ସମ୍ଭାବନା ର ଆଢ଼ୁଆଳରେ ଗୀତାଞ୍ଜଳୀ ର ଜୀବନ ; କିଶୋରୀ ବୟସରେ ସାଜିଛି ଅନ୍ଧ ପିତାଙ୍କ ଆଶାବାଡ଼ି
ରେଙ୍ଗାଲିକେମ୍ପ : କିଶୋର ବୟସ ର ଚପଲତା ଭରା ଓ ଆନନ୍ଦ ଭରା ଅନୁଭୂତି ସବୁ ମଣିଷ ପାଇଁ ଅଭୁଲା। ଜୀବନର ଶେଷ ପର୍ଯ୍ୟନ୍ତ ଏଇ ଅନୁଭୂତି ମଣିଷ ପାଇଁ ଚିର ସ୍ମରଣୀୟ ହୋଇ ରହେ। ଯେଉଁ ଅନୁଭୂତି ନିରୋଳା ମନରେ ହସ ଖେଳାଇ ଦେଇପାରେ। କିନ୍ତୁ ସବୁ ମଣିଷଙ୍କ ଭାଗ୍ୟରେ ଏହା ନ ଥାଏ। ଏମିତି ଏକ ଅଭାଗି ଝିଅ ଗୀତାଞ୍ଜଳୀ। ବୟସ ଦଶ କି ଏଗାର ହେବ। ପରିବାର କହିଲେ ଅନ୍ଧ ପିତା ଓ ସାତ ବର୍ଷର ଭାଇ। ସରକାରୀ ଜାଗାରେ ପାଲଟାଣି ରହନ୍ତି। ଦାରିଦ୍ର୍ୟତା ତାଙ୍କର ପରମ ବନ୍ଧୁ ସାଜିଛି। କିନ୍ତୁ ପାଠ ପଢ଼ିବାର ଦୃଢ଼ ଇଚ୍ଛାଶକ୍ତି ରହିଛି ପିଲାଟି ଦିନରୁ। ତାକୁ ଯେତେବେଳେ ପାଞ୍ଚ ବର୍ଷ ମା’ ଅନ୍ଧ ପିତା ଓ ଭାଇକୁ ଗୀତା ହାତରେ ଟେକିଦେଇ ଆରପାରିକୁ ଚାଲିଗଲା। ସେଇ ଦିନଠାରୁ ଗୀତା ର କୈଶୋର ପରିବାର ବୋଝରେ ଚାପି ହୋଇ ରହିଗଲା। ତଥାପି ପାଠ ପଢ଼ିବାର ଇଛାଶକ୍ତି ତାର କମି ନଥିଲା। ସେ ଆଜି ଷଷ୍ଠ ଶ୍ରେଣୀରେ ପଢୁଛି। ଅନ୍ଧ ପିତାଙ୍କୁ ଭିକ ମାଗିବାରେ ସେ ସାହାଯ୍ୟ କରେ। ବାଡି ଧରି ଗୀତା ଆଗେ ଆଗେ ନିଜ ଜୀବନର ଗୀତ ଶୁଣାଇ ଅନ୍ଧ ବାପାଙ୍କୁ ରାସ୍ତା ଦେଖାଇ ଚାଲିଛି ଏମିତି ପ୍ରତିଦିନ। ଏବେ ସ୍କୁଲ୍ ବନ୍ଦ ଥିବା ଯୋଗୁ ସେ ସବୁଦିନେ ବାପାଙ୍କ ସହ ଭିକ ମାଗି ଯାଏ ଓ ଘରକାମ ବି କରେ। ଭାଇର ଯତ୍ନ ନିଏ। ତଥାପି ତା ମୁହଁରେ ନିରାଶର ଚିହ୍ନ ନଥାଏ କି କାଣିଚାଏ ଦୁଃଖ। ଝିଅଟିକୁ ଦେଖି ସମସ୍ତେ ଆହା କରନ୍ତି ହେଲେ ସହାୟତାର ହାତ କେହି ବଢାନ୍ତି ନାହିଁ। ସରକାରଙ୍କ ନିୟମ ଅନୁସାରେ ସବୁ ପିଲାମାନେ ୧୪ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ଶିକ୍ଷା ଦାନ ପାଇବାର ଅଧିକାର ଅଛି। ସେଇ ଅଧିକାର କୁ ସେ ପୁରା କରିବାର ସ୍ବପ୍ନ ଦେଖିଛି। ଭବିଷ୍ୟତ ତା’ ପାଇଁ କ’ଣ ଆଣିଦେବ ସେଥିପାଇଁ ତାର ଚିନ୍ତା ନାହିଁ। କିଶୋରୀ ମନର ଚଂଚଳତା ବି ନାହିଁ। କେବଳ ଚାହିଁଛି ପରିବାର ପ୍ରତି ସହାୟତାର ହାତ ଟିଏ। ଯେଉଁ ହାତ ତା ଅନ୍ଧ ପିତା ପାଇଁ ମୁଠାଏ ଆହାର ଦେବା ସହ ତାର ଇଚ୍ଛାକୁ ପୂରଣ ହେବା ପାଇଁ ରାସ୍ତା ଦେଖାଇବ। ସାନ ଭାଇ ଭଲ ମଣିଷଟେ ହୋଇପାରିବ। ତେବେ ଦେଖାଯାଉ ଗୀତାଞ୍ଜଳୀ ର ଜୀବନ ର ମୋଡ଼ କେଉଁଆଡେ ଯାଉଛି।
Comments are closed.