ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୁଲିସ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଚଢାଉ କରି ୧୬କେଜି ଗଞ୍ଜେଇ ସହିତ ଏକ ସ୍କୁଟି ଜବତ କରିଛି। ଏହା ସହ ଘଟଣାରେ ସଂପୃକ୍ତ ୨ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ ନାକଟିଦେଉଳ ଥାନା ଏସଆଇ ପବିତ୍ର କୁମାର ଭୋଇ ଏବଂ ଜ୍ୟୋତିରଂଜନ ସେଠୀ ସଦଳବଳେ ରେଢାଖୋଲ-ଦେବଗଡ଼ ରାଜ୍ୟ ରାଜପଥରେ ପାଟ୍ରୋଲିଂ କରୁଥିବାବେଳେ ଏହି ରାସ୍ତାରେ ଏକ ସ୍କୁଟି ଯୋଗେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସଂପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ନାକଟିଦେଉଳ ଥାନା ଚନ୍ଦ୍ରପୁରଠାରେ ନାକାବନ୍ଦୀ କରିଥିଲେ। ତେବେ ଏହି ସମୟରେ ଆସୁଥିବା ଏକ ଟିଭିଏସ ଜୁପିଟର ସ୍କୁଟିକୁ ସନ୍ଦେହ ହେବାରୁ ତା’ର ଖାନତଲାସୀ କରିଥିଲେ। ତନଖି ବେଳେ ଉକ୍ତ ସ୍କୁଟିରୁ ୧୫କେଜି ୬୨୮ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ପୁଲିସ ଏହି ଘଟଣାରେ ଗଞ୍ଜେଇ ସହ ସ୍କୁଟିକୁ ଜବତ କରିବା ସହ ଚୋରା ଚାଲାଣକାରୀ ଝାଡ଼ଖଣ୍ଡ ପୂର୍ବ ସିଂହ ଭୂମି ଜିଲା ଅନ୍ତର୍ଗତ ବାଗବେରା କଲୋନୀର ଅଜୟ ମୁଖୀ(୩୮) ଏବଂ ଆନନ୍ଦ କୁମାର ସିଂ(୩୦)ଙ୍କୁ ଗିରଫ କରିଥିଲେ। ଏଥି ସହିତ ସେମାନଙ୍କଠାରୁ ଏକ ମୋବାଇଲ ଫୋନ୍ ମଧ୍ୟ ଜବତ କରିଥିଲେ। ନାକଟିଦେଉଳ ପୁଲିସ ଗିରଫ ୨ଜଣ ଚୋରା ଚାଲାଣକାରୀଙ୍କୁ ଗୁରୁବାର ରେଢାଖୋଲ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ଚୋରା ଚାଲାଣକାରୀମାନେ ଏହି ଗଞ୍ଜେଇଗୁଡିକୁ ସ୍କୁଟିରେ ବୌଦ୍ଧ ଅଞ୍ଚଳରୁ ନାକଟିଦେଉଳ ରାସ୍ତା ଦେଇ ଝାଡ଼ଖଣ୍ଡ ଅଞ୍ଚଳକୁ ଚାଲାଣ କରୁଥିଲେ ବୋଲି ଥାନା ଅଧିକାରୀ ଝସକେତନ ଭୋଇ କହିଛନ୍ତି।



