ୍ରାୟ ଏକ ବର୍ଷ ଧରି ବିଭିନ୍ନ ରୂପରେ ଏଠାରେ ଏହି ନଅ ଫଣି ମୂର୍ତ୍ତି ଥିବା ନେଇ ସ୍ବପ୍ନ ହେଉଥିଲା। ଏଠାରେ ଆଜି ପୂଜାର୍ଚ୍ଚନା କରି ବାହାର କରିବା ପାଇଁ ସ୍ବପ୍ନରେ ନିର୍ଦେଶ ହୋଇଥିଲା। ଆଜି ଭୋରରୁ ମନ୍ଦିର ନିକଟରେ ନିର୍ଦେଶ ଥିବା ସ୍ଥାନରେ ପ୍ରାୟ ୭ ଫୁଟ ଖୋଳା ହୋଇଥିବା ବେଳେ ସେଠାରୁ ପିତଳର ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ମିଳିଥିଲା।
ଏହାକୁ ଯତ୍ନର ସହ ଉଦ୍ଧାର ପରେ ଭାବିନି ଦାସ ଓ ସନିଆ ଦାସ ପୂଜାର୍ଚ୍ଚନା କରିଥିଲେ। ଏହାକୁ ଭାବିନି ଦାସଙ୍କ ଘରେ ଥିବା ପୁରୁଣା ମନ୍ଦିରରେ ସ୍ଥାପନ କରାଯାଇଛି। ଅଧପନ୍ତରିଆ ଥିବା ଶିବ ମନ୍ଦିରରେ ଠାକୁରଙ୍କ ନିର୍ଦେଶ ପରେ ଏଭଳି ବିରଳ ମୂର୍ତ୍ତି ସେ ଉଦ୍ଧାର କରିଥିବା ଭାବିନି ଦାସ କହିଛନ୍ତି। ଏହି ବିରଳ ମୂର୍ତ୍ତି ଉଦ୍ଧାର ହେବା ଘଟଣା ଖବର ପ୍ରସାରିତ ହେବା ପରେ ଗ୍ରାମର ଲୋକଙ୍କ ସମତେ ଆଖପାଖ ଅଞ୍ଚଳର ଲୋକେ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।
Comments are closed.